ଉତ୍ତର କୋରିଆ ସହ କଥାବାର୍ତ୍ତା ଯୁଗାନ୍ତକାରୀ ହେବ : ଟ୍ରମ୍ପ୍‌

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସହିତ ତାଙ୍କର ପ୍ରସ୍ତାବିତ କଥାବର୍ତ୍ତାକୁ ନେଇ ଉତ୍ସାହ ଦେଖାଇଛନ୍ତି। ଉତ୍ତର କୋରିଆ ସହ ଏହି ଆଲୋଚନା ଯୁଗାନ୍ତକାରୀ ହେବ ଏବଂ ଏହା ଯଦି ବିଫଳ ହୁଏ ତା’ହେଲେ ସମସ୍ୟା ଆହୁରି ଜଟିଳ ହେବ ବୋଲି ସେ କହିଛନ୍ତି। କଥାବାର୍ତ୍ତା ସଫଳ ହେଲେ ଏହା ବିଶ୍ୱବାସୀଙ୍କୁ ଆଶ୍ୱସ୍ତ କରିବ ଏବଂ କୋରିଆ ଉପଦ୍ୱୀପରେ ନୂଆ ସମ୍ଭବନା ଆସିବ । ତେବେ ଟ୍ରମ୍ପ୍‌ କହିଛନ୍ତି ଯେ ଯଦି ଏହା ସକରାତ୍ମକ ଦିଗରେ ଗତିକରିବ ତା’ହେଲେ ଆମେରିକା ଏଥିରେ ପୂର୍ଣ୍ଣ ସହଯୋଗ କରିବ, ଯଦି ଆଲୋଚନା ଠିକ୍‌ ରାସ୍ତାରେ ନଗଲା ତା’ହେଲେ ଆମେରିକା ଏହି ପ୍ରକ୍ରିୟାରୁ ତୁରନ୍ତ ଓହରି ଆସିବ । ଯଦି ପ୍ରକୃତରେ ଉତ୍ତର କୋରିଆ ଶାନ୍ତି ଚାହୁଥାଏ ତା’ହେଲେ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ଟ୍ରମ୍ପ୍‌ କହିଛନ୍ତି। ଟ୍ରମ୍ପ୍‌ ଏବଂ କିମ୍‌ ଜଙ୍ଗ୍‌ଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ମେ ଶେଷ ସପ୍ତାହରେ ହେବ ବୋଲି କୁହାଯାଉଛି । ତେବେ ଏଥିପାଇଁ ତାରିଖ ଧାର୍ଯ୍ୟ କରାଯାଇ ନାହିଁ।

ଟ୍ରମ୍ପ୍‌ ଏବଂ କିମ୍‌ଙ୍କ ମଧ୍ୟରେ ଆଲୋଚନା ପାଇଁ ଦକ୍ଷିଣ କୋରିଆ ବିଶେଷ ଆଗ୍ରହ ପ୍ରକାଶ କରିଛି ଏବଂ ଏ ବାବଦ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବାକୁ ଦକ୍ଷିଣ କୋରିଆର ଏକ ପ୍ରତିନିଧି ଦଳ ଗତକାଲି ଟ୍ରମ୍ପ୍‌ଙ୍କୁ ହାଇଟ୍‌ ହାଉସ୍‌ରେ ଭେଟି ଆଲୋଚନା କରିଛନ୍ତି। ଉତ୍ତର କୋରିଆ ୨୮ ନଭେମ୍ବର ୨୦୧୭ ପରଠାରୁ କୌଣସି ପରମାଣୁ ପରୀକ୍ଷଣ କରିନାହିଁ ଏବଂ ନିଜର ସୁରକ୍ଷା ପାଇଁ ଏବେ ଶାନ୍ତି ଆଲୋଚନା ଚାହୁଛି ବୋଲି ଦକ୍ଷିଣ କୋରିଆ କହିଛି । କଠୋର ଆର୍ଥିକ କଟକଣାରୁ ସାମ୍ନା କରୁଥିବା ଉତ୍ତର କୋରିଆ ରାଷ୍ଟ୍ରର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଏବେ ଜୋରଦାର ପ୍ରୟାସ ଚଳାଇଛି । ଟ୍ରମ୍ପ୍‌-କିମ୍‌ ଆଲୋଚନା ପୂର୍ବରୁ ପ୍ରତିନିଧିସ୍ତରୀୟ ଆଲୋଚନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଦକ୍ଷିଣ କୋରିଆ ମଧ୍ୟସ୍ଥତାରେ ଆମେରିକା ଏବେ ଏ ଦିଗରେ କାର୍ଯ୍ୟ ଆରମ୍ଭ କରିଛି। ତେବେ କଥାବାର୍ତ୍ତା ପୂର୍ବରୁ ଯେଭଳି କୌଣସି କଠୋର ସର୍ତ୍ତ ଆମେରିକା ଅରୋପ ନକରେ ସେଥିପ୍ରତି ଉତ୍ତର କୋରିଆ ସତର୍କ ନଜର ରଖିଛି। କଥାବାର୍ତ୍ତା ପୂର୍ବରୁ ନିରସ୍ତ୍ରୀକରଣ ପ୍ରକ୍ରିୟା ସମ୍ଭବ ନୁହେଁ ବୋଲି ପୂର୍ବରୁ ଉତ୍ତର କୋରିଆ କହିଥିବା ନଜିର ରହିଛି ।

ସମ୍ବନ୍ଧିତ ଖବର