ଆବୁଧାବିରେ ଉତ୍କଳ ଦିବସ ଉତ୍କର୍ଷ- ୨୦୧୮ ପାଳିତ

ଆବୁଧାବି: ସୁଦୂର ଆବୁଧାବିରେ ଥାଇ ମଧ୍ୟ ଆମ ଓଡ଼ିଆ ଭାଇଭଉଣୀମାନେ ନିଜ ମାତୃଭୂମିର ସଂସ୍କୃତି ଓ ପରମ୍ପରାକୁ ଭୁଲି ପାରିନାହାନ୍ତି। ଗତ ମଇ ୪ ତାରିଖ ଦିନ ଆବୁଧାବିରେ ରହୁଥିବା ଓଡ଼ିଆମାନଙ୍କୁ ନେଇ ଗଢି ଉଠିଥିବା ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ଉତ୍କଳ ଦିବସ ଏବଂ ଓସାର ବାର୍ଷିକ ଉତ୍ସବ ଉତ୍କର୍ଷ -୨୦୧୮ ସ୍ଥାନୀୟ ଅବୁଧାବି ଥିଏଟରରେ ମହାସମାରୋହରେ ପାଳିତ ହୋଇଯାଇଛି।

ଏଇ ଉତ୍ସରେ ଟୋଟାଲର ଉପ ସଭାପତି ସୁଲତାନ ଅଲ ହଜି ମୁଖ୍ୟ ଅତିଥି, ପ୍ରବାସୀ ଭାରତୀୟ ଉଦ୍ୟୋଗପତି ଏବଂ ୟୁନିଭର୍ସାଲ ହସ୍ପିଟାଲର ମୁଖ୍ୟ ଡ଼ ସବିର ସମ୍ମାନିତ ଅତିଥି ଏବଂ ଦିଲ୍ଲୀପ ବର୍ମା (ୟୁନିଭର୍ସାଲ ଭୋଲଟାସର ପରିଚାଳନା ନିର୍ଦେଶକ) ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ। ଏତଦ୍‌ବ୍ୟତୀତ ଏହି ଉତ୍ସରେ ଓଲିଉଡ ଅଭିନେତ୍ରୀ ଦେବଜାନୀ, ଗାୟକ ତଥା ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର ଓ ହାସ୍ୟ ଅଭିନେତା ଜେମ୍‌ସ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଆବୁଧାବି ନିକଟସ୍ଥ ଦୁବାଇ, ଆଲଇନ, ସାରଜା, ଫୁଜେରାରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ଉତ୍ସବରେ ଯୋଗ ଦେଇଥିଲେ।

ଓସାର ସଦସ୍ୟ ତଥା ସେମାନଙ୍କର ପରିବାର ବର୍ଗ ଓଡ଼ିଶା ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକମାନଙ୍କର ମନୋରଞ୍ଜନ କରିଥିଲେ।

ଉତ୍ସବର ପ୍ରାରମ୍ଭରେ ଦେଶାତ୍ମବୋଧକ ସଂଗୀତ ବନ୍ଦେ ଉତ୍କଳ ଜନନୀ ଏବଂ ଓଡିଶୀ ନୃତ୍ୟ କୃଷ୍ଣ ରାସ ଲୀଳା ପରିବେଷଣ କରାଯାଇଥିଲା। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ନାଟ୍ୟକାର ନିବେଦିତା ଜେନାଙ୍କ ରଚିତ ଏବଂ ଅଶୋକ ପଣ୍ଡାଙ୍କ ନିର୍ଦେଶିତ ଓଡ଼ିଆ ଡ୍ରାମା ‘ଆହା ବୈକୁଣ୍ଠମ’। ଏତଦ୍‌ବ୍ୟତୀତ ଓସାର କଳାକାରମାନେ ଲୋକ ନୃତ୍ୟ, ଫ୍ୟାସନ ଶୋ, ଓଡ଼ିଆ ସଂଗୀତ ଆଦି ପରିବେଷଣ କରିଥିଲେ। ଓସା ସଭାପତି ପ୍ରଦୀପ କୁମାର ରଥ, ସମ୍ପାଦକ ସିଦ୍ଧାର୍ଥ ଦାସ ଓ ସାଂସ୍କୃତିକ ସମ୍ପାଦକ କମଳ କୁମାର ପଣ୍ଡା ଓଡିଶା ରାଜ୍ୟ ଗଠନ ଇତିହାସ ଉପରେ ଆଲୋକପାତ କରିଥିଲେ। ଓସାର ମହିଳା ସଦସ୍ୟଗଣ ଓଡ଼ିଶାର ସମ୍ବଲପୁରୀ ପୋଷାକ ଉପରେ ଫ୍ୟାସନ ଶୋ ଆୟୋଜନ କରିଥିିଲେ। ସେମାନେ ମଧ୍ୟ ଓଡ଼ିଶାର ବହୁ ପୁରାତନ ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଏହି ସମାରୋହରେ ଓସାର ବାର୍ଷିକ ମୁଖପତ୍ର ପ୍ରବାସୀ ଉତ୍କର୍ଷର ଦ୍ୱିତୀୟ ସଂସ୍କରଣକୁ ଉନ୍ମୋଚନ କରାଯାଇଥିଲା। ଓସା ତରଫରୁ ଓଡିଶାର ଇତିହାସ ଉପରେ ପର୍ଯ୍ୟବେସିତ ସାଧାରଣ ଜ୍ଞାନ ପ୍ରତିିଯୋଗିତା ଦୀର୍ଘ ସାତ ଦିନ ଧରି ଅୟୋଜନ କରାଯାଇଥିଲା। ଏହି ଉତ୍ସରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପରସ୍କୃତ କରା ଯାଇଥିଲା।

ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ରଥଙ୍କ ତତ୍ୱାବଧାନରେ ଉପଦେଷ୍ଟା ଅଶୋକ ମହାନ୍ତି, ଅଶୋକ ପଣ୍ଡା ଓ ହିମାଂଶୁ ଦାସଙ୍କ ପରାମର୍ଶରେ ଅରୁଣ ମଲ୍ଲିକ, ସିଦ୍ଧା୍ର୍ଥ ଦାସ, ବାଳକୃଷ୍ଣ ବିଶୋଇ, କମଳ ପଣ୍ଡା, ପ୍ରତୀକ ଦାସ, ସୁଧାଂଶୁ ପାତ୍ର, ସୁଶୋଭନ ଦାସ, ଅବଦୁଲ ରାଉଫ, ମାନସ ଉଦ୍ଗାତାଙ୍କ ଦ୍ୱାରା କାର୍ଯ୍ୟକ୍ରମଗୁଡିକ ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ଏମାