ମୁଲାୟମ, ଅଖିଳେଶଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ମାମଲା

ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ୨ ଜଣ ପ୍ରମୁଖ ନେତା ମୁଲାୟମ ସିଂହ ଯାଦବ ଏବଂ ଅଖିଳେଶ ଯାଦବଙ୍କ ସଙ୍କଟ ବଢ଼ିଯାଇଛି। ଉଭୟ ଅଖିଳେଶ ଏବଂ ମୁଲାୟମଙ୍କ ବିରୋଧରେ ଥିବା ଆୟ ବହିଭୂର୍ତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ କାର୍ଯ୍ୟ କେତେ ଦୂର ଗଲା ସେନେଇ ଆଜି ସିବିଆଇଠୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ଦୁଇ ସପ୍ତାହ ମଧ୍ୟରେ ମାମଲାର ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ ଆଜି ସୁପ୍ରିମ‌କୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ ଏବଂ ଜଷ୍ଟିସ୍‌ ଦୀପକ ଗୁପ୍ତା ସିବିଆଇକୁ ନୋଟିସ୍‌ କରିଛନ୍ତି। ସୂଚନାଯୋଗ୍ୟ ମୁଲାୟମ ସିଂହ ଯାଦବ ଏବଂ ତାଙ୍କର ଦୁଇ ପୁଅଙ୍କ ବିରୋଧରେ ଥିବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତଦନ୍ତ କେଉଁ ପର୍ଯ୍ୟାୟରେ ରହିଛି ଏବଂ କିଭଳି ତଦନ୍ତ ହେଉଛି ସେବାବଦରେ ଜାଣିବାପାଇଁ ଜଣେ କଂଗ୍ରେସ ନେତା ବିଶ୍ବନାଥ ଚତୁର୍ବେଦୀ ସୁପ୍ରିମକୋର୍ଟରେ ଆବେଦନ କରିଥି‌ଲେ। ଏହି କଂଗ୍ରେସ ନେତାଙ୍କ ଆବେଦନକୁ ଆଧାର କରି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ସଂକ୍ରାନ୍ତ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କଂଗ୍ରେକୁ ୟୁପି ମହାମେଣ୍ଟରେ ସାମିଲ କରାଯାଇନଥିବା ବେଳେ ମେଣ୍ଟ ଏବଂ କଂଗ୍ରେସ ମଧ୍ୟରେ ତିକ୍ତତା ବଢ଼ୁଛି।

ସମ୍ବନ୍ଧିତ ଖବର