ଏଣିକି ଆଞ୍ଜେଲ ପ୍ରିୟା ନାଁରେ ଫେସବୁକ୍‌ ଆକାଉଣ୍ଟ ଖୋଲିପାରିବନି ଶୁକୁଟି ସାହୁ !

ଫେସବୁକ ଆକାଉଣ୍ଟ ପାଇଁ  ବି ଆବଶ୍ୟକ ହେବ ଆଧାର !

ନୂଆଦିଲ୍ଲୀ:  ଏଣିକି ଫେସବୁକ୍‌ରେ ଫେକ୍‌ ବା ନକଲି ଆକାଉଣ୍ଟ ଖୋଲିବା ବେଶ୍‌ କଷ୍ଟକର ହୋଇଯିବ । କାରଣ ଫେସବୁକ ଆକାଉଣ୍ଟ ଖୋଲିବା ପୂର୍ବରୁ ଆପଣଙ୍କୁ ଆଧାର କାର୍ଡ ଦରକାର ପଡ଼ିପାରେ । ଫେସ୍‌ବୁକରେ ନକଲି ଆକାଉଣ୍ଟ ମାଧ୍ୟମରେ ଅନେକ ଅପରାଧ ଘଟୁଥିବାରୁ ତାହାର ନିୟନ୍ତ୍ରଣ ପାଇଁ ଫେସବୁକ୍‌  ଏପରି ଯୋଜନା କରୁଥିବା ଖବର ମିଳିଛି।

ଆମ ଦେଶରେ ଆଧାର କାର୍ଡ ଲିଙ୍କ୍‌ ନେଇ ବିବାଦ ଚାଲିଥିବା ବେଳେ ଫେସବୁକ୍‌ ମଧ୍ୟ ଆଧାର ବ୍ୟବହାର କରିବା ବିଷୟ ବେଶ ଚର୍ଚ୍ଚାର ବିଷୟ  ହୋଇଛି । ତେବେ ଫେସବୁକ୍‌ ଏବେ ଅଧାର କାର୍ଡ ବ୍ୟବହାରକୁ ବାଧ୍ୟତାମୂଳକ କରିନାହିଁ । କେବଳ ପରୀକ୍ଷାମୂଳକଭାବେ ଆଧାର କାର୍ଡରେ ଥିବା ନାଁ ବ୍ୟବହାର ପାଇଁ ଏହା ୟୁଜର ମାନଙ୍କୁ କହୁଛି । ଏହା ମଧ୍ୟ ଇଚ୍ଛାଧୀନ ରହିଛି । କିନ୍ତୁ ଆଗାମୀ ଦିନରେ କମ୍ପାନି ଏହାକୁ ବାଧ୍ୟତାମୂଳକ କରିବାର ସମ୍ଭାବନାକୁ ଅସ୍ୱୀକାର କରାଯାଇପାରିବ ନାହିଁ ।

ଆମଦେଶରେ ବିଭିନ୍ନ ସରକାରୀ ଯୋଜନା ଓ ପରିଚୟ ପତ୍ରରେ ଆଧାରକାର୍ଡ ଲିଙ୍କ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ସେଗୁଡିକ ମଧ୍ୟରେ ରହିଛି ବ୍ୟାଙ୍କଖାତାଠାରୁ ଆରମ୍ଭ କରି ମୋବାଇଲ ସିମ୍‌ କାର୍ଡ ପର୍ଯ୍ୟନ୍ତ । କିନ୍ତୁ ଏକ ସୋସିଆଲ ନେଟଓ୍ଵାର୍କ ସାଇଟ୍‌ ଆଧାରକାର୍ଡ ବ୍ୟବହାର କରିବା ଏହା ହେଉଛି ପ୍ରଥମ ।

ଫେସବୁକ୍‌ ଭାରତରେ ସବୁଠାରୁ ଲୋକପ୍ରିୟ ସୋସିଆଲ ନେଟଓ୍ଵାର୍କିଂ ସାଇଟ୍‌ ହୋଇଥିବାବେଳେ ଆମେରିକା ପଛକୁ ଭାରତ ହେଉଛି ଫେସ୍‌ବୁକ ପାଇଁ ୨ୟ ବୃହତ୍ତମ ବଜାର । କିନ୍ତୁ ଫେସବୁକରେ ଫେକ୍‌ ଆକାଉଣ୍ଟ ଖୋଲି ତାହାର ଦୂରୁପଯୋଗ କରିବା ଉଭୟ ଫେସବୁକ ଓ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଅନେକ ସମୟରେ ଲୋକମାନଙ୍କୁ ବିଶେଷକରି ଝିଅମାନଙ୍କୁ ବ୍ଲାକମେଲ କରିବାକୁ ଏସବୁ ଫେକ୍‌ ଆକାଉଣ୍ଟଗୁଡ଼ିକୁ ବ୍ୟବହାର କରାଯାଉଛି । ଏହାକୁ ରୋକିବାକୁ ଫେସବୁକ ଏହି ଯୋଜନା କରିଛି । ଅର୍ଥାତ୍‌ ଏଣିକିଆଞ୍ଜେଲ ପ୍ରିୟା ନାଁରେ ଫେସବୁକ୍‌ ଆକାଉଣ୍ଟ ଖୋଲିପାରିବନି ଶୁକୁଟି ସାହୁ । କେବଳ ସେତିକି ନୁହେଁ, ବଡ଼ ବଡ଼ ଲୋକଙ୍କ ନାମରେ ଫେସବୁକ୍ ଅାକାଉଣ୍ଟ ଖୋଲି ଠକେଇ ଭଳି ଘଟଣା ଉପରେ ମଧ୍ୟ ରୋକ ଲଗାଯାଇ ପାରିବ।

ସମ୍ବନ୍ଧିତ ଖବର