ମୁକ୍ତ ହେବେ ଆମେରିକୀୟ ପଣବନ୍ଦୀ

ଉତ୍ତର କୋରିଆର ଆଉ ଏକ ଚକିତକାରୀ ପଦକ୍ଷେପ 

ଓ୍ଵାସିଂଟନ:  ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ ଏବଂ ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ୍‌ ଉନ୍‌୍‌ଙ୍କ ସମ୍ଭାବ୍ୟ ଐତିହାସିକ ଆଲୋଚନା ବୈଠକ ପୂର୍ବରୁ ଉତ୍ତର କୋରିଆ କେତେକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି।  ଦୀର୍ଘ ଦିନ  ଧରି ଉତ୍ତର କୋରିଆରେ ପଣବନ୍ଦୀ ଥିବା ୩ ଆମେରିକୀୟଙ୍କୁ ମୁକ୍ତ କରିବା ଦିଗରେ ଖୁବ୍‌୍‌ଶୀଘ୍ର ଉତ୍ତର କୋରିଆ ପଦକ୍ଷେପ ନେବ ବୋଲି ଜଣାପଡ଼ିଛି। ପଣବନ୍ଦୀ ଥିବା ଟୋନି କମି୍‌, କିମ ହକ୍‌ ସଙ୍ଗ୍‌ ଏବଂ  କିମ୍‌ ଡଙ୍ଗ ଚୁଲ୍‌ଙ୍କୁ ଏକ  ଜେଲ୍‌ରୁ ଏବେ ରାଜଧାନୀ ପୋଙ୍ଗ୍‌ୟାଙ୍ଗ୍‌ ସ୍ଥିତ ଏକ ହୋଟେଲକୁ ସ୍ଥାନାନ୍ତର କରାଯାଇଛି। ଏ ବାବଦରେ କେତେକ ପ୍ରକ୍ରିୟା ଶେଷ ହେବାପରେ ପଣବନ୍ଦୀମାନଙ୍କୁ ସେମାନଙ୍କ ପରିବାର ସହ ମିଳନ କରାଯିବ ଏବଂ ଯଥାଶୀଘ୍ର ସେମାନଙ୍କୁ ମୁକ୍ତି ସଂକ୍ରାନ୍ତ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ଙ୍କ ପାଇଁ ଏକ ବଡ଼ କୂଟନୀତିକ ବିଜୟ ବୋଲି କୁହାଯାଉଛି। ଗତବର୍ଷ ଜୁନ୍‌ ୧୩ରେ ଉତ୍ତର କୋରିଆ ଆମେରିକାର ଜଣେ ୨୨ ବର୍ଷର ଯୁବକଙ୍କୁ ୧୭ ମାସ ଧରି ପଣବନ୍ଦୀ ଭାବେ ରଖିବା ପରେ ମୁକ୍ତ କରିଥଲା। ତେବେ ତାଙ୍କୁ ଏଭଳି ଭୟଙ୍କର ନିର୍ଯାତନା ଦିଆଯାଇଥିଲା ଯେ ସେ କୋମାକୁ ଚାଲିଯାଇଥିଲେ ଏବଂ ଛାଡ଼ ପାଇବାର ସପ୍ତାହକ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା।  ଏବେ ଛାଡ଼ ପାଇବାକୁ ଥିବା ବନ୍ଦୀଙ୍କ ସ୍ଥିତି କ’ଣ ସେ ସଂପର୍କରେ  ସବିଶେଷ ତଥ୍ୟ ପ୍ରଘଟ ହୋଇନାହିଁ। ଆମେରିକୀୟ ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ  ପ୍ରୟାସ ଚଳାଇ ଆସିଥିବା   ପୂର୍ବତନ ନ୍ୟୁ ମେକ୍ସିକୋ ଗଜର୍ଣ୍ଣ ବିଲ୍‌ ରିଚାର୍ଡସନ କହିଛନ୍ତି ଯେ ଆମେରିକୀୟ ବନ୍ଦୀଙ୍କ ସ୍ୱାଧୀନତା ସମୟ ଏବେ ଆସିଯାଇଛି ଏବଂ ଉତ୍ତର କୋରିଆ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଛି।

 

ଅନ୍ୟପକ୍ଷରେ  ଟ୍ରମ୍‌୍‌ ଏବଂ କିମ୍‌ଙ୍କ ମଧ୍ୟରେ ହେବାକୁ ଥିବା ଐତିହାସିକ ସାକ୍ଷାତ ଆଲୋଚନା ସିଙ୍ଗାପୁରରେ ଅନୁଷ୍ଠିତ ହେବ ବୋଲି କେେତେକ ସୂତ୍ରରୁ ଜଣାପଡ଼ିଛି। ଯଦି କୌଣସି କାରଣରୁ ସିଙ୍ଗାପୁରରେ ନିରାପତ୍ତା ସମସ୍ୟା ସୃଷ୍ଟି ହୁଏ ତା’ହେଲେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ।  ଜୁନ୍‌ରେ ଏହି ସାକ୍ଷାତ ହେବ ବୋଲି ଧାର୍ଯ୍ୟ ହୋଇଛି। ଏହା ପୂର୍ବରୁ ଦକ୍ଷିଣ କୋରିଆରୁ ଆମେରିକା ତା’ର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର