ଉତ୍ତର କୋରିଆର ଧମକ: ଜାତିସଂଘର କଟକଣା ଯୁଦ୍ଧ ପାଇଁ ରାସ୍ତା ଖୋଲିଦେଇଛି

ପୋଙ୍ଗୟାଙ୍ଗ: ଜାତିସଂଘ ନିକଟରେ ଲାଗୁ କରିଥିବା କଠୋର ଆର୍ଥିକ କଟକଣାକୁ ‘ଯୁଦ୍ଧ ପଦକ୍ଷେପ’ ଭାବେ ଗ୍ରହଣ କରିଛି ଉତ୍ତର କୋରିଆ। ଜାତିସଂଘର ଏହି ପଦକ୍ଷେପ ଏକ ନିର୍ଣ୍ଣାୟକ ଲଢ଼େଇ ପାଇଁ ରାସ୍ତା ଖୋଲି ଦେଇଛି ବୋଲି ଉତ୍ତର କୋରିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ସଂପୂର୍ଣ୍ଣ ଆର୍ଥିକ ଅବରୋଧ ସୃଷ୍ଟି କରି ଉତ୍ତର କୋରିଆକୁ ଅଚଳ କରିଦେବାକୁ ଚକ୍ରାନ୍ତ କରାଯାଇଛି ଏବଂ ଏହା ଯୁଦ୍ଧ ସ୍ଥିତି ଭଳି ସାଂଘାତିକ ବୋଲି ଉତ୍ତର କୋରିଆ କହିଛି । ତେବେ ଉତ୍ତର କୋରିଆ ଏଭଳି କଟକଣାର ମୁକାବିଲା କରିବାକୁ ସକ୍ଷମ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରାଯାଇଛି । ଉତ୍ତର କୋରିଆ ନିକଟରେ ପୁଣି ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବା ପରେ ଜାତିସଂଘ ନିରାପତ୍ତା ପରିଷଦ ଗତ ଶୁକ୍ରବାର ଦିନ କଠୋର କଟକଣା ମଂଜୁର କରିଥିଲା।
କଟକଣା ଲାଗୁ ପାଇଁ ଆମେରିକାର ପ୍ରସ୍ତାବକୁ ନିରପତ୍ତା ପରିଷଦର ସମସ୍ତ ୧୫ ରାଷ୍ଟ୍ର ସମର୍ଥନ କରିଥିଲେ। ଉତ୍ତର କୋରିଆର ପେଟ୍ରୋଲ ଆମଦାନିକୁ ୯୦ ପ୍ରତିଶତ ହ୍ରାସ କରିଦେବା ପାଇଁ ପଦକ୍ଷେପ ନିଆଯାଇଛି । ସପ୍ତାହକ ମଧ୍ୟରେ ଉତ୍ତର କୋରିଆରେ ପେଟ୍ରୋଲ ପାଇଁ ହାହାକାର ସୃଷ୍ଟିହେବ। ଏହି କଟକଣା ଉତ୍ତର କୋରିଆ ନାଗରିକଙ୍କୁ ବିଚଳିତ କରିଦେଇଥିବା ବେଳେ ଶାସକ କିମ୍‌୍‌ ଜଙ୍ଗ୍‌ ଉନ୍‌ ଲୋକଙ୍କୁ ଭୟଭୀତ କରି ରଖିବା ସହ ତୁହାକୁ ତୁହା ଯୁଦ୍ଧ ଧମକ ଦେଇ ଚାଲିଛନ୍ତି। ଏ କ୍ଷେତ୍ରରେ ଚୀନ୍‌ଠାରୁ ଅଧିକ ସହାୟତା ମିଳିବା ଆଶା ନଥିବାରୁ ଉତ୍ତର କୋରିଆ ଯୁଦ୍ଧର ବାତାବରଣ ସୃଷ୍ଟି କରିବା ଦିଗରେ ପଦକ୍ଷେପ ନେବ ବୋଲି ଜାପାନ ଏବଂ ଦକ୍ଷିଣ କୋରିଆ ଆଶଙ୍କା ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର