ଉ.କୋରିଆ ପରମାଣୁ କେନ୍ଦ୍ରରେ ବିସ୍ଫୋରଣ:ସୁଡ଼ଙ୍ଗ ଭୁଶୁଡ଼ି ୨୦୦ ମୃତ

ନୂଆଦିଲ୍ଲୀ: ଗତ ମାସରେ ଉତ୍ତର କୋରିଆର ପରମାଣୁ ପରୀକ୍ଷା କେନ୍ଦ୍ର ନିକଟରେ ବିସ୍ଫୋରଣରେ ଏକ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଅତି କମ୍‌ରେ ୨୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଏବେ ସାମନାକୁ ଆସିଛି। ଉତ୍ତର କୋରିଆ ସୂତ୍ରରୁ ଏ ସଂକ୍ରାନ୍ତ ପ୍ରମାଣଯୋଗ୍ୟ ତଥ୍ୟ ହାସଲ କରି ଏକ ଜାପାନୀ ଟେଲିଭିଜନ୍‌ ଚ୍ୟାନେଲ୍‌ ଏଭଳି ଦାବି କରିଛି। ତେବେ ଉତ୍ତର କୋରିଆ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଗତ ସେପ୍ଟେମ୍ବର ୩ ତାରିଖରେ ଉତ୍ତର କୋରିଆର ପୁଙ୍ଗ୍ୟେ-ରି ଆଣବିକ ପରୀକ୍ଷା କେନ୍ଦ୍ରରେ ଏକ ଉଦ୍‌ଜାନ ବୋମାର ପରୀକ୍ଷଣ ବେଳେ ତାହା ସଂଲଗ୍ନ ଅନ୍ୟ ଏକ ନିର୍ମାଣାଧୀନ ସୁଡ଼ଙ୍ଗ ବିସ୍ଫୋରିତ ହୋଇ ଭୁଶୁଡ଼ି ପଡ଼ିଥିଲା। ଜାପାନର ଆସାହି ଟେଲିଭିଜନ୍‌ ପକ୍ଷରୁ ଆଜି ଏଭଳି ଚାଞ୍ଚଲ୍ୟକର ଖବର ଉପସ୍ଥାପନ କରାଯାଇଛି। ବିସ୍ଫୋରଣ ସମୟରେ ହିଁ ଘଟଣାସ୍ଥଳରେ ପାଖାପାଖି ୧୦୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ତେବେ ସେଠାରେ କାର୍ଯ୍ୟରତ ଅନ୍ୟ ଶ୍ରମିକମାନଙ୍କୁ ଉଦ୍ଧାର କଲା ବେଳେ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିବାରୁ ଆହୁରି ଶହେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି।
ପ୍ରକାଶିତ ଖବର ଅନୁଯାୟୀ, ସେପ୍ଟେମ୍ବର ୩ରେ ଉତ୍ତର କୋରିଆ ଷଷ୍ଠ ଥର ପାଇଁ ପରମାଣୁ ପରୀକ୍ଷଣ କରିଥିଲା। ପରୀକ୍ଷା କେନ୍ଦ୍ରରେ ଏକ ଶହେ କିଲୋଟନ୍‌ ଉଦ୍‌ଜାନ ବୋମାର ପରୀକ୍ଷା କରାଯାଇଥିଲା ଯାହା ୧୯୪୫ ମସିହାରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଜାପାନର ହିରୋସିମା ଉପରେ ଆମେରିକା ନିକ୍ଷେପ କରିଥିବା ପରମାଣୁ ବୋମାର ପ୍ରାୟ ସାତ ଗୁଣ ଶକ୍ତିଶାଳୀ ଥିଲା। କୋରିଆର ସରକାରୀ ପାଣିପାଗ ନିର୍ଣ୍ଣୟ ସଂସ୍ଥା ମଧ୍ୟ ଏହି ଉଦ୍‌ଜାନ ବୋମା ପରୀକ୍ଷା ପରେ ପରୀକ୍ଷଣ କେନ୍ଦ୍ର ସନ୍ନିକଟ ଏକ ପାହାଡ଼ ତଳେ ୧୦୦ ଫୁଟ ଲମ୍ବ ଏବଂ ୬୦ ଫୁଟ ଗଭୀରର ଏକ ଫାଟ ସୃଷ୍ଟି ହୋଇଥିବା କହିଥିଲା। ଏପରିକି ଏଥି ଯୋଗୁଁ ସଂପୃକ୍ତ ପାହାଡ଼ଟି ଧସିଯିବା ସ୍ଥିତିରେ ରହିଥିବା ଜଣାଯାଇଛି। ଭୂଗର୍ଭରେ ଏଭଳି ବାରମ୍ବାର ପରମାଣୁ ପରୀକ୍ଷା ଜନିତ ଶକ୍ତିଶାଳୀ ବିସ୍ଫୋରଣ ଯୋଗୁଁ ସେହି ଅଞ୍ଚଳର ମାଟିତଳ ଅସ୍ଥିର ହୋଇ ଏଭଳି ସୁଡ଼ଙ୍ଗ ଭୁଶୁଡ଼ିବାର କାରଣ ସାଜିଥିଲା।
ଉତ୍ତର କୋରିଆର ଜାତୀୟ ଗୁଇନ୍ଦା ସଂସ୍ଥାର କହିବା ଅନୁଯାୟୀ, ସେହି ଷଷ୍ଠ ପରମାଣୁ ପରୀକ୍ଷଣ ପରେ ପୁରୁଣା ସୁଡ଼ଙ୍ଗକୁ ବନ୍ଦ କରାଯାଇ ସେଠାରେ ଭବିଷ୍ୟତରେ ନୂତନ ପରୀକ୍ଷା ସକାଶେ ଆଉ ଦୁଇଟି ସୁଡ଼ଙ୍ଗ ନିର୍ମାଣ ଚାଲିଛି। ସୁତରାଂ ସେପ୍ଟେମ୍ବର ୩ରେ ସୁଡ଼ଙ୍ଗ ଭୁଶୁଡ଼ିବା କଥା ସ୍ପଷ୍ଟ ହୋଇଛି। ତେବେ ଉଦ୍‌ବେଗର ବିଷୟ ହେଲା, ଏଭଳି ବାରମ୍ବାର ପରମାଣୁ ପରୀକ୍ଷା ଦ୍ୱାରା ଘଟଣାସ୍ଥଳରୁ ଭବିଷ୍ୟତରେ ତେଜଷ୍କ୍ରିୟ ବିକିରଣ ବିଛୁରିତ ହେବାର ଆଶଙ୍କା ରହିଛି। ଫଳରେ ଅଞ୍ଚଳବାସୀ ନାନା ଦୁଃସାଧ୍ୟ ରୋଗରେ ପୀଡ଼ିତ ହେବା ସହ ଏହା ଆଖପାଖ ଅଞ୍ଚଳକୁ ମଧ୍ୟ ବ୍ୟାପିବାର ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର