ସଙ୍କଟରେ ଚିଦମ୍ବରମ୍‌: ‘ଡ୍ରିମ୍‌ ବଜେଟ୍‌’ରୁ ସିବିଆଇ ରିମାଣ୍ଡ

ନୂଆଦିଲ୍ଲୀ: ଏକଦା ଦେଶର ଅର୍ଥ ମନ୍ତ୍ରୀ ଓ ଗୃହମନ୍ତ୍ରୀ ଦାୟିତ୍ବରେ ରହିଥିବା ପଲାନିୟପ୍ପନ ଚିଦମ୍ବରମ ଏବେ ତାଙ୍କ ଜୀବନର ସବୁଠାରୁ ଖରାପ ସମୟ ଦେଇ ଗତି କରୁଥିବା କୁହାଯାଉଛି। ଏକ ସମୟ ଥିଲା, ଯେତେବେଳେ ସିବିଆଇ ତାଙ୍କ ଆଦେଶ ମାନି କାମ କରୁଥିଲା। ଏବେ ସିବିଆଇର ଅଧିକାରୀମାନେ ତାଙ୍କ ବାସଭବନର କାନ୍ଥ ଡେଇଁ ତାଙ୍କୁ ଗିରଫ କରିଛନ୍ତି। ମନି ଲଣ୍ଡ୍ରିଂ ଏବଂ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ପି. ଚିଦମ୍ବରମଙ୍କ ଦୀର୍ଘ ୪୦ ବର୍ଷର ରାଜନୈତିକ ଜୀବନରେ ଏହା ସବୁଠାରୁ ବଡ଼ ଗ୍ରହଣ ଭଳି ହୋଇଛି । କେବେ ଦେଶର ‘ଡ୍ରିମ୍‌ ବଜେଟ୍‌’ ଉପସ୍ଥାପନ କରି ଚର୍ଚ୍ଚାରେ ରହୁଥିବା ଚିଦମ୍ବରମ ଏବେ ଆଇନଏକ୍ସ ମିଡିଆ ଦୁର୍ନୀତି ମାମଲାର ‘କିଙ୍ଗ୍‌ ପିନ୍‌’ ଭାବେ ଚର୍ଚ୍ଚାକୁ ଆସିଛନ୍ତି। ୭୩ ବର୍ଷୀୟ ପି. ଚିଦମ୍ବରମଙ୍କୁ ଏକ ଲମ୍ବା ଆଇନଗତ ଲଢ଼େଇ ଦେଇ ଏବେ ଗତି କରିବାକୁ ହେବ। ମନି ଲଣ୍ଡ୍ରିଂ ଏବଂ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କ ବିରୋଧରେ ଦାଖଲ କରିଥିବା ପ୍ରମାଣରେ ଦମ୍‌ ରହିଛି ଏବଂ ‌ଏହି ଦୁର୍ନୀତିରେ ସେ ହିଁ ମୁଖ୍ୟ ସୂତ୍ରଧର ବୋଲି ହାଇକୋର୍ଟ ରାୟ ଦେବାପରେ ଚିଦମ୍ବରମଙ୍କ ସଙ୍କଟ ବଢ଼ିଯାଇଥିଲା। ଗିରଫଦାରୀକୁ ଏଡ଼ାଇବା ପାଇଁ ତାଙ୍କର ସବୁ ଉଦ୍ୟମ ବିଫଳ ହେବାପରେ ସେ ଗତକାଲି କଂଗ୍ରେସ ମୁଖ୍ୟାଳୟରେ ଅଚାନକ ଆବିର୍ଭାବ ହୋଇ ଗଣମାଧ୍ୟମ ସମ୍ମୁଖରେ ନିଜର ମତ ରଖିଥିଲେ। କିନ୍ତୁ ଆଜି ସିବିଆଇ ଅଦାଲତରେ ତାଙ୍କର ପ୍ରଭାବଶାଳୀ ଓକିଲମାନଙ୍କ କୌଣସି ଯୁକ୍ତିକୁ ବିଚାରପତି ଗ୍ରହଣ କରିନଥିଲେ ଏବଂ ବର୍ତ୍ତମାନ ଉପଲବ୍ଧ ପ୍ରମାଣ ଆଧାରରେ ଅଧିକ ଜେରା ପାଇଁ ୫ ଦିନ ସିବିଆଇ ରିମାଣ୍ଡରେ ପଠାଇ ଦେଇଛନ୍ତି। ବାମପନ୍ଥୀ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିବା ପି ଚିଦମ୍ବରମ ୧୯୬୭ରେ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୬୯ ଏବଂ ୧୯୮୪ରେ ଯେତେବେଳେ କଂଗ୍ରେସରେ ବିଭାଜନ ଘଟିଥିଲା ସେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କ ବିଶ୍ବସ୍ତ ଭାବେ ପରିଗଣିତ ହୋଇଥିଲେ। ସମୟକ୍ରମେ ଚିଦମ୍ବରମ ଗାନ୍ଧୀ ନେହରୁ ପରିବାରର ଅତ୍ୟନ୍ତ ବିଶ୍ବସ୍ତ ହୋଇଥିଲେ। ରାଜୀବ ଗାନ୍ଧୀ ସରକାରରେ ସେ ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ନରସିଂହ ରାଓଙ୍କ କାର୍ଯ୍ୟକାଳରେ ମଧ୍ୟ ସେ ମନ୍ତ୍ରୀ ରହିଥିଲେ। ତେବେ ୧୯୯୬ରେ ସେ ଦଳୀୟ ମତଭେଦ କାରଣରୁ ଦଳ ଛାଡ଼ି ନୂଆ ଦଳ ଗଠନ କରିଥିଲେ। ଏହାର ବର୍ଷକ ପରେ ସେ ୧୩ଟି ଦଳର ମିଳିତ ସରକାରରେ ଅର୍ଥ ମନ୍ତ୍ରୀ ହୋଇଥିଲେ। ଏହି ସମୟରେ ସେ ଦେଶକୁ ‘ଡ୍ରିମ୍‌ ବଜେଟ୍‌’ ଦେଇଥିଲେ। ମନମୋହନ ସିଂହଙ୍କ ସରକାରରେ ସେ ଗୃହମନ୍ତ୍ରୀ ଏବଂ ଅର୍ଥ ମନ୍ତ୍ରୀ ପଦରେ ରହିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଅର୍ଥ ମନ୍ତ୍ରୀ ଥିଲେ। ଡିସେମ୍ବର ୨୦୦୮ରୁ ଜୁଲାଇ ୨୦୧୨ ପର୍ଯ୍ୟନ୍ତ ସେ ଗୃହ ମନ୍ତ୍ରୀ ରହିଥିଲେ। ଏହା ପରେ ପୁଣି ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଦାୟିତ୍ବ ତୁଲାଇଥିଲେ।

ଆଇଏନ୍‌ଏକ୍ସ ମିଡିଆ ମାମଲା ଏବଂ ଚିଦମ୍ବରମ
ମେ’ ୧୫, ୨୦୧୭: ୨୦୦୭ ମସିହାରେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପାଣ୍ଠି ନିବେଶ ପାଇଁ ମିଳିଥିବା ଏଫ୍‌ଆଇପିବି ମଂଜୁରିରେ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ଏଫ୍‌ଆଇର ରୁଜୁ କରିଥିଲା।
ମେ, ୨୦୧୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ମନି ଲଣ୍ଡ୍ରିଂ ମାମଲା ରୁଜୁ କଲା। ସିବିଆଇ ଜେରା ପାଇଁ ଚିଦମ୍ବରମ୍‌ଙ୍କୁ ସମନ୍‌ କରାଗଲା।
ମେ’ ୩୦: ସିବିଆଇ ଦ୍ବାରା ରୁଜୁ ଦୁର୍ନୀତି ମାମଲାରେ ଆଗୁଆ ଜାମିନ ଆବେଦନ ଦାବି କରି ଚିଦମ୍ବରମ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ଜୁଲାଇ ୨୩: ଇଡିର ମନି ଲଣ୍ଡ୍ରିଂ ମାମଲାରେ ଚିଦମ୍ବରମ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଜୁଲାଇ ୨୫: ଦୁଇଟି ମାମଲାରେ ହାଇକୋର୍ଟ ଚିଦମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ।
ଜାନୁଆରି ୨୫, ୨୦୧୯: ଦୁଇଟି ଯାକ ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ।
ଅଗଷ୍ଟ ୨୦: ଆଗୁଆ ଜାମିନ ଆବେଦନ ହାଇକୋର୍ଟଙ୍କ ଦ୍ବାରା ଖାରଜ ହୋଇ ଯାଇଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟା‌ଲେଂଜ କରି ଚିଦମ୍ବରମ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ।
ଅଗଷ୍ଟ ୨୧: ହାଇ ଡ୍ରାମା ଭିତରେ ଚିଦମ୍ବରମଙ୍କୁ ସିବିଆଇ ଗିରଫ କଲା।
ଅଗଷ୍ଟ ୨୨: ଚିଦମ୍ବରମଙ୍କୁ ୫ ଦିନ ସିବିଆଇ ରିମାଣ୍ଡ୍‌ରେ ପଠାଗଲା।

ନିଜେ ଉଦ୍‌ଘାଟନ କରିଥିବା ସିବିଆଇ ମୁଖ୍ୟାଳୟରେ ରାତି ବିତାଇଲେ
ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଗତ ରାତିରେ ଗିରଫ ହେବାପରେ ତାଙ୍କୁ ସିବିଆଇ ମୁଖ୍ୟାଳୟରେ ରଖାଯାଇଥିଲା। ତେବେ ୨୦୧୧ ମସିହାରେ ଦିଲ୍ଲୀର ଲୋଧି ରୋଡ୍‌ ସ୍ଥିତ ଏହି ସିବିଆଇ ମୁଖ୍ୟାଳୟକୁ ଚିଦମ୍ବରମ୍‌ ହିଁ ଉଦ୍‌ଘାଟନ କରିଥିଲେ। ସେ ସମୟରେ ଚିଦମ୍ବରମ୍‌ କେନ୍ଦ୍ର ଗୃହ ମନ୍ତ୍ରୀ ଥିଲେ। ସିବିଆଇ ମୁଖ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ୮ ବର୍ଷ ପରେ ଏହି ସିବିଆଇ ମୁଖ୍ୟାଳୟର ଗେଷ୍ଟ୍‌ ହାଉସ୍‌ରେ ଚିଦମ୍ବରମ ଗୋଟିଏ ରାତି କଟାଇଛନ୍ତି। ୭୩ ବର୍ଷୀୟ ଚିଦମ୍ବରମଙ୍କୁ ସିବିଆଇ ଗେଷ୍ଟ୍‌ ହାଉସ୍‌ର ୫ ନମ୍ବର ପ୍ରକୋଷ୍ଠରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର