ଆଧାର ତରଫରୁ ୧୨୭ ବ୍ୟକ୍ତିଙ୍କୁ ଦିଆଯାଇଥିବା ନୋଟିସ୍ ନାଗରିକତା ସଂକ୍ରାନ୍ତରେ ନୁହେଁ
ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ‘ଆଧାର’ କାର୍ଯ୍ୟାଳୟରୁ ୧୨୭ଜଣ ବ୍ୟକ୍ତିଙ୍କ ପାଖକୁ ପଠାଯାଇଥିବା ନୋଟିସ୍ରେ ନାଗରିତକା ପ୍ରସଙ୍ଗରେ ନୁହେଁ ବୋଲି ମଙ୍ଗଳବାର ଦିନ ‘ୟୁଆଇଡିଏଆଇ’ ସ୍ପଷ୍ଟ କରିଛି। ‘ମିଥ୍ୟା ତଥ୍ୟ’ ଦେଇ ସମ୍ପୃକ୍ତ ବ୍ୟକ୍ତିମାନେ ଆଧାର କାର୍ଡ ହାସଲ କରିଥିବା କାରଣରୁ ସେମାନଙ୍କୁ ନୋଟିସ୍ ଦିଆଯାଇଛି। ଆଧାର ନିମୟ ଅନୁସାରେ, ଏହି ଆଧାର ନମ୍ବରଗୁଡ଼ିକୁ ରଦ୍ଦ କରାଯିବା କଥା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ନୋଟିସ ଯୋଗୁଁ ସାଧାରଣରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନଙ୍କର ନାଗରିକତା ରଦ୍ଦ କରାଯାଇଛି ବୋଲି ଅନେକଙ୍କର ଧାରଣା ହୋଇଥିଲା।
ଏହି ଆଧାର ନମ୍ବରଧାରୀମାନେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇଦ୍ରାବଦସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ସେମାନଙ୍କ ପାଖକୁ ନୋଟିସ୍ ଦେଇଛି। ସେମାନେ ଯଦି ଦେଇଥିବା ତଥ୍ୟର ସତ୍ୟତା ପ୍ରତିପାଦନ କରି ପାରନ୍ତି, ତେବେ ସେମାନଙ୍କ ଆଧାର ନମ୍ବର ରଦ୍ଦ କରାଯିବ ନାହିଁ।
ପୁଲିସ୍ ଠାରୁ ରିପୋର୍ଟ ମିଳିବା ପରେ ଏହି ନୋଟିସ ଜାରି ହୋଇଥିବା କଥା ‘ୟୁଆଇଡିଏଆଇ’ କହିଛି। ଏ ସଂକ୍ରାନ୍ତରେ ଏକ ବିବୃତିରେ କୁହାଯାଇଛି ଯେ ଆଧାର ନାଗରିକତାର ଦଲିଲ ନୁହେଁ। ଆଧାର ପାଇଁ ଆବେଦନ କରିବା ପୂର୍ବରୁ ଜଣେ ବ୍ୟକ୍ତି ଭାରତରେ ୧୮୨ ଦିନ ରହିଥିବା ଆବଶ୍ୟକ ବୋଲି ‘ୟୁଆଇଡିଏଆଇ’ ନିୟମ କରିଛି।
ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ବେଆଇନ ପ୍ରବାଶବାସୀଙ୍କୁ ଆଧାର କାର୍ଡ ନ ଦେବାକୁ ସୁପ୍ରିମ୍ କୋର୍ଟ ‘ୟୁଆଇଡିଏଆଇ’କୁ ନିର୍ଦେଶ ଦେଇଥିଲେ।