ଏଣିକି ବଳ କଷାକଷି, ରାଜସ୍ଥାନ ବିଜେପି ପାଇଁ ବଡ଼ ଚ୍ୟାଲେଂଜ

କେସିଆର୍‌ଙ୍କ ପାଇଁ ସମ୍ମାନର ଲଢ଼େଇ, କଂଗ୍ରେସ ପାଇଁ କର ବା ମର ସ୍ଥିତି

ନୂଆଦିଲ୍ଲୀ: ନିର୍ବାଚନ କମିସନ ଆଜି ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମିଜୋରାମ୍‌ରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭୋଟର୍‌ମାନଙ୍କୁ କିଭଳି ନିଜ ସପକ୍ଷରେ ଟାଣିବେ ‌େସଥିପାଇଁ ଦଳଗୁଡ଼ିକ ଯୋଜନା ଓ ରଣନୀତି ଆରମ୍ଭ କରିଦେଲେଣି। ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ମାତ୍ରେ ହିଁ ବଳ କଷାକଷି ଆରମ୍ଭ ହୋଇଯାଇଛି। ବିଶେଷକରି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହି ୫ଟି ରାଜ୍ୟର ନିର୍ବାଚନକୁ ସେମି ଫାଇନାଲ ଭାବେ ବିବେଚିତ କରାଯାଉଛି। ଏଥିପାଇଁ ଦଳଗୁଡ଼ିକ ଜୋର୍‌ଦାର ରଣନୀତି ସହ ମଇଦାନକୁ ଆସିବାକୁ ତୟାର ହେଉଛନ୍ତି। ରାଜସ୍ଥାନରେ ଗତଥର ବିଜେପି ନିର୍ବା‌ଚନ ଜିତି ଶାସନ କ୍ଷମତା ହ‌ାତକୁ ନେଇଥିଲା। କିନ୍ତୁ ଚଳିତଥର ବିଜେପି ଓ କଂ‌େଗ୍ରସ ମଧ୍ୟରେ କଡ଼ା ମୁକାବିଲା ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନରେ ନିର୍ବ‌ାଚନ ବିଗୁଲ ବଜାଇ ଭୋଟର୍‌ମାନଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି। ରାଜସ୍ଥାନର ମୋଟ ୨୦୦ ବିଧାନସଭା ଆସନ ମଧ୍ୟରୁ ବିଜେପି ଗତଥର ୧୬୦ ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇଥି‌ଲା। ଅନ୍ୟପକ୍ଷରେ କଂଗ୍ରେସକୁ ୨୫ ଓ ଅନ୍ୟ ଦଳଗୁଡ଼ିକୁ ୧୫ ଆସନ ମିଳିଥିଲା।

ଛତିଶଗଡ଼ରେ ମଧ୍ୟ ଗତ ବିଧାନସଭା ନିର୍ବ‌ାଚନରେ ବିଜେପି ବିଜୟ ହାସଲ କରିଥିଲା ଏବଂ ରମଣ ସିଂହ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେହି ସମୟଠାରୁ ଏଠାରେ ବିଜେପି କ୍ଷମତାରେ ରହିଛି। ଏଠା‌େର କଂଗ୍ରେସ ପ୍ରମୁଖ ବିରୋଧୀ ଦଳ ରହିଛି। ସେ ସମୟରେ ବିଜେପିକୁ ୪୯ ଓ କଂଗ୍ରେସକୁ ୩୯ ଆସନ ମିଳିଥିଲା। ଛତିଶଗଡ଼ରେ ପ୍ରଥମେ କଂଗ୍ରେସ ରାଜ୍ କରୁଥିଲା ଏବଂ ଅଜିତ୍ ଯୋଗୀ ମୁଖ୍ୟମନ୍ତ୍ରୀ ଥି‌େଲ। କିନ୍ତୁ ଏହା ପରଠାରୁ ୨୦୦୩ରୁ ବିଜେପି ନିର୍ବାଚନ ଜିତିଆସିଛି ଏବଂ ରମଣ ସିଂହ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଠାରେ କଂଗ୍ରେସ ପାଇଁ କମ୍ ସୁଯୋଗ ରହିଛି। ପୂର୍ବତନ କଂଗ୍ରେସ ନେତା ଅଜିତ୍ ଯୋଗୀ ଏଠାରେ ନିଜ ଦଳ ଛତିଶଗଡ଼ ଜନତା କଂଗ୍ରେସ ଗଠନ କରିଛନ୍ତି ଏବଂ ମାୟାବତୀ ଏହି ରାଜ୍ୟରେ କଂଗ୍ରେସ ପରିବର୍ତ୍ତେ ଅଜିତ୍ ଯୋଗୀଙ୍କ ସହିତ ହାତ ମିଳାଇଛନ୍ତି। ଫଳରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତେଲେଙ୍ଗାନାର ଗତ ବିଧାନସଭା ନିର୍ବାଚନ ଆନ୍ଧ୍ର ପ୍ରଦେଶର ବିଧାନସଭା ଏବଂ ଦେଶର ଲୋକସଭା ନିର୍ବାଚନ ସହିତ ହୋଇଥିଲା। ଏହାର କିଛି ମାସ ପୂର୍ବରୁ ଆନ୍ଧ୍ର ଓ ତେଲେଙ୍ଗାନା ଅଲଗା ହୋଇଥିଲେ। ତେଲେଙ୍ଗାନାରେ ଟିଆର୍‌ଏସ୍‌ ଏକତରଫା ବିଜୟ ହ‌ାସଲ କରିଥିଲା ଏବଂ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏଠାରେ କଂଗ୍ରେସର ସ୍ଥିତି ଦୁଇନମ୍ବର ରହିଥିବା ବେଳେ ଅସଉଦ୍ଦିନ୍ ଅୱେସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ମଧ୍ୟ ରହିଛି। ଏହାଛଡ଼ା ଏଠାରେ ଆନ୍ଧ୍ରର ଶାସକ ଦଳ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି)କୁ ମଧ୍ୟ ଦେଖିବାକୁ ମିଳିବ। ଉଲ୍ଲେଖଯୋଗ୍ୟ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗତ ସେପ୍ଟେମ୍ବରରେ ବିଧାନସଭା ଭାଙ୍ଗି ଦେଇଥିଲେ। ଫଳରେ ଏଠାରେ ୯ ମାସ ପୂର୍ବରୁ ନିର୍ବାଚନ ହେବ। ଏଠାରେ ଟିଆର୍ଏସ୍‌ ବିରୋଧରେ କଂଗ୍ରେସ-ଟିଡିପି ମେଣ୍ଟ ଲଢ଼ିପାରେ ବୋଲି ଆଶା କରାଯାଉଛି। ମଧ୍ୟପ୍ରଦେଶରେ ଗତ ୧୫ ବର୍ଷ ହେଲା ବିଜେପି ସରକାର ଚାଲୁଛି। ୨୦୦୫ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନ୍‌ଙ୍କର ଏହା ତୃତୀୟ କାର୍ଯ୍ୟକାଳ। ଏଥର ନିର୍ବାଚନରେ ମଧ୍ୟ ଏଠାରେ ବିଜେପି ପୁଣି କ୍ଷମତାକୁ ଆସିବ ବୋଲି କୁହାଯାଉଛି। ଏଠାରେ କଂଗ୍ରେସ ଅନ୍ୟ ‌ଦଳ ସହିତ ମେଣ୍ଟ କରିବା ଆଶାରେ ଥିଲା। କିନ୍ତୁ ମାୟାବତୀ ନିକଟରେ କଂଗ୍ରେସ ସହିତ ମେଣ୍ଟ କରିବ ନାହିଁ ବୋଲି ଘୋଷଣା କରିବା ପରେ କଂଗ୍ରେସକୁ ଝଟ୍‌କା ଲାଗିଛି। ଅନ୍ୟପକ୍ଷରେ ବିଜେପି ପାଇଁ ରାସ୍ତା ସହଜ ହୋଇଯାଇଛି। ଉତ୍ତର ପୂର୍ବ ରାଜ୍ୟ ମିଜୋରାମ୍‌ରେ କଂଗ୍ରେସର ଆଧିପତ୍ୟ ରହିଛି। ଯଦିଓ ଏଠାରେ ମିଜୋ ନ୍ୟାସ୍‌ନାଲ୍‌ ଫ୍ରଣ୍ଟ (ଏମ୍‌ଏନ୍‌ଏଫ୍‌) ଦୁଇଥର ଶାସନ କରିଛି, ତଥାପି କଂଗ୍ରେସର ଅଧିକ କ୍ଷମତା ଏଠାରେ ରହିଛି। କିନ୍ତୁ ଏଥର ରାଜନୈତିକ ସମୀକରଣ ବଦଳିପାରେ ‌ଏବଂ ବିଜେପିକୁ କିଛି ଫାଇଦା ମିଳିପାରେ ବୋଲି କୁହାଯାଉଛି। ଏଠାରେ ଅନ୍ୟ କୌଣସି ଦଳ କ୍ଷମତାକୁ ଆସିନାହାନ୍ତି।

ରାଜନେତା ସବୁଥି‌େର ରାଜନୀତି ଦେଖନ୍ତି
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପାଇଁ ସାମ୍ବାଦିକ ସମ୍ମିଳନୀକୁ କିଛି ଘଣ୍ଟା ଘୁଞ୍ଚାଇ ଦିଆଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ନିର୍ବାଚନ କମିସନ୍ (ଇସି) ଏ ନେଇ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ‌ନାହିଁ ବୋଲି କହିଛନ୍ତି। ଏ ବାବଦରେ କଂଗ୍ରେସର ବରିଷ୍ଠ ‌େନତା ରଣଦୀପ ସୁର୍ଯେୱାଲା ପ୍ରଶ୍ନ ଉଠାଇବା ପରେ ମୁଖ୍ୟ ନିର୍ବାଚନ କମିସନର ଓ ପି ରାୱତ୍ କହିଛନ୍ତି, ରାଜନେତାମାନେ ହେଉଛନ୍ତି ରାଜନୈତିକ ପ୍ରାଣୀ ଏବଂ ସେମାନଙ୍କର ଏହି ରାଜନୈତିକ ପ୍ରକୃତି ଯୋଗୁ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ରାଜନୀତିକୁ ହିଁ ଦେଖିଥାନ୍ତି। ଆମେ ଏ ବାବଦରେ କୌଣସି ଜବାବ ‌େଦବାକୁ ଚାହୁନାହୁଁ ବୋଲି ରାୱତ୍ କହିଛନ୍ତି। ତେବେ ଅନ୍ତିମ ସମୟରେ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ହେବାରୁ ସେଥିପାଇଁ ସେ କ୍ଷମାପ୍ରାର୍ଥନା କରିଛନ୍ତି। ତେଲେଙ୍ଗାନା ଭୋଟର ତାଲିକା ଉପରେ ଅଧିକ ମୂଲ୍ୟାୟନ, ଉପନିର୍ବାଚନ ବିଳମ୍ବିତ କରିବା ନେଇ ଏକ ରାଜ୍ୟର ଅନୁରୋଧ ଆଦିକୁ ମୁଖ୍ୟ କାରଣ ଭାବେ ଇସି ଦର୍ଶାଇଛନ୍ତି।

