ଯେ କୌଣସ ମୁହୂର୍ତ୍ତରେ ପରାମାଣୁ ଯୁଦ୍ଧର ଧମକ ଦେଲା ଉତ୍ତରକୋରିଆ

ମିଳିତ ଜାତିସଂଘ: ଯେ କୌଣସି ମୁହୂର୍ତ୍ତରେ କୋରିଆ ଉପଦ୍ୱୀପ ଅଞ୍ଚଳରେ ପରମାଣୁ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି। ମିଳିତ ଜାତିସଂଘରେ ଉତ୍ତର କୋରିଆର ଡେପୁଟି ରାଜଦୂତ ସୋମବାର ଦିନ ଏ ପ୍ରକାର ମନ୍ତବ୍ୟ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛନ୍ତି।

ମିଳିତ ଜାତିସଂଘରେ ଉତ୍ତର କୋରିଆର ଡେପୁଟି ରାଜଦୂତ କିମ୍‌ ଇଁ ରିୟୋଙ୍ଗ ଜାତିସଂଘ ସାଧାରଣ ସଭା ନିରସ୍ତ୍ରୀକରଣ କମିଟିରେ ପୃଥିବୀ ଯେ କୌଣସି ମୁହୁର୍ତ୍ତରେ ଏକ ଆଣବିକ ଯୁଦ୍ଧର ସାମ୍‌ନା କରିପାରେ ବୋଲି କହିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକି ୧୯୭୦ ମସିହାରୁ ଉତ୍ତର କୋରିଆକୁ ପରମାଣୁ ଯୁଦ୍ଧର ଧମକ ଦେଇ ଆସୁଥିବାରୁ ଉତ୍ତରକୋରିଆ ନିଜ ସୁରକ୍ଷା ପାଇଁ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତି କରିଛି ବୋଲି କିମ୍‌ ଇର୍ ରିୟୋଙ୍ଗ କହିଛନ୍ତି।

ମିଳିତ ଜାତିସଂଘରେ ଉତ୍ତର କୋରିଆର ଡେପୁଟି ରାଜଦୂତ କିମ୍‌ ଇଁ ରିୟୋଙ୍ଗ ଜାତିସଂଘ ସାଧାରଣ ସଭା ନିରସ୍ତ୍ରୀକରଣ କମିଟିରେ କହିଛନ୍ତି ଯେ ଉତ୍ତରକୋରିଆ ପୃଥିବୀର ଏକମାତ୍ର ଦେଶ ଯେଉଁ ଦେଶ ୧୯୭୦ ମସିହାରୁ ଆମେରିକାର ଆଣବିକ ଆକ୍ରମଣ ଧମକର ଶିକାର ହୋଇ ଆସୁଛି। ତେଣୁ ନିଜ ପ୍ରତିରକ୍ଷା ପାଇଁ ଉତ୍ତରକୋରିଆ ଆଣବିକ ଅସ୍ତ୍ର ପ୍ରସ୍ତୁତି କରିବା ଉତ୍ତର କୋରିଆର ଅଧିକାର ବୋଲି କିମ୍‌ ଇଁ ରିୟୋଙ୍ଗ କହିଛନ୍ତି।
କିମ୍‌ ଇଁ ରିୟୋଙ୍ଗ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ନେଇ ପ୍ରତିବର୍ଷ ବଡ଼ ଧରଣର ସମରାଭ୍ୟାସ କରାଯାଉଛି। ସବୁଠାରୁ ଗୁରତ୍ୱପୂର୍ଣ୍ଣ ହେଉଛି ଆମେରିକା ଉତ୍ତର କୋରିଆର ସୁପ୍ରିମ କମାଣ୍ଡରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଗୋପନ ଯୋଜନା କରିବା ଅତ୍ୟନ୍ତ ବିପଦ୍‌ଜ୍ଜନକ । ଚଳିତ ବର୍ଷ ଉତ୍ତର କୋରିଆ ପରମାଣୁ ବୋମା, ହାଇଡ୍ରୋଜେନ ବୋମା ଓ ଇଣ୍ଟରକଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରି ଏକ ପୂର୍ଣ୍ଣାଙ୍ଗ ଆଣବିକ ଶକ୍ତିରେ ପରିଣତ ହୋଇପାରିଛି ବୋଲି କିମ୍‌ ଇଁ ରିୟୋଙ୍ଗ କହିଛନ୍ତି। ସେହିପରି ସମଗ୍ର ଯୁକ୍ତରାଷ୍ଟ୍ର ଆମେରିକା ଆମ ମିସାଇଲର ଫାୟାରିଂ ରେଞ୍ଜ ମଧ୍ୟରେ ଥିବାରୁ ଯଦି ଆମେରିକା ଉତ୍ତର କୋରିଆର ପବିତ୍ର ଭୂମିର ମାତ୍ର ୧ ଇଞ୍ଚ ଅଧିକାର କରିବାକୁ ଚେଷ୍ଟା କରେ ତେବେ ସେ ଉତ୍ତରକୋରିଆର ପ୍ରକୋପରୁ ନିଜକୁ ରକ୍ଷା କରି ପାରିବ ନାହିଁ ବୋଲି କିମ୍‌ ଇଁ ରିୟୋଙ୍ଗ ସତର୍କ କରି ଦେଇଛନ୍ତି।

