ଓଖି ତାଣ୍ଡବ: ଗୁଜରାଟ, ମହାରାଷ୍ଟ୍ରରେ ଝଡ଼ ତୋଫାନ

ଗୁଜରାଟରେ ସ୍କୁଲ ବନ୍ଦ, ର‍୍ୟାଲି ରଦ୍ଦ

ଅହମଦାବାଦ୍‌: ସାମୁଦ୍ରିକ ଝଡ଼ ଓଖି ଆଜି ମଧ୍ୟରାତ୍ରିରେ ଗୁଜରାଟ ତଟରେ ମାଡ଼ ହୋଇଛି । ପୂର୍ବାପେକ୍ଷା ଓଖି ଦୁର୍ବଳ ହୋଇ ଯାଇଥିଲେ ମଧ୍ୟ ଏହାର ପ୍ରଭାବରେ ଗୁଜରାଟରେ ପ୍ରବଳ ବର୍ଷା, ପବନ ଲାଗି ରହିଛି । ମହାରାଷ୍ଟ୍ରର କେତେକ ଜିଲ୍ଲାରେ ଲଗାଣ ବର୍ଷା ଚାଲିଛି । ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ବିଭିନ୍ନ ଜିଲ୍ଲାରେ ଆଗୁଆ ସତର୍କତା ଅବଲମ୍ବନ କରାଯାଇ ସ୍କୁଲ, କଲେଜ ଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଉପକୂଳ ଗୁଜରାଟ ଏବଂ ମୁମ୍ବାଇରେ ଓଖି ଭୂଭାଗ ଛୁଇଁବା ପରେ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଖି ହେତୁ ସମୁଦ୍ରରେ ଉଚ୍ଚ ଜୁଆର ଆସି ଗୋଆର ୧୨ଟି ବେଳାଭୂମି ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଏନେଇ ରାଜ୍ୟରେ ସମସ୍ତ ସତର୍କତା ଅବଲମ୍ବନ କରାଯାଇଛି। ରାଜ୍ୟରେ ଡିସେମ୍ବର ୯ରେ ପ୍ରଥମ ପର୍ଯ୍ୟାୟ ନିର୍ବାନଚ ଥିବାବେଳେ ଓଖି ହେତୁ ବହୁ ବରିଷ୍ଠ ରାଜନେତାମାନଙ୍କ ର‍୍ୟାଲି ଓ ଅନ୍ୟାନ୍ୟ ରାଜନୈତିକ କାର୍ଯ୍ୟକ୍ରମ ବାତିଲ କରିଦିଆଯାଇଛି। ବହୁ ବିମାନର ଉଡାଣ ଗତିପଥକୁ ବଦଳାଇ ଦିଆଯାଇଛି। ଗୁଜରାଟର ବିଭିନ୍ନ ଅଂଶରେ ଏନଡିଆରଏଫ ଦଳ ମୁତୟନ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସୁରଟରେ ହାଇ ଆଲର୍ଟ ଜାରି କରାଯାଇଛି। ଓଖି ଦ୍ୱାରା ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହଯୋଗ ଓ ସମର୍ଥନ ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର