ମୋଦୀ ନୁହେଁ, ଯୋଗୀ ଥିଲେ ଷ୍ଟାର୍ ପ୍ରଚାରକ

କିଏ କେତେ ସଭାରେ ଭାଷଣ ଦେଇଛନ୍ତି

ଲକ୍ଷ୍ନୌ: ଗତକାଲି ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପିର ଷ୍ଟାର୍‌ ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରହିଥିଲେ ବୋଲି ସାଧାରଣରେ ଯେଉଁ ଧାରଣା ଅଛି ତାହା ଠିକ୍ ନୁହେଁ। ମୋଦୀଙ୍କ ବଦଳରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଷ୍ଟାର୍ ପ୍ରଚାରକ ସାଜିଥିଲେ। ନିଜ ରାଜ୍ୟ ଉତ୍ତର ପ୍ରଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଯୋଗୀ ସମାଲୋଚନାର ଶିକାର ହେଉଥିଲେ ମଧ୍ୟ ନିର୍ବାଚନ ହୋଇଥିବା ରାଜ୍ୟ ଗୁଡ଼ିକର ପ୍ରାର୍ଥୀ ଓ ଭୋଟରଙ୍କ ପାଇଁ ସେ ଥିଲେ ଆକର୍ଷଣର କେନ୍ଦ୍ରବିନ୍ଦୁ। ଯୋଗୀ ହିଁ ରହିଥିଲେ ମୁଖ୍ୟ ପ୍ରଚାରକ। ନିର୍ବାଚନ ହୋଇଥିବା ୫ଟି ରାଜ୍ୟ ମଧ୍ୟରୁ ୪ଟି ରାଜ୍ୟରେ ଯୋଗୀ ମୋଟ ୭୪ଟି ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି। ଏଥିମଧ୍ୟରୁ ରାଜସ୍ଥାନରେ ସର୍ବାଧିକ ୨୬ଟି, ଛତିଶଗଡ଼ରେ ୨୩ଟି, ମଧ୍ୟପ୍ରଦେଶରେ ୧୭ଟି ଓ ତେଲେଙ୍ଗାନାରେ ୮ଟି ସଭାରେ ସେ ଭାଷଣ ଦେଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସଭାପତି ଅମିତ ଶାହ ଯଥାକ୍ରମେ ୩୨ଟି ଓ ୫୮ଟି ରାଲିରେ ଉଦବୋଧନ ଦେଇଛନ୍ତି। ରାଜସ୍ଥାନରେ ମୋଦୀ ସର୍ବାଧିକ ୧୨ଟି ରାଲିରେ ଭାଷଣ ଦେଇଛନ୍ତି। ତେବେ ବିଜେପି ସଭାପତି ଶ୍ରୀ ଶାହ ମଧ୍ୟପ୍ରଦେଶକୁ ସର୍ବାଧିକ ପ୍ରାଧାନ୍ୟ ଦେବା ସହିତ ସେଠାରେ ୨୩ଟି ସଭାରେ ଉବଦୋଧନ ଦେଇଛନ୍ତି।

ବିଜେପିର ଜଣେ ‌ନେତାଙ୍କ କହିବାନୁଯାୟୀ ସଭାପତି ଶ୍ରୀ ଶାହ ୧୨ଟି ରୋଡ୍ ସୋ’ରେ ଯୋଗଦେଇଥିବା ବେଳେ ୩୧ଟି ସାଙ୍ଗଠନିକ ସଭା, ବିଭିନ୍ନ ଗୋଷ୍ଠୀ ସହ ୩୪ଟି ବୈଠକ ଏବଂ ଧାର୍ମିକ ଓ ସାଂସ୍କୃତିକ ସଂସ୍ଥା ଗୁଡ଼ିକ ସହିତ ୧୯ଟି ବୈଠକ କରିବା ସହିତ ମୋଟ ୧୫୪ଟି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଗତ ନିର୍ବାଚନରେ ତାଙ୍କର ଶେଷ ଉଦବୋଧନ ତେଲେଙ୍ଗାନାରେ ଦେଇଥିଲେ। ତାଙ୍କ ନିଜ ରାଜ୍ୟ ବୁଲନ୍ଦସହରରେ ଯେତେବେଳେ ଭିଡ଼ ହିଂସାରେ ଜଣେ ପୁଲିସ ଅଫିସରଙ୍କ ସମେତ ଜଣେ ନାଗରିକଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ସେ ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର କରୁଥିଲେ। ବିଜେପି ପ୍ରବକ୍ତା ଚନ୍ଦ୍ରକାନ୍ତଙ୍କ କହିବାନୁଯାୟୀ, ଏତେ ସଂଖ୍ୟକ ରାଲିରେ ଯୋଗୀ ଆଦିତ୍ୟନାଥ ଯୋଗଦେବା ବିଷୟ ତାଙ୍କ ଲୋକପ୍ରିୟତାକୁ ଦର୍ଶାଉଛି। ଏହା ତାଙ୍କ ଶାସନ ତରିକାର ବିଜୟ ବୋଲି କର୍ମୀଜଣକ କହିଛନ୍ତି। ତେବେ ଯୋଗୀ ଆଦିତ୍ୟନାଥଙ୍କ ଭାଷଣଗୁଡ଼ିକ ବିବାଦୀୟ ହୋଇ ପଡ଼ିଥିଲା। ସେ ତାଙ୍କ ଭାଷଣରେ ହିନ୍ଦୁତ୍ବକୁ ଗୁରୁତ୍ବ ଦେବା ସହିତ ଭଗବାନ ରାମ ଏବଂ କଂଗ୍ରେସର ସଂଖ୍ୟାଲଘୁ ସନ୍ତୁଷ୍ଟୀକରଣକୁ ମୁଖ୍ୟ ବିଷୟବସ୍ତୁ କରିଥିଲେ।

ସମ୍ବନ୍ଧିତ ଖବର