ରାଜ୍ୟସଭାରେ ଏନ୍‌ଆର୍‌ସି ତାତି : ରାଜନାଥଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା ବିଜେଡି

ନୂଆଦିଲ୍ଲୀ : ଆସାମରେ ଭାରତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ତାଲିକାରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ପ୍ରସଙ୍ଗକୁ ନେଇ ରାଜ୍ୟସଭାରେ ଆଜି ମଧ୍ୟ ତାତି ଦେଖିବାକୁ ମିଳିଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ବିଜେଡି ଦାବି କରିଛି ଯେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏସଂପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ। ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏନ୍‌ଆର୍‌ସି ରିପୋର୍ଟକୁ ନେଇ ଗତକାଲି ସଂସଦରେ ଅନେକ ସାଂସଦ ସନ୍ଦେହ ପ୍ରକଟ କରିଛନ୍ତି। ଯେହେତୁ ରାଜନାଥ ଗୃହରେ ଉପସ୍ଥିତ ଅଛନ୍ତି, ଏହି ପ୍ରସଙ୍ଗରେ ତାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ଉଚିତ। କିନ୍ତୁ ଏହା ପ୍ରଶ୍ନକାଳ ଥିବାରୁ ସେ କିଛି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପ୍ରଥମେ କହିଥିଲେ। ତେବେ ଅପରାହ୍ନ ୨ଟାରେ ମନ୍ତ୍ରୀ ଜବାବ ରଖିବେ ବୋଲି ପର ସେ ଜଣାଇଥିଲେ। କିନ୍ତୁ ଟିଏମ୍‌ସି ସାଂସଦଙ୍କ ହଟ୍ଟଗୋଳ ଯୋଗୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିବା ସତ୍ତ୍ୱେ କିଛି କହିପାରି ନଥିଲେ। ଏହାପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା।

ସଂସଦ ବାହାରେ ଆଜି ଗଣମାଧ୍ୟମକୁ ସୂଚନା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏନ୍‌ଆର୍‌ସିକୁ ନେଇ କୌଣସି ଦଳ ରାଜନୀତି କରିବା ଉଚିତ ନୁହେଁ। ଏଥିରେ ଜାତୀୟ ସ୍ୱାର୍ଥ ନିହିତ ଥିବା ବେଳେ ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ସେ ପୁଣି କହିଥିଲେ, ତାଲିକାରୁ ବହୁ ନାଗରିକଙ୍କ ନାମ କଟିଛି। ଏହା ଏକ ମାରାତ୍ମକ ତ୍ରୁଟି। ବିଜେପି ସଭାପତିଙ୍କ ଦ୍ୱାରା ବିଜେଡିକୁ ପ୍ରଶଂସା କରାଯିବା ପ୍ରସଙ୍ଗରେ ପ୍ରସନ୍ନ କହିଛନ୍ତି, ଆମେ ବିଜେପି ଏବଂ କଂଗ୍ରେସଠାରୁ ସମାନ ଦୂରତ୍ୱ ବଜାୟ ରଖିଛୁ। ଆମେ କୌଣସି ଦଳର ପକ୍ଷ ନେଉନାହୁଁ। ବରଂ ଆମେ ଓଡ଼ିଶା ଓ ଜାତୀୟ ସ୍ୱାର୍ଥର ପକ୍ଷ ନେବୁ ବୋଲି ସେ କହିଥିଲେ। ସେହିଭଳି ସାଂସଦ ପ୍ରଶାନ୍ତ ନନ୍ଦ କହିଥିଲେ ଯେ ବିଜେଡି ଜାତୀୟ ନିରାପତ୍ତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଛି।

ସମ୍ବନ୍ଧିତ ଖବର