ପାକିସ୍ତାନକୁ ଟ୍ରମ୍ପ୍‌ ଝଟକା

ଅନୁଦାନ ବନ୍ଦ କରିବ ଆମେରିକା

ସହାୟତା ବଦଳରେ ମିଳିଛି ମିଛ ଓ ପ୍ରତାରଣା: ଟ୍ରମ୍ପଙ୍କ କ୍ଷୋଭ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆତଙ୍କବାଦ ମୁକାବିଲାରେ ପାକିସ୍ତାନ ସହଯୋଗ କରୁନଥିବାରୁ କଡ଼ା ଭାଷାରେ ଏହାର ସମାଲୋଚନା କରିଛନ୍ତି। ଏହା ସହିତ ଧମକ ଦେଇଛନ୍ତି ଯେ ଇସଲାମାବାଦକୁ ଦିଆଯାଉଥିବା ବାର୍ଷିକ ୨୫ କୋଟି ଡଲାରର ସହାୟତା ବନ୍ଦ କରି ଦିଆଯିବ। ଗତ ୧୫ ବର୍ଷରେ ପାକିସ୍ତାନକୁ ୩୩୦୦ କୋଟି ଡଲାରର ସହାୟତା ଦିଆଗଲାଣି। କିନ୍ତୁ ଏହା ବଦଳରେ ଆମେରିକାକୁ ମିଳିଛି ମିଛ ପ୍ରତିଶ୍ରୁତି ଓ ପ୍ରତାରଣା। ପାକିସ୍ତାନର ଏଭଳି ଆଚରଣକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଦେଇଛନ୍ତି।

ନୂଆବର୍ଷରେ ଟୁଇଟ୍‌ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଆମେରିକାର ନେତାମାନଙ୍କୁ ପାକିସ୍ତାନ ମୂର୍ଖ ବୋଲି ଭାବୁଛି। ଏହି କାରଣରୁ ଗତ ୧୫ ବର୍ଷ ଧରି ଆମକୁ ଠକି ଚାଲିଛି। ଏହି ସମୟ ମଧ୍ୟରେ ପାକିସ୍ତାନକୁ ସହାୟତା ଆମେରିକାର ବୋକାମି ଥିଲା। ପାକିସ୍ତାନ ବିରୋଧରେ ଗୁରୁତର ଅଭିଯୋଗ ଆଣି ସେ କହିଲେ, ଆମେ ଯେଉଁ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ଖୋଜୁଛୁ, ପାକିସ୍ତାନ ସେମାନଙ୍କୁ ଦେଶରେ ଆଶ୍ରୟ ଦେଉଛି। ତେଣୁ ଆତଙ୍କବାଦ ମୁକାବିଲା ବିଶେଷ ଫଳପ୍ରଦ ହେଉନାହିଁ। ପାକିସ୍ତାନର ଏଭଳି ଆଚରଣ ଆଉ ଚଳିବ ନାହିଁ। ଏଥର ଆମେରିକାର ସହାୟତାକୁ ବନ୍ଦ କରିବାକୁ ପଡ଼ିବ।

ଗତ ଶୁକ୍ରବାର ଏହି ଅନୁଦାନ ବନ୍ଦ ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ସୂଚନା ଦେଇଥିବା ବେଳେ ରାଷ୍ଟ୍ରପତିଙ୍କ ଜାତୀୟ ସୁରକ୍ଷା କାଉନସିଲର ଜଣେ ମୁଖପାତ୍ର ମଧ୍ୟ ଏହାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଆମେରିକାର ନେତାମାନଙ୍କୁ ବୋକା ଭାବି ପାକିସ୍ତାନ ଛଳନା କରିଆସିଛି ଏବଂ ଆତଙ୍କବାଦୀଙ୍କ ଲାଗି ଏହାର ମାଟିକୁ ଭୂସ୍ୱର୍ଗରେ ପରିଣତ କରିଛି। ତେଣୁ ଆଉ ନୁହେଁ। ମିଛ ଓ ଛଳନାପାଇଁ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ।

ସୂଚନା ଥାଉ କି, ଗତ ଅଗଷ୍ଟ ମାସରେ ଟ୍ରମ୍ପ୍‌ ତାଙ୍କ ନୂଆ ଦକ୍ଷିଣ ଏସିଆ ଆଭିମୁଖ୍ୟ ଘୋଷଣା କରିବା ସମୟରେ କହିଥିଲେ ଯେ ଆମେରିକାର ଆତଙ୍କବାଦୀ ବିରୋଧ ଲଢ଼େଇରେ ପାକିସ୍ତାନ ସହଯୋଗ ନକଲେ ଏହା ବିରୋଧରେ କଟକଣା ଲାଗୁ ହେବ। କିନ୍ତୁ ପାକିସ୍ତାନ ସେଥିରେ ଟିକିଏ ବି ନଚେତି ପୂର୍ବବତ୍‌ ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ ବଜାୟ ରଖିଲା।

ଏସଂପର୍କରେ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଖ୍ଵାଜା ଆସିଫ କହିଛନ୍ତି ଯେ କିଏ ସତ କହୁଛି ତାହା ଶୀଘ୍ର ଜଣାପଡ଼ିବ। ବିଶ୍ୱ ସମୁଦାୟ ସମ୍ମୁଖରେ ପାକିସ୍ତାନ ସଂପୂର୍ଣ୍ଣ ତଥ୍ୟ ରଖିବ। ସତ କଣ ମିଛ କଣ ତାହା ଜଣାପଡ଼ିବ।

ସମ୍ବନ୍ଧିତ ଖବର