ମହାମେଣ୍ଟ ଏକ ବିଫଳ ଚିନ୍ତାଧାରା
ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକର ମହାମେଣ୍ଟ ଏକ ବିଫଳ ଚିନ୍ତାଧାରା। ଏହାର ମୂଳଦୁଆ ଅସ୍ଥିର ଏବଂ ଏହା କ୍ଷଣସ୍ଥାୟୀ। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଶନିବାର ଏଭଳି କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବା ଅବସରରେ ଜେଟ୍‌ଲି କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଏହି ନିର୍ବାଚନ ବିରୋଧୀ ଦଳଗୁଡ଼ିକର ମହାମେଣ୍ଟ ଏବଂ ବିଜେପିର ସ୍ଥିରତା ଓ ସୁସଙ୍ଗତ ପ୍ରତିଶ୍ରୁତିବଦ୍ଧତା ମଧ୍ୟରେ ହେବ। ଏହି ମହାମେଣ୍ଟକୁ ନିର୍ବାଚନରେ ଚୟନ କରି ଦେଶର ଆଶାବାଦୀ ସମାଜ ଆତ୍ମହତ୍ୟା କରିବ ନା‌ହିଁ। ବରଂ ବିଜେପିକୁ ସମର୍ଥନ କରି ସମାଜ ଆଗେଇ ପାରିବ। ଉଲ୍ଲେଖଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ ବିରୋଧୀମାନେ ମହାମେଣ୍ଟ ଉପରେ ଭରସା କରୁଥିବା ବେଳେ ଜେଟ୍‌ଲି ଏଭଳି ମନ୍ତବ୍ୟ ଦେଇ ରାଜନୀତିକୁ ସରଗରମ କରିଛନ୍ତି।

ନଭେମ୍ବର ୩ରେ କର୍ଣ୍ଣା‌ଟକ ଉପନିର୍ବାଚନ
ନୂଆଦିଲ୍ଲୀ‌: ଆସନ୍ତା ମାସ ୩ ତାରିଖରେ କର୍ଣ୍ଣାଟକର ବେଲ୍ଲାରି, ସିମୋଗା ଓ ମାଣ୍ଡ୍ୟା ଲୋକସଭା ଆସନ ପାଇଁ ଉପନିର୍ବା‌ଚନ ହେବ ବୋଲି ନିର୍ବାଚନ କମିସନ୍ ଘୋଷଣା କରିଛନ୍ତି। କିନ୍ତୁ ଓଡ଼ିଶାରେ ଖାଲିପଡ଼ିଥିବା ଲୋକସଭାର ଗୋଟିଏ ଓ ଆନ୍ଧ୍ର ପ୍ରଦେଶର ୫ଟି ଆସନ ପାଇଁ ଉପନିର୍ବାଚନ ହେବନାହିଁ। ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ୨୦୧୯ ଜୁନ୍ ୩ ତାରିଖରେ ଶେଷ ହେଉଛି। କର୍ଣ୍ଣାଟକର ବେଲ୍ଲାରି, ସିମୋଗା ଏବଂ ମାଣ୍ଡ୍ୟା ଲୋକସଭା ଆସନରୁ ୩ ଜଣ ଇସ୍ତଫା ଦେଇଛନ୍ତି ଏବଂ ଏହାକୁ ବାଚସ୍ପତି ଗ୍ରହଣ କରିଥିଲେ। ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଲୋକସଭାରୁ ୫ ୱାଇଏସ୍‌ଆର୍ କଂଗ୍ରେସ ସାଂସଦ ଇସ୍ତଫା ଦେଇଥିଲେ। ବିଜେଡିର ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ସଭ୍ୟ ପଦରୁ ଜୁନ୍ ୧୨ରେ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫାକୁ ଜୁଲାଇ ୧୮ରେ ବାଚସ୍ପତି ଗ୍ରହଣ କରିଥିଲେ। ଷୋଡ଼ଶ ଲୋକସଭା ଅବଧି ଶେଷ ହେବାର ବର୍ଷକରୁ କମ୍ ସମୟ ଥିବା ଯୋଗୁ ଆନ୍ଧ୍ର ପ୍ରଦେଶର ୫ ଏବଂ ଓଡ଼ିଶାର ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବ‌ାଚନ ହେବନାହିଁ ବୋଲି ନିର୍ବାଚନ କମିସନ୍ କହିଛନ୍ତି।

ସମ୍ବନ୍ଧିତ ଖବର