ଡିସେମ୍ବର ୨୯ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ, ଶପଥ ଗ୍ରହଣ ଉତ୍ସବରେ ଓଡ଼ିଶାରୁ ଯୋଗ ଦେବେ ଏହି ନେତା

ରାଞ୍ଚି:  ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳକୁ ନେଇ ଗଠିତ ମେଣ୍ଟକୁ  ବହୁମତ ମିଳିବା ପରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଡିସେମ୍ବର ୨୯ ତାରିଖରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ବେଳେ ଏହି ଶପଥ ଗ୍ରହଣ ଉତ୍ସବରେ ୬ ଜଣ ମୁଖ୍ୟମନ୍ତ୍ରୀ ଓ ୫ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସାମିଲ ହେବେ | ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି | ରାଞ୍ଚିର ମରାହାବାଦି ପଡିଆରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାକୁ ଥିବା ବେଳେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ |

photo–asian age

ଶପଥ ଗ୍ରହଣ ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଅଖିଳେଶ ଯାଦବ, ହରିଶ ରାବତ, ଚନ୍ଦ୍ରବାବୁ ନାଇଡୁ, ଏଚଡ଼ି କୁମାରସ୍ବାମୀ ମଧ୍ୟ ସାମିଲ ହେବେ | ଏଠାରେ ସୂଚନା ଥାଉ କି ଝାଡ଼ଖଣ୍ଡର ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ୩ ଦଳର ମେଣ୍ଟ ୪୭ ଆସନ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ହାସଲ କରିଛି।

ସମ୍ବନ୍ଧିତ ଖବର