ଆଣବିକ କ୍ଷମତା ସଂପନ୍ନ ବୁଡ଼ାଜାହାଜ ଅରିହନ୍ତ ପାଟ୍ରୋଲ ମିଶନ ଶେଷ : ଏବେ ଭାରତ ଜଳ, ସ୍ଥଳ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରେ ଆଣବିକ ଆକ୍ରମଣ କରିବାରେ ସମର୍ଥ

ଅରିହନ୍ତ ସ୍ଥାପନ କଲା ନୂଆ କୀର୍ତ୍ତିମାନ

ନୂଆଦିଲ୍ଲୀ: ଆଣବିକ କ୍ଷମତା ସଂପନ୍ନ ବୁଡ଼ାଜାହାଜ (ସବ୍‌ମେରିନ୍‌) ଆଇଏନ୍‌ଏସ୍‌ ଅରିହନ୍ତ ସଫଳତା ପୂର୍ବକ ପାଟ୍ରୋଲ ମିଶନ ଆଜି ଶେଷ କରିବା ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ବୁଡ଼ାଜାହାଜ ଅରିହନ୍ତର ଏହି ପାଟ୍ରୋଲ ମିଶନ ଅତ୍ୟନ୍ତ ଗୋପନୀୟତାର ସହ ଆୟୋଜନ କରାଯାଇଥିଲା। ବୁଡ଼ାଜାହାଜ ଅରିହନ୍ତର ଏହି ସଫଳତା ପରେ ଏବେ ଭାରତ ଜଳ, ସ୍ଥଳ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରକୁ ଆଣବିକ ଅସ୍ତ୍ର ନିକ୍ଷେପଣ କରିପାରିବାର କ୍ଷମତା ରଖୁଛି।

ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏସ୍‌ ଅରିହନ୍ତ ହେଉଛି ଦେଶର ସର୍ବପ୍ରଥମ ଆଣବିକ କ୍ଷମତା ସଂପନ୍ନ ବୁଡ଼ାହାହାଜ। ଆବଶ୍ୟକ ସ୍ଥଳେ ସମୁଦ୍ର ଗର୍ଭରେ ଥାଇ ସୁଦ୍ଧା ଅରିହନ୍ତରୁ ଶତ୍ରୁପକ୍ଷ ଉପରକୁ ଆଣବିକ ଅସ୍ତ୍ର ନିକ୍ଷେପଣ କରାଯାଇ ପାରିବ। ଆଇଏନ୍‌ଏସ୍‌ ଅରିହନ୍ତ ଭାରତୀୟ ନୌସେନାରେ ସାମିଲ ହୋଇ ସଫଳତାର ସହ ପାଟ୍ରୋଲ ମିଶନ ଶେଷ କରିବା ପରେ ଭାରତୀୟ ନୌସେନାର ଶକ୍ତି ବୃଦ୍ଧି ହେବା ସହ ଦେଶର ଜଳ ସୀମା ଅଧିକ ସୁରକ୍ଷିତ ହୋଇପାରିଛି। କାରଣ ସମୁଦ୍ର ଗର୍ଭ ମଧ୍ୟରେ ଥାଇ ଅରିହନ୍ତ ଶତ୍ରୁପକ୍ଷର ଜାହାଜକୁ ଚିହ୍ନଟ କରିବା ସହ ତା’ ଉପରେ ଆକ୍ରମଣ କରିବା ପାଇଁ କ୍ଷମତା ରଖିଛି।


ଏବେ ଭାରତ ଜଳ, ସ୍ଥଳ ଓ ଆକାଶ ପଥରୁ ଶତ୍ରୁପକ୍ଷ ଉପରେ ଆଣବିକ ଅସ୍ତ୍ର ନିକ୍ଷେପଣ କରିପାରିବାର କ୍ଷମତା ରଖୁଛି। ତେବେ, ଭାରତ ନିଜର ପ୍ରତିଶ୍ରୁତି ମୁତାବକ ପ୍ରଥମେ ନିଜ ତରଫରୁ କୌଣସି ଦେଶ ଉପରେ ବି ଆଣବିକ ଆକ୍ରମଣ କରିବ ନାହିଁ। ତେବେ, ଶତ୍ରୁ ଦେଶପକ୍ଷରୁ ଯଦି ଆକ୍ରମଣ ହୁଏ, ତେବେ ଭାରତ ତାହାର ଜବାବ ଆଣବିକ ଅସ୍ତ୍ରରେ ଦେବ।


ଆଇଏନ୍‌ଏସ୍‌ ଅରିହନ୍ତର ପାଟ୍ରୋଲ ମିଶନର ସଫଳତା ପେରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମିଶନ ସହ ସଂପୃକ୍ତ ସମସ୍ତ କର୍ତ୍ତୃପକ୍ଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। କାରଣ ଅରିହନ୍ତର ଏହି ସଫଳତା ଦେଶର ସୁରକ୍ଷାକୁ ସଶକ୍ତ କରିବା ସହ କୌଣସି ବି ଶତ୍ରୁକୁ ଭାରତ ଆଡ଼କୁ ଆଡ଼ ଆଖିରେ ଚାହିଁବାକୁ ବି ସୁଯୋଗ ଦେବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସମ୍ବନ୍ଧିତ ଖବର