ଆଜିଠୁ ଆରମ୍ଭ ହେଲା ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଆଜିଠୁ ଆରମ୍ଭ ହୋଇଛି ୩ ଦିନିଆ ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌। ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌କୁ ଉଦ୍‌ଘାଟନ କରିଥିଲେ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ପ୍ରତିଷ୍ଠିତ ଖାଦ୍ୟ ବିଶେଷଜ୍ଞ ପ୍ରଫେସର ପୁଷ୍ପେସ୍‌ ପନ୍ଥ। ଅନ୍ୟତମ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଟେଲିଭିଜନ୍‌ ସାମ୍ବାଦିକ ବିନୋଦ ଦୁଆ ଯୋଗ ଦେଇଥିଲେ। ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌କୁ ଉଦ୍‌ଘାଟନ କରି ପ୍ରଫେସର ପନ୍ଥ କହିଥିଲେ ଓଡ଼ିଆ ଖାଦ୍ୟର ଏକ ସ୍ୱତନ୍ତ୍ର ବୈଶିଷ୍ଟ ରହିଛି ଯାହାର ବ୍ୟାପକ ରୂପେ ପ୍ରଚାର ପ୍ରସାର ଆବଶ୍ୟକ। ୩ ଦିନିଆ ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌ରେ ପାଖାପାଖି ୧୦ଟି ଷ୍ଟଲ୍‌ ଲଗାଯାଇଛି ଯେଉଁଥିରେ ଓଡ଼ିଶାର ପାରମ୍ପରିକ ବ୍ୟଞ୍ଜନ ଓ ଖାଦ୍ୟପେୟର ପ୍ରଦର୍ଶନ କରାଯାଇଛି। ନିରାମିଷ ଓ ଆମିଷ ଖାଦ୍ୟ ସହ ଓଡ଼ିଶାର ଛେନାପୋଡ଼ ଓ ଅନ୍ୟାନ୍ୟ ସ୍ୱାଦିଷ୍ଟ ମିଷ୍ଟାନ୍ନକୁ ସ୍ଥାନ ଦିଆଯାଇଛି। ଓଡ଼ିଶା ଫୁଡ୍‌ ଫେଷ୍ଟିଭାଲ୍‌ ସହ ସେମିନାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଦିଲ୍ଲୀ ଏବଂ ଏହାର ଆଖାପାଖ ଅଞ୍ଚଳରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଓଡ଼ିଶା ଡେଭଲପମେଣ୍ଟ୍‌ ଫୋରମ୍‌ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ଫୁଡ୍‌ ଫେଷ୍ଟିଭାଲ୍‌ରେ ଦିଲ୍ଲୀବାସୀ ଓଡ଼ିଆ ଖାଦ୍ୟର ମଜା ନେଉଛନ୍ତି।

ସମ୍ବନ୍ଧିତ ଖବର