ଏବେ ଉଡ଼ନ୍ତୁ ମେଡ୍‌-ଇନ-ଇଣ୍ଡିଆ ବିମାନରେ

ନୂଆଦିଲ୍ଲୀ: ଏବେ ପ୍ରଥମ ଥର ପାଇଁ ଆମ ଲୋକମାନେ ମେଡ୍‌-ଇନ-ଇଣ୍ଡିଆ ବିମାନରେ ଉଡ଼ିପାରିବେ । ଆମ ଦେଶରେ ବିମାନ ସେବା ପାଇଁ ମୁଖ୍ୟତଃ ବିଦେଶ ନିର୍ମିତ ବିମାନ ବ୍ୟବହାର କରାଯାଏ । ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ହେଲେ ବୋଇଂ ଓ ଏୟାରବସ୍‌ । କିନ୍ତୁ ଭାରତ ଏ କ୍ଷେତ୍ରରେ  ପଛୁଆ ରହିଆସିଥିଲା । କିନ୍ତୁ ଏବେ ଧୀରେ ଧୀରେ ପରିସ୍ଥିତିରେ ଉନ୍ନତି ଆସୁଛି । ଭାରତରେ ନିର୍ମିତ ବିମାନ ଏବେ ଲୋକମାନଙ୍କୁ ସେବା ଯୋଗାଇବାକୁ ପ୍ରସ୍ତୁତ ହୋଇଗଲାଣି । ରାଷ୍ଟ୍ରାୟତ କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ (ହାଲ୍‌)ଦ୍ୱାରା ନିର୍ମିତ ଡୋନିୟର-୨୨୮ ବିମାନକୁ ଡିଜିସିଏ ପକ୍ଷରୁ ବେସାମରିକ ଉଡ଼ାଣ ପାଇଁ ଅନୁମତି ଦିଆଯାଇଛି ।

ଡୋନିୟର-୨୨୮ ବିମାନରେ ମାତ୍ର ୧୯ ଜଣ ଲୋକ ବସିପାରିବେ । ଏହା ପୂର୍ବରୁ ଏହି ବିମାନକୁ କେବଳ ସେନାବାହିନୀର ଲୋକମାନେ ବ୍ୟବହାର କରୁଥିଲେ । କିନ୍ତୁ ଏବେ ପ୍ରଥମ ଥର ପାଇଁ ଭାରତ ନିର୍ମିତ ବିମାନରେ ଲୋକମାନେ ଉଡ଼ିବାକୁ ସୁଯୋଗ

ପାଇପାରିବେ । ବିଶେଷକରି କେନ୍ଦ୍ର ସରକାରଙ୍କ ଉଡ଼ାନ ସ୍କିମ ପାଇଁ ଲାଇସେନ୍ସ ପାଇଥିବା କମ୍ପାନିମାନେ ଏସବୁ ବିମାନ ଗୁଡିକ ବ୍ୟବହାର କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଉଡ଼ାନ ( ଉଡେ ଦେଶ କା ଆମ ନାଗରିକ୍‌ ବା ଦେଶର ସାଧାରଣ ଜନତା ବିମାନ ସେବାର ସୁଯୋଗ ପାଆନ୍ତୁ) ସ୍କିମ୍‌ରେ ସରକାର ଦେଶର ବିମାନ ସେବା ପହଞ୍ଚିନଥିବା ଛୋଟ ସହରଗୁଡିକୁ ବିମାନସେବା ମାଧ୍ୟମରେ ଯୋଡିବାକୁ ଯୋଜନା କରିଛନ୍ତି । ଏହି ସ୍କିମରେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ବିମାନ ସେବା ଯୋଗେଇ ଦିଆଯିବ । ଏହି ସ୍କିମ୍‌ରେ ୧ ଘଣ୍ଟାର ଉଡ଼ାଣ ପାଇଁ ସର୍ବାଧିକ ଭଡ଼ା ୨୫୦୦ ଟଙ୍କା ରଖାଯାଇଛି । ପ୍ରଥମ ଦଫାରେ ଏୟାର ଓଡ଼ିଶା, ଏୟାର ଡେକ୍କାନ, ସ୍ପାଇଶ ଜେଟ୍‌ ଆଦି କମ୍ପାନି ଲାଇସେନ୍ସ ପାଇଛନ୍ତି ।

ସମ୍ବନ୍ଧିତ ଖବର