ଏଣିକି ସୈନିକ ସ୍କୁଲରେ ବାଳିକାମାନେ ପଢିପାରିବେ, ୨୦୨୧-୨୨ ଶିକ୍ଷା ବର୍ଷରୁ ନାମଲେଖା

ନୂଆଦିଲ୍ଲୀ : ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢିପାରିବେ । ଏଥିଲାଗି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅନୁମତି ଦେଇଛନ୍ତି । ଆସନ୍ତା ୨୦୨୧-୨୨ ଶିକ୍ଷା ବର୍ଷରୁ ଦେଶର ବିଭିନ ସ୍ଥାନରେ ଥିବା ସୈନିକ ସ୍କୁଲରେ ବାଳିକାମାନଙ୍କୁ ଗ୍ରହଣ କରାଯିବ ।

କେନ୍ଦ୍ର ସରକାର ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେଉଥିବାରୁ ସୈନିକ ସ୍କୁଲଗୁଡ଼ିକରେ ବାଳିକାମାନଙ୍କୁ ଅନୁମତି ଦେବାକୁ କେନ୍ଦ୍ର ସରକାର କିଛି ବର୍ଷ ତଳେ ନୀତିଗତ ନିଷ୍ପତ୍ତି ନେଇଥିଲେ । ଏହା ଅନୁଯାୟୀ ଦୁଇ ବର୍ଷ ତଳେ ଏକ ପାଇଲଟ ପ୍ରକଳ୍ପ ମିଜୋରାମର ଛିଙ୍ଗଚିପ ସୈନିକ ସ୍କୁଲରେ ଆରମ୍ଭ କରାଯାଇ ବାଳିକାମାନଙ୍କୁ ଅନୁମତି ଦିଆଯାଇଥିଲା । ଏହି ପାଇଲଟ ପ୍ରକଳ୍ପର ସଫଳତା ପରେ ସାରା ଦେଶରେ ଏହାକୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସୈନିକ ସ୍କୁଲଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ମହିଳା କର୍ମଚାରୀ ନିଯୁକ୍ତ କରିବାକୁ ରାଜନାଥ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଓଡ଼ିଶାର ଭୁବନେଶ୍ୱରରେ ଏକ ସୈନିକ ସ୍କୁଲ ରହିଛି । ସାରା ଭାରତରେ ମୋଟ ୨୬ଟି ସୈନିକ ସ୍କୁଲ ରହିଛି ।

ସମ୍ବନ୍ଧିତ ଖବର