ଜାତିସଂଘ ଜଳବାୟୁ ସମ୍ମିଳନୀରେ ମୋଦୀ, ଏବେ କାମ କରିବାର ବେଳ

ନୂଆଦିଲ୍ଲୀ: ହଷ୍ଟନ୍‌ରେ ‘ ହାଓଡି ମୋଦୀ’ କାର୍ଯ୍ୟକ୍ରମ ଶେଷ ପ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ ଅନ୍ତର୍ଗତ ନ୍ୟୁୟର୍କରେ ଜାତିସଂଘ ଜଳବାୟୁ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି। ମୋଦୀ କହିଛନ୍ତି , ଜଳବାୟୁ ସଙ୍କଟକୁ ନିୟନ୍ତ୍ରଣ କରିବାପାଇଁ ସାରା ବିଶ୍ବ ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁନାହିଁ। ‌ ତେବେ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଏବେ ଆଉ କିଛି କହିବାର ସମୟ ନାହିଁ, ଏବେ କେବଳ କାମ କରିବାର ବେଳ ଆସିଛି ବୋଲି ମୋଦୀ କହିଛନ୍ତି। ଜଳବାୟୁ ସଙ୍କଟର ମୁକାବିଲା ଦିଗରେ ଭାରତ ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁଥିବା ଦର୍ଶାଇ ମୋଦୀ କହିଛନ୍ତି, ଆମେ ୧୫ କୋଟି ପରିବାର ପାଇଁ ସ୍ବଚ୍ଛ ଜାଳେଣି ଗ୍ୟାସ୍ ସଂ‌‌‌ଯୋଗ କରିଛୁ। ଜଳ ସମ୍ପଦ ବିକାଶ, ଜଳ ସଂରକ୍ଷଣ ଏବଂ ବର୍ଷା ଜଳ ସଂରକ୍ଷଣ ପାଇଁ ଆମେ ଜଳ ଜୀବନ ମିସନ୍‌ ଆରମ୍ଭ କରିଛୁ । ଆସନ୍ତା ସ୍ବାଧୀନତା ଦିବସରେ ଭାରତ ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ମୋଦୀ ଦୃ‌ଢ଼ୋକ୍ତି ବାଢ଼ିଛନ୍ତି। ଭାରତର ସୌର ଅଭିଯାନରେ ୮୦ ଦେଶ ସାମିଲ ଅଛନ୍ତି ବୋଲି ମୋଦୀ କହିଛନ୍ତି। ଅଧିବେଶନରେ ମୋଦୀ ଅକ୍ଷୟ ଶକ୍ତିର ବ୍ୟବହାର ଉପ‌ରେ ଗୁରୁତ୍ବାରୋପ କରିଛନ୍ତି। ପରିସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଥିବାରୁ ମୋଦୀ ପରିବେଶ ସୁରକ୍ଷା ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବିଶ୍ବ‌ନେତାମାନଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର