ଏନ୍‌ଟିପିସି ବିସ୍ଫୋରଣ ମୃତ୍ୟୁ ୨୬ ହେଲା

ପ୍ରଧାନମନ୍ତ୍ରୀ କ୍ଷତିପୂରଣ ଘୋଷଣା କଲେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲିରେ ଗତକାଲି ଏନ୍‌ଟିପିସି ପାଓ୍ଵାର ପ୍ଲାଣ୍ଟ୍‌ରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୃତକଙ୍କ ପରିବାରକୁୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରଛନ୍ତି। ସେହିପରି ଆହତମାନଙ୍କୁ ୫୦,୦୦୦ ଟଙ୍କାର ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି।

ସୂଚନା ଥାଉ କି, ଗତକାଲି ଉଞ୍ଚାହାର ସ୍ଥିତ ଏନ୍‌ଟିପିସିର ୧୫୫୦ ମେଗାଓ୍ଵାଟ୍‌ ପାଓ୍ଵାର ପ୍ଲାଣ୍ଟ୍‌ର ୫୦୦ ମେଗାଓ୍ଵାଟ୍‌ ୟୁନିଟ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟରତ ଥିଲେ। ତେବେ ପାଉଁଶ ନିଷ୍କାସନ ବିଭାଗରେ ୩୦ ବର୍ଷର ପୁରୁଣା ପାଇପ୍‌ଟି ଫାଟିଯିବାରୁ ନିମିଷକେ ଚାରିଆଡ଼କୁ ନିଅାଁ ବ୍ୟାପି ଯାଇଥିଲା। ଏଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ସଙ୍ଗଟାପନ୍ନ ଥିଲା ବୋଲି ସୂଚନା ମିଳିଥିଲ। ତେବେ ଆଜି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୨୬ରେ ପହଞ୍ଚିଥିବା ବେଳେ ଆଗକୁ ଏହାଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି। ଏନଟିପିସି କ୍ୟାମ୍ପସ ହସ୍ପିଟାଲ୍‌ରେ ଚିକତ୍ସିିତ ଥିବା ଅନେକ ଆହତଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଶରୀରର ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜଳି ଯାଇଥିବା ଜଣାଯାଇଛି। ତେବେ ଆହତମାନଙ୍କୁ ଉତ୍ତମ ଚିକତ୍ସା ଯୋଗାଇ ଦେବାଲାଗି ଦିଲ୍ଲୀ ପୁଲିସ ଆଜି ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରୁ ଦିଲ୍ଲୀ ଏମ୍ସକୁ ଏକ ଗ୍ରୀନ୍‌ କରିଡର ପ୍ରତିଷ୍ଠା କରିଛନ୍ତି। ଫଳରେ ଆହତମାନଙ୍କୁ ଲକ୍ଷ୍ନୌରୁ ଦିଲ୍ଲୀ ସ୍ଥାନାନ୍ତର କରିବାରେ ସହଜ ହେବ।

କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଗୁଜରାଟରେ ନବସର୍ଜନ ଯାତ୍ରା ବାତିଲ୍‌ କରି ଉଞ୍ଚାହାର ବିସ୍ଫୋରଣ ସ୍ଥଳକୁ ଯିବା ସହ ରାଏବରେଲି ଜିଲ୍ଲା ହସ୍ପିଟାଲ୍‌ରେ ଆହତମାନଙ୍କୁ ଭେଟିଛନ୍ତି। ଅନ୍ୟପକ୍ଷରେ, ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ ପାଇଁ ମାଜିଷ୍ଟ୍ରେଟ୍‌ ଏବଂ ଟେକ୍ନିକାଲ ଅଫିସରଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି ବୋଲି ରାଏବରେଲି ଜିଳ୍ଲା ମାଜିଷ୍ଟ୍ରେଟ୍‌ ସଞ୍ଜୟ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର