ମୁଣ୍ଡ ନୁଅାଁଇଲା ଉତ୍ତର କୋରିଆ: ପରମାଣୁ ଓ କ୍ଷେପଣାସ୍ତ୍ର ପରୀକ୍ଷା ବନ୍ଦ ଘୋଷଣା

ପୋଙ୍ଗୟାଙ୍ଗ୍‌ : ବିଶ୍ୱ ସମୁଦାୟକୁ ଅବମାନନା କରି ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା ଏବଂ ଅନେକ ପରମାଣୁ ପରୀକ୍ଷା କରିଥିବା ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ଶେଷରେ ମୁଣ୍ଡ ନୁଅାଁଇଛନ୍ତି। ଶାସକ ଉନ୍‌ ନିଜ ଦେଶ ପାଇଁ ଏକ ନୂଆ ଅଧ୍ୟାୟ ସୃଷ୍ଟି କରି ପରମାଣୁ ପରୀକ୍ଷଣ ରାସ୍ତାରୁ ପଛକୁ ହଟିଯାଇଛନ୍ତି। ଦେଶକୁ କଠୋର ଆର୍ଥିକ କଟକଣାରୁ ରକ୍ଷା କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏବେ କିମ୍‌ ଜଙ୍ଗ୍‌ ଗୁରୁତ୍ୱାରୋପ କରିଛନ୍ତି। ଉତ୍ତର କୋରିଆ ଆଉ ପରମାଣୁ ପରୀକ୍ଷା କିମ୍ବା ଅନ୍ତର୍ମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିବ ନାହିଁ ବୋଲି ଆଜି ଶାସକ କିମ୍‌ ଜଙ୍ଗ ଉନ୍‌ ଘୋଷଣା କରିବା ପରେ ଏହାକୁ ଆମେରିକା, ରୁଷ୍‌, ଚୀନ୍‌ ଏବଂ ଦକ୍ଷିଣ କୋରିଆ ସ୍ୱାଗତ କରିଛନ୍ତି। ପୋଙ୍ଗୟାଙ୍ଗ୍‌ର ପରମାଣୁ କ୍ଷମତାର ପରୀକ୍ଷା ହୋଇସାରିଛି ଏବଂ ଏବେ ଆଉ କୌଣସି ପରୀକ୍ଷଣର ଆବଶ୍ୟକତା ନାହିଁ ବୋଲି ଉନ୍‌ ଘୋଷଣା କରି ସାରା ବିଶ୍ୱକୁ ଚକିତ କରିଦେଇଛନ୍ତି। ଉନ୍‌ଙ୍କର ଏହି ନିଷ୍ପତ୍ତିରେ ଉତ୍ତର କୋରିଆ ସହ ସମୁଦାୟ ବିଶ୍ୱବାସୀଙ୍କ ମଙ୍ଗଳ ସାଧନ ହେବ ବୋଲି କୁହାଯାଉଛି। ଉଲ୍ଲେଖଯୋଗ, ଗତ ନଭେମ୍ବର ମାସରୁ ଉତ୍ତର କୋରିଆ କୌଣସି କ୍ଷେପଣାସ୍ତ୍ର ପରୀକ୍ଷା କରିନଥିବା ବେଳେ ଦକ୍ଷିଣ କୋରିଆ ସହ ସଂପର୍କରେ ସୁଧାର ଆଣିବା ପାଇଁ ଲଗାତାର ପ୍ରୟାସ କରିଥିଲା । ଗୋଟିଏ ଦଶନ୍ଧି ପରେ ପ୍ରଥମ ଥର ପାଇଁ ହେବାକୁ ଯାଉଥିବା କୋରିଆ ସମ୍ମିଳନୀରେ କିମ୍‌ ଜଙ୍ଗ୍‌ ଅଂଶଗ୍ରହଣ କରିବେ। ଆସନ୍ତା ଜୁନ୍‌ ମାସରେ ମଧ୍ୟ ଉନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌୍‌ଡ ଟ୍ରମ୍ପ୍‌ କହିଛନ୍ତି ଯେ ଏହା ସାରା ବିଶ୍ୱ ପାଇଁ ଏକ ଖୁସି ଖବର। ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମଧ୍ୟ ଉତ୍ତର କୋରିଆର ଏହି ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି।

ଅର୍ଥନୀତି ଭୁଶୁଡ଼ିବା ଭୟ
ପରମାଣୁ ପରୀକ୍ଷଣ ବନ୍ଦ କରିବା ନିଷ୍ପତ୍ତି ଗତକାଲି ଉତ୍ତର କୋରିଆ ଶାସକ ଦଳର କେନ୍ଦ୍ରିୟ କମିଟି ବୈଠକରେ ନିଆଯାଇଥିଲା । ବୈଠକରେ ଦେଶକୁ ଭୟଙ୍କର ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ସମସ୍ତ ପ୍ରମୁଖ ସଭ୍ୟ ଏକସ୍ୱରରେ ଗୁରୁତ୍ୱାରୋପ କରିଥିଲେ ଏବଂ କିମ୍‌ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଏହାପରେ କିମ୍‌୍‌ ନିରସ୍ତ୍ରୀକରଣ ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। କଠୋର କଟକଣା ପାଇଁ ଏବେ ଉତ୍ତର କୋରିଆକୁ ଚୋରାରେ ପେଟ୍ରୋଲ ଚୀନ୍‌ ଏବଂ ରୁଷିଆରୁ ଆଣିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର