କୁଳଭୂଷଣଙ୍କୁ ହଠାତ୍‌ ଫାଶୀ ଦିଆଯିବନି: ପାକିସ୍ତାନ ସରକାରଙ୍କ ନରମ ଆଭିମୁଖ୍ୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା ଭାରତର ପୂର୍ବ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପ୍ରତି ପାକିସ୍ତାନ ସରକାରଙ୍କ ଅପେକ୍ଷାକୃତ ନରମ ଆଭିମୁଖ୍ୟ ଆଶ୍ୱସ୍ତି ଆଣିଛି। କୁଳଭୂଷଙ୍କୁ ତାଙ୍କ ପତ୍ନୀ ଓ ମା’ ଆସନ୍ତା ଡିସେମ୍ବର ୨୫ ତାରିଖରେ ସାକ୍ଷାତ କରିବା ଲାଗି ପାକିସ୍ତାନ ସରକାର ଅନୁମତି ଦେଇଥିବା ବେଳେ କୁଳଭୂଷଣଙ୍କୁ ହଠାତ୍‌ ଫାଶୀ ଦିଆଯିବନି ବୋଲି ଆଜି ଘୋଷଣା କରିଛନ୍ତି। ଏଥି ସହିତ କୁଳଭୂଷଣଙ୍କ ମା’ ଏବଂ ତାଙ୍କ ପତ୍ନୀଙ୍କ ପାକିସ୍ତାନ ଗସ୍ତ ଲାଗି ସମସ୍ତପ୍ରକାର ବନ୍ଦୋବସ୍ତ ହୋଇସାରିଛି ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମହମ୍ମଦ ଫୈସଲ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ପାକିସ୍ତାନ ରାଷ୍ଟ୍ରଦୂତ ଯାଦବଙ୍କ ମା’ ଏବଂ ପତ୍ନୀଙ୍କ ଭିସା ପ୍ରଦାନ କରିଛନ୍ତି। ସେମାନଙ୍କ ସହ ଗଣମାଧ୍ୟମର ସାକ୍ଷାତ ପାଇଁ ପାକିସ୍ତାନର ଅନୁମତି ରହିଥିବା ବେଳେ ଏନେଇ ଭାରତର ନିଷ୍ପତ୍ତିକୁ ଅପେକ୍ଷା ରହିଛି ବୋଲି ଇସଲାମାବାଦ୍‌ କହିଛି। ସେହିପରି ସାକ୍ଷାତ ସମୟରେ କୁଳଭୂଷଣଙ୍କ ପତ୍ନୀ ଓ ମା’ଙ୍କ ସହ ଭାରତୀୟ ଦୂତାବାସର ଜଣେ ଅଧିକାରୀ ଉପସ୍ଥିତ ରହିବା ଏବଂ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ କୌଣସି ପ୍ରକାର ଜେରା ନକରିବା ପାଇଁ ଭାରତର ଦାବିରେ ପାକିସ୍ତାନ ପୂର୍ବରୁ ସହମତି ପ୍ରକାଶ କରିଛି।

ସୂଚନାଥାଉ କି, କୁଳଭୂଷଣଙ୍କୁ ଆତଙ୍କବାଦୀ ଦର୍ଶାଇ ମିଥ୍ୟା ଅଭିଯୋଗରେ ପାକ୍‌ ସାମରିକ ଅଦାଲତ ମୃତ୍ୟୁ ଦଣ୍ଡାଦେଶ ଦେଇଥିବାରୁ ଏବେ ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ ଏହି ମାମଲା ବିଚାରାଧୀନ ରହିଛି। ଭାରତ ଏ ବାବଦରେ ନିଜର ଦଲିଲ ଆଇସିଜେରେ ଉପସ୍ଥାପନ କରିସାରିଛି।

ସମ୍ବନ୍ଧିତ ଖବର