ବଜେଟ୍‌ ପ୍ରସ୍ତୁତିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ଦୁଇ ଓଡ଼ିଆ ଅଧିକାରୀ

ନୂଆଦିଲ୍ଲୀ (ନଇମ୍ ଅଖ୍‌ତାର): କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲଙ୍କ ପକ୍ଷରୁ ଆଜି ଉପସ୍ଥାପନ କରାଯାଇଥିବା ଅନ୍ତରୀଣ ବଜେଟରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଯେଉଁ ୭ ଜଣ ବରିଷ୍ଠ ଅଧିକାରୀ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ସେମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଧିକାରୀ ସାମିଲ ଥିଲେ। ସେମାନେ ହେଲେ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ଏବଂ ପରୋକ୍ଷ ଟିକସ ଓ ସୀମା ଶୁଳ୍କ କେନ୍ଦ୍ରୀୟ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ ପ୍ରଣବ କୁମାର ଦାସ। ଗୁଜରାଟ କ୍ୟାଡରର ଓଡ଼ିଆ ଆଇଏଏସ ଅଧିକାରୀ ଶ୍ରୀ ମୁର୍ମୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗରେ ଓଏସଡି ଭାବେ କାର୍ଯ୍ୟ କରୁଛନ୍ତି। କାମଚଳା ବଜେଟର ରୂପରେଖ କ’ଣ ରହିବ ସେ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଜଡ଼ିତ ଥିଲେ। ବଜେଟ ପ୍ରସ୍ତୁତିରେ ତାଙ୍କର ପ୍ରତ୍ୟକ୍ଷ ଯୋଗଦାନ ଅର୍ଥ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ବେଶ୍ ପ୍ରଭାବିତ କରିଥିବା ଜଣାପଡ଼ିଛି। ସେହିଭଳି ନିକଟରେ ସିବିଆଇସିର ନୂଆ ଅଧ୍ୟକ୍ଷ ରୂପେ ଦାୟିତ୍ବ ଗ୍ରହଣ କରିଥିବା ୧୯୮୩ ବ୍ୟାଚର ଓଡ଼ିଆ ଆଇଆରଏସ୍ ଅଧିକାରୀ ଶ୍ରୀ ଦାସ ତାଙ୍କ ଅଭିଜ୍ଞତାକୁ ଅନ୍ତରୀଣ ବଜେଟ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିଛନ୍ତି।

ଏହି ଅବସରରେ ‘ସମ୍ବାଦ’କୁ ସାକ୍ଷାତକାର ଦେଇ ଶ୍ରୀ ଦାସ କହିଛନ୍ତି, ବଜେଟ ପ୍ରସ୍ତୁତିରେ ସାମିଲ ହେବା ନିଶ୍ଚିତ ଭାବେ ଏକ ନୂଆ ଅନୁଭୂତି। ପ୍ରତ୍ୟେକ ପ୍ରସଙ୍ଗରେ ଅତ୍ୟନ୍ତ ସତର୍କତାର ସହିତ କାର୍ଯ୍ୟ କରିଥିବା ସେ କହିଛନ୍ତି। ସେ କହିଛନ୍ତି, ବଜେଟ ପ୍ରସ୍ତୁତିରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗୋପନୀୟତା ରଖିବା। ଏଥିସହିତ ଦିନରାତି ୨୪ ଘଣ୍ଟା ବଜେଟ ପ୍ରସ୍ତୁତି କାର୍ଯ୍ୟରେ ବିତାଇବାକୁ ପଡ଼ିଥାଏ। ତଥ୍ୟ ଉପରେ ସର୍ବଦା ନଜର ରହିଥାଏ। ନର୍ଥ ବ୍ଲକ (ଅର୍ଥ ମନ୍ତ୍ରାଳୟର ମୁଖ୍ୟାଳୟ)ରେ ବଜେଟ ପ୍ରସ୍ତୁତି ହେବା ଦିନଠାରୁ ସଂସଦରେ ଏହା ଉପସ୍ଥାପନ ହେବା ପର୍ଯ୍ୟନ୍ତ ଆମକୁ ସଜାଗ ରହିବାକୁ ପଡ଼ିଛି। ଏହି ପ୍ରକ୍ରିୟା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇଥିଲେ ମଧ୍ୟ ଏହା ଢେର୍ ଆତ୍ମସନ୍ତୋଷ ପ୍ରଦାନ କରିଛି। ବଜେଟ ଟିମରେ ଜଣେ ଓଡ଼ିଆ ଭାବେ ସାମିଲ ହୋଇପାରିଥିବାରୁ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି। ଆଜିର ବଜେଟକୁ ଏକ ଯୁଗାନ୍ତକାରୀ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ ବୋଲି ‌ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର