ବିମୁଦ୍ରୀକରଣ ବିବାଦ : ବିରୋଧ କରିଥିଲା ରିଜର୍ଭ ବ୍ୟାଙ୍କ

କଳାଟଙ୍କାକୁ ରୋକି ପାରିବନି ବୋଲି ସତର୍କ କରାଇଥିଲା, ବୋର୍ଡର ମଞ୍ଜୁରି ପୂର୍ବରୁ ଘୋଷଣା କରିଥିଲେ ମୋଦୀ, ଘୋଷଣାର ଅଢ଼େଇ ଘଣ୍ଟା ପୂର୍ବରୁ ବୋର୍ଡ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ନଭେମ୍ବର ୮ ତାରିଖରେ ଘୋଷଣା କରିଥିବା ବିମୁଦ୍ରୀକରଣକୁ ରିଜର୍ଭ ବ୍ୟାଙ୍କ ବିରୋଧ କରିଥିଲା। ନଭେମ୍ବର ୮ରେ ମୋଦୀ ଦୂରଦର୍ଶନରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିବାର ଅଢ଼େଇ ଘଣ୍ଟା ପୂର୍ବରୁ ନୂଆଦିଲ୍ଲୀରେ ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ବିରୋଧ ହୋଇଥିଲା।

ରିଜର୍ଭ ବ୍ୟାଙ୍କର ବୋର୍ଡ ସରକାରଙ୍କ ଏହି ଘୋଷଣାକୁ ପ୍ରଥମେ ତୀବ୍ର ବିରୋଧ କରିଥିଲା। ମୁଖ୍ୟତଃ ୪ଟି କାରଣ ପାଇଁ ବୋର୍ଡ ଏହାକୁ ବିରୋଧ କରିଥିଲେ ମଧ୍ୟ ପରେ ‘ସାଧାରଣ ଲୋକଙ୍କ ସ୍ବାର୍ଥ’ ଦୃଷ୍ଟିରୁ ଏହି ପ୍ରସ୍ତାବରେ ରାଜି ହୋଇଥିଲା ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ଜଣାଯାଇଛି। ସବୁଠାରୁ ସାଂଘାତିକ ବିଷୟ ହେଲା ଯେ ରିଜର୍ଭ ବ୍ୟାଙ୍କ ଆନୁଷ୍ଠାନିକ ଭାବେ ଏହି ପ୍ରସ୍ତାବକୁ ମଞ୍ଜୁରି ଦେବା ପୂର୍ବରୁ ମୋଦୀ ଏହାକୁ ଘୋଷଣା କରିଦେଇଥିଲେ। ମୋଦୀ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିବା ବେଳେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ବୋର୍ଡ ବୈଠକର ବିସ୍ତୃତ ବିବରଣୀରେ ଏହାର ପ୍ରାୟ ୫ ସପ୍ତାହ ପରେ ଅର୍ଥାତ୍ ୨୦୧୬ ଡିସେମ୍ବର ୧୫ରେ ଦସ୍ତଖତ କରିଥିଲେ।

ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବାକୁ ଥିବା ବିମୁଦ୍ରୀକରଣର ପ୍ରତିକୂଳ ପ୍ରଭାବ ନେଇ ବୋର୍ଡ ବୈଠକରେ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ସତର୍କ କରାଇ ଦେଇଥିଲା। ଏପରିକି ଏଭଳି ପଦକ୍ଷେପର ସେଭଳି କୌଣସି ପ୍ରଭାବ କଳାଟଙ୍କା ଉପରେ ପଡ଼ିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଦେଇଥିଲା।

ସରକାର ୫୦୦ ଏବଂ ୧୦୦୦ ଟଙ୍କିଆକୁ ଅଚଳ ଘୋଷଣା କରି ସେତେବେଳେ ପ୍ରଚଳନରେ ଥିବା ୮୬ ପ୍ରତିଶତ ନଗଦଟଙ୍କାକୁ ଅର୍ଥନୀତିରୁ କାଢ଼ି ନେଇଥିଲେ। କଳାଟଙ୍କାକୁ ନିୟନ୍ତ୍ରଣ କରିବା ଏହାର ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଥିଲା। ସେହି ବୋର୍ଡ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ତତ୍କାଳୀନ ଗଭର୍ଣ୍ଣର ଉର୍ଜିତ ପଟେଲ, ତତ୍କାଳୀନ ଅଥନୈତିକ ବ୍ୟାପାର ସଚିବ ତଥା ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଆର୍ଥିକ ସେବା ବ୍ୟାପାର ସଚିବ ଏ ସି ଡୁଗଲ, ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଆର. ଗାନ୍ଧୀ, ଏସ୍‌ ଏସ୍‌ ମୁନ୍ଦ୍ରା ପ୍ରମୁଖ ଯୋଗ ଦେଇଥିଲେ।
ଏହା ଏକ ପ୍ରଶଂସନୀୟ ପଦକ୍ଷେପ ହୋଇଥିଲେ ମଧ୍ୟ ସେହି ବର୍ଷ ପାଇଁ ଜିଡିପି ଉପରେ ଏହାର ସ୍ବଳ୍ପ ମିଆଦୀ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ବୋର୍ଡ ବୈଠକରେ କୁହାଯାଇଥିଲା। ସୂଚନା ଅଧିକାର କର୍ମୀ ଭେଙ୍କଟେଶ ନାୟକ ରାଜ୍ୟଗୋଷ୍ଠୀ ମାନବାଧିକାର ଅଭିଯାନ ୱେବସାଇଟରେ ଏହି ତଥ୍ୟ ରଖିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କର ୫୬୧ତମ ବୋର୍ଡ ବୈଠକରେ ଏହା ମଧ୍ୟ କୁହାଯାଇଥିଲା ଯେ, ଅଧିକାଂଶ କଳାଟଙ୍କା ନଗଦ ଅର୍ଥ ଆକାରରେ ନାହିଁ। ଏହା ସୁନା ଏବଂ ରିଅଲ ଇଷ୍ଟେଟ ଭଳି କ୍ଷେତ୍ରରେ ନିବେଶ ହୋଇଛି। ତେଣୁ ବିମୁଦ୍ରୀକରଣର ସେଭଳି କୌଣସି ପ୍ରଭାବ ସୁନା ଓ ରିଅଲ ଇଷ୍ଟେଟରେ ନିବେଶ ହୋଇଥିବା କଳାଟଙ୍କା ଉପରେ ପଡ଼ିବ ନାହିଁ ବୋଲି ବୋର୍ଡ ମତ ଦେଇଥିଲା।

ବିମୁଦ୍ରୀକରଣ ସପକ୍ଷରେ ବୋର୍ଡ ବୈଠକରେ ସରକାର ଯୁକ୍ତି ବାଢ଼ିଥିଲେ ଯେ ଅର୍ଥନୀତିରେ ୫୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ୭୬ ପ୍ରତିଶତ ଏବଂ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ପ୍ରାୟ ୧୦୯ ପ୍ରତିଶତ ବଢ଼ିଯାଇଛି। ତେବେ ଏହି ଯୁକ୍ତି ବିମୁଦ୍ରୀକରଣକୁ ସୁପାରିସ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ବୋର୍ଡ କହିଥିଲା। ଅର୍ଥନୀତିର ଅଭିବୃଦ୍ଧି ବାସ୍ତବ ହାରରେ ହିସାବ କରାଯାଉଥିବା ବେଳେ ମୁଦ୍ରା ପ୍ରଚଳନର ବୃଦ୍ଧି ନମିନାଲ୍‌ ହାରରେ ହିସାବ କରାଯାଇଥାଏ। ମୁଦ୍ରାସ୍ଫୀତିକୁ ବିଚାରକୁ ନିଆଗଲେ ଏହି ପାର୍ଥକ୍ୟ ସେ‌ମିତି କିଛି ନୁହେଁ ବୋଲି ବୋର୍ଡ କହିଥିଲା। ଏହା ସତ୍ତ୍ବେ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବୋର୍ଡ ପ୍ରସ୍ତାବରେ ରାଜି ହୋଇଥିଲା।

ବିମୁଦ୍ରୀକରଣ ଘୋଷଣାର ୩ଟି ମୁଖ୍ୟ ଲକ୍ଷ୍ୟ ରହିଥିଲା ବୋଲି ସରକାର କହିଥିଲେ। ସେହି ୩ଟି ପ୍ରମୁଖ ଲକ୍ଷ୍ୟ ହେଲା କଳାଟଙ୍କାକୁ ରୋକିବା, ନକଲି ମୁଦ୍ରାକୁ ନିୟନ୍ତ୍ରଣ କରିବା ଏବଂ ଆତଙ୍କବାଦୀ ଗୋଷ୍ଠୀଙ୍କ ଅର୍ଥ ଯୋଗାଣ ଉପରେ ଲଗାମ ଲଗାଇବା। ଏତଦବ୍ୟତୀତ ଅନ୍ୟାନ୍ୟ ଲକ୍ଷ୍ୟ ମଧ୍ୟ ରହିଥିଲା।

ନକଲି ନୋଟକୁ ରୋକିବା ଯଦିଓ ଚିନ୍ତାଜନକ ବିଷୟ ତଥାପି ଅର୍ଥନୀତିରେ ମାତ୍ର ୪୦୦ କୋଟିର ନକଲି ଟଙ୍କା ରହିଥିଲା। ତେଣୁ ଅର୍ଥନୀତିରେ ପ୍ରଚଳନ ହେଉଥିବା ମୋଟ ମୁଦ୍ରା ତୁଳନାରେ ଏହି ସଂଖ୍ୟା ଅତ୍ୟନ୍ତ ନଗଣ୍ୟ ଥିଲା।

୨୦୧୬ ନଭେମ୍ବର ୮ରେ ଦେଶରେ ଯେତିକି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ ହେଉଥିଲା ତାହାର ମୂଲ୍ୟ ଥିଲା ୧୫ ଲକ୍ଷ ୪୧ ହଜାର କୋଟି ଟଙ୍କା। ସରକାର ଭାରତୀୟ ନାଗରିକ ଓ ପ୍ରବାସୀ ଭାରତୀୟମାନଙ୍କୁ ଅଚଳ ନୋଟ୍ ଜମା କରିବା ଲାଗି ଯେଉଁ ସମୟ ଦେଇଥିଲେ ସେହି ସମୟ ଭିତରେ ବ୍ୟାଙ୍କ ଗୁଡ଼ିକ ନିକଟକୁ ପ୍ରାୟ ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କା ଫେରିଥିଲା। ଅର୍ଥାତ୍ ୯୯.୯ ପ୍ରତିଶତ ‌ନୋଟ୍ ଫେରିଥିବା ବେଳେ କେବଳ ୧୦,୭୨୦ କୋଟି ଟଙ୍କା ଫେରି ନଥିଲା। ବିମୁଦ୍ରୀକରଣର କୌଣସି ବଡ଼ ପ୍ରଭାବ ଜିଡିପି ଉପରେ ପଡ଼ିବ ନାହିଁ ବୋଲି ସରକାର କହିଥିଲେ। ନଗଦ ଅର୍ଥ ପ୍ରତ୍ୟାହାର କରାଯାଉଥିବାରୁ ଏହାର ପ୍ରତିକୂଳ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ସରକାର ପଦକ୍ଷେପ ନେବେ ବୋଲି ରିଜର୍ଭ ବ୍ୟାଙ୍କ ବୋର୍ଡକୁ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର