କୁଖ୍ୟାତ ଛାତ୍ର, ଚମ୍ପିଅନ୍‌ କ୍ରୀଡ଼ାବିତ୍‌, କୁକୁର ପ୍ରେମୀରୁ ଦେଶର ୪୭ତମ ପ୍ରଧାନ ବିଚାରପତି : ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ

ନୂଆଦିଲ୍ଲୀ: ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ, ସଂକ୍ଷେପରେ ଏସ୍‌ ଏ ବୋବ୍‌ଡ଼େ ଆଜି (ସୋମବାର) ଦେଶର ୪୭ତମ ପ୍ରଧାନ ବିଚାରପତି ରୂପେ ଶପଥ ଗ୍ରହଣ କରିବା ସହ ଆଜିଠାରୁ ନିଜର ନୂତନ ପଦବୀରେ କାର୍ଯ୍ୟ ଆରମ୍ଭ କରିଛନ୍ତି। ନାଗପୁରରେ ଜନ୍ମିତ ବୋବ୍‌ଡ଼େ ଆସନ୍ତା ୧୮ ମାସ ପାଇଁ- ୨୩ ଅପ୍ରେଲ ୨୦୨୧ ପର୍ଯ୍ୟନ୍ତ ଦେଶର ପ୍ରଧାନ ବିଚାରପତି ରୂପେ ନିଜର ଦାୟିତ୍ବ ନିର୍ବାହ କରିବେ।

ଜଷ୍ଟିସ୍‌ ବୋ‌ବ୍‌ଡ଼େ ହେଉଛନ୍ତି ବୋଧହୁଏ ଦେଶର ସର୍ବପ୍ରଥମ ପ୍ରଧାନ ବିଚାରପତି ଯିଏକି ଗଣମାଧ୍ୟମ ସହ ମିଶିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥାନ୍ତି। ବୋଧହୁଏ, ସେହି କାରଣରୁ ଦେଶର ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇବା ପରେ ସେ ୱେବ୍‌ ପୋର୍ଟାଲ ‘ଦି ପ୍ରିଣ୍ଟ’ର ପ୍ରତିନିଧି ଓ ଫଟୋଗ୍ରାଫରଙ୍କୁ ଅନୁମତି ପ୍ରଦାନ କରିଥିଲେ ତାଙ୍କ ନ୍ୟାୟାଳୟ ବାହାର ବ୍ୟକ୍ତିଗତ ଜୀବନର କିଛି ଫଟୋଚିତ୍ରକୁ ଉଠାଇବା ପାଇଁ। ଯେଉଁଥିରେ ଜଷ୍ଟିସ୍‌ ବୋବ୍‌ଡ଼େଙ୍କୁ ଦେଖିବାକୁ ମିଳିଥିଲା କୁକୁର ସହ ‌ଖେଳିବା ନିଜ ବଗିଚାର ଗଛରେ ପାଣି ଦେବା, ନାତି ସହ ଖେଳିବା ଆଦି ଭିନ୍ନଭିନ୍ନ ଭୂମିକାରେ।

The Print

୧୯୫୬ରେ ନାଗପୁରରେ ଜନ୍ମଗ୍ରହଣ କରିଥିବା ବୋବ୍‌ଡ଼େଙ୍କ ପରିବାର ଥିଲା ଏକ ଆଇନଜୀବୀ ପରିବାର। ବୋବ୍‌ଡ଼େଙ୍କ ପିତା ଅରବିନ୍ଦ ବୋବ୍‌ଡ଼େ ଥିଲେ ମହାରାଷ୍ଟ୍ରର ଆଡ୍‌ଭୋକେଟ୍‌ ଜେନେରାଲ। ତାଙ୍କ ବଡ଼ ଭାଇ ସ୍ବର୍ଗତ ବିନୋଦ ଅରବିନ୍ଦ ବୋବ୍‌ଡ଼େ ମଧ୍ୟ ଥିଲେ ସୁପ୍ରିମ୍‌ କୋର୍ଟର ଜନୈକ ବରିଷ୍ଠ ଆଇନ୍‌ଜୀବୀ। ବୋବ୍‌ଡ଼େଙ୍କ କଲେଜ ବନ୍ଧୁ ତଥା ନାଗପୁର ଏସ୍‌ଏଫ୍‌ଏସ୍‌ କଲେଜ ଆଲୁମନି ଆସୋସିଏସନ୍‌ର ସଂପାଦକ ଜାଭେଦ୍‌ ଖାନ୍‌ ରାଣା ବୋବ୍‌ଡ଼େଙ୍କ ସଂପର୍କରେ କହନ୍ତି, ‘ସେ ଜଣେ ‘କୁଖ୍ୟାତ ଛାତ୍ର’ (ନୋଟୋରିଅସ୍‌ ଷ୍ଟୁଡେଣ୍ଟ)…. ଏବଂ ଜଣେ ଅତି ଚମ୍ପିଅନ୍‌ କ୍ରୀଡ଼ାବିତ୍‌ ଥିଲା’। ସେହିପରି ୧୯୭୧ରୁ ୧୯୭୫ ପର୍ଯ୍ୟନ୍ତ ବୋବ୍‌ଡ଼େଙ୍କ କଲେଜ ସହପାଠୀ ରହିଥିବା ଡାକ୍ତର ପ୍ରଦୀପ୍‌ ମାଲେୱାର କହନ୍ତି, ‘ସେ ଜଣେ ଅତି ମେଧାବୀ ଛାତ୍ର ନଥିଲା; କିନ୍ତୁ ସାଧାରଣ ଛାତ୍ର ଥିଲା। ହେଲେ, ସେ ବନ୍ଧୁମାନଙ୍କ ଗହଣରେ ଖୁବ୍‌ ମେଳାପୀ ଓ ସାହାଯ୍ୟକାରୀ ଥିଲା। ସେଥିପାଇଁ ତା’ ପଛରେ ସବୁବେଳେ ଗୋଟେ ବଡ଼ ସାଙ୍ଗ ଗୋଷ୍ଠୀ ରହୁଥିଲେ। ମୋର ତା’ ସହ ଖୁବ୍‌ ଭଲ ସଂପର୍କ ଥିଲା। କିନ୍ତୁ, ସେ ସୁପ୍ରିମ୍‌ କୋର୍ଟକୁ ଚାଲିଯିବା ପରେ ଆଉ ସବୁବେଳେ ତା’ ଭେଟ ମିଳିବା ସମ୍ଭବପର ହେଲା ନାହିଁ।’ ‘ସେହିପରି ଆଇନ୍‌ଜୀବୀ ବନ୍ଧୁମାନଙ୍କ ସହ ସେ ସବୁବେଳେ ଥଟ୍ଟାମଜା କରିବା ସହ ଜୁନିୟରମାନଙ୍କୁ ଖୁବ୍‌ ଭଲ ପାଇଥିଲେ। ସେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ୍‌ରେ ସେ ବିଚାରପତି ପଦବୀରେ କାର୍ଯ୍ୟରତ ଥିବା ବେଳେ, ତାଙ୍କୁ ଦିନକ ପାଇଁ ହେଲେ ସୁଦ୍ଧା କେହି ରାଗିବାର ଦେଖିନାହିଁ,’ ବୋଲି କୁହନ୍ତି ବମ୍ବେ ହାଇକୋର୍ଟର ଜନୈକ ଆଇନ୍‌ଜୀବୀ ଆର୍‌ ‌ଦେଶମୁଖ।

The Indian Express

ପ୍ରଥମେ ଏସ୍‌ ଏ ବୋବ୍‌ଡ଼େଙ୍କୁ ୨୦୦୦ ମସିହାରେ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା ପରେ ମୁଖ୍ୟ ବିଚାରପତି ଭାବେ ତାଙ୍କର ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଥିଲା ଏବଂ ଅପ୍ରେଲ ୨୦୧୩ରେ ତାଙ୍କୁ ସୁପ୍ରମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ସୁପ୍ରମ୍‌ କୋର୍ଟର ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ବହୁ ଯୁଗାନ୍ତକାରୀ ରାୟ ପ୍ରଦାନ କରିଥିଲେ। ଆଧାରକୁ ବାଧ୍ୟତାମୂଳକ କରିବା, ଅଯୋଧ୍ୟା ବିବାଦର ସମାଧାନ ପାଇଁ ମଧ୍ୟସ୍ଥି ନିଯୁକ୍ତ କରିବା ଆଦି ବହୁ ଗୁରୁତ୍ବପୂର୍ଣ୍ଣ ରାୟର ଅଂଶ ବିଶେଷ ରହିଥିଲେ ଜଷ୍ଟିସ୍‌ ବୋବ୍‌ଡ଼େ। ଏହାବାଦ୍‌ ୨୦୧୮ରେ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବି‌ରୋଧରେ ଅନ୍ୟ ୪ ଜଣ ବିଚାରପତି ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିରୋଧରେ ଅଭିଯୋଗ କରିବା ପରେ, ସେତେବେଳେ ଯେଉଁ ବିବାଦ ଓ ସଙ୍କଟର ସୂତ୍ରପାତ ହୋଇଥିଲା, ତାହାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବ୍‌ଡ଼େ।

The Print
ସମ୍ବନ୍ଧିତ ଖବର