କିମ୍‌ ଇଁ ରିୟୋଙ୍ଗ କହିଛନ୍ତି ଯେ ଉତ୍ତରକୋରିଆର ଆଣବିକ ଓ କ୍ଷେପଣାସ୍ତ୍ର ଅସ୍ତ୍ରଶସ୍ତ୍ର ଖୁବ ଗୁରତ୍ୱପୂର୍ଣ୍ଣ ଓ କୌଣସି ପରିସ୍ଥିତିରେ ଏହାର ପରିବର୍ତ୍ତନ କରାଯାଇ ପାରିବ ନାର୍ହିଁ। ଯେ ପର୍ଯ୍ୟନ୍ତ ଆମେରିକାର ଘୃଣ୍ୟ ନୀତି ଓ ଆଣବିକ ଧମକ ସମ୍ପୂର୍ଣ୍ଣ ରୂପେ ବନ୍ଦ ନ ହୋଇଛି,ସେ ପର୍ଯ୍ୟନ୍ତ ଆମେ ଆମ ଆଣବିକ ଓ କ୍ଷେପଣାସ୍ତ୍ର ଶକ୍ତିକୁ କେବେ ବି ଆଲୋଚନା ପରିସରଭୁକ୍ତ କରିବୁ ନାହିଁ ବୋଲି କିମ୍‌ ଇଁ ରିୟୋଙ୍ଗ କହିବା ସହିତ ଉତ୍ତର କୋରିଆ ଏକ ଆଣବିକ ଅସ୍ତ୍ରଶସ୍ତ୍ର ମୁକ୍ତ ବିଶ୍ୱ ଦେଖିବାକୁ ଚାହେଁ ବୋଲି କହିଛନ୍ତି। ଉତ୍ତର କୋରିଆ ଉପରେ ମିଳିତ ଜାତିସଂଘ ପ୍ରତିବନ୍ଧ ଲଗାଇିବାକୁ ଯାଉଥିବା ପରିପ୍ରେକ୍ଷୀରେ ମିଳିତ ଜାତିସଂଘର ନିରସ୍ତ୍ରୀକରଣ କମିଟି େବୈଠକରେ ଉତ୍ତର କୋରିଆ ପକ୍ଷରୁ ଏହା କୁହାଯାଇଛି।

ସୂଚନାଯୋଗ୍ୟ ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସୋମବାର ଦିନ କହିଛନ୍ତି ଯେ ମିଳିତ ଜାତିସଂଘ ଅନୁଯାୟୀ ତାଙ୍କ ଦେଶ ଉତ୍ତର କୋରିଆ ସହିତ ଅର୍ଥନୈତିକ, ବଜ୍ଞାନ କାରିଗରି ଜ୍ଞାନକୌଶଳ ଓ ଅନ୍ୟ ସମ୍ପର୍କକୁ ହ୍ରାସ କରିଛି। ସେହିପରି ୟୁରୋପିୟନ ୟୁନିୟନ ଆଣବିକ ଅସ୍ତ୍ର ଓ ବାଲାଷ୍ଟିକ ମିସାଇଲ ବିକାଶ କ୍ଷେତ୍ରରେ ଉତ୍ତରକୋରିଆ ଉପରେ ନୂତନ ପ୍ରତିବନ୍ଧକ ଲଗାଇବା ଘୋଷଣା କରିଛି।
ଆମେରିକାର ସେକ୍ରେଟାରୀ ଅଫ୍‌ ଷ୍ଟେଟ୍ସ ରେକ୍ସ ଟିଲରସନ୍‌ କହିଛନ୍ତି ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ ଉତ୍ତରକୋରିଆ ସହିତ କୁଟନୈତିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ।
କିମ୍‌ ଇଁ ରିୟୋଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଆଣବିକ ଶକ୍ତି ସେମାନଙ୍କ ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣରେ ବ୍ୟସ୍ତ। ୧୨୨ଟି ଦେଶ ଆଣବିକ ଅସ୍ତ୍ରଶସ୍ତ୍ର ଚୁୁକ୍ତି କୁ ଅନୁମୋଦନ ଦେଇଥିଲେ ମଧ୍ୟ ଆମେରିକା ଏହାକୁ ଅଗ୍ରାହ୍ୟ କରି ବିଶ୍ୱରେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ପାଇଁ ବାଟ ଫିଟାଇଛି ବୋଲି କିମ୍‌ ଇଁ ରିୟୋଙ୍ଗ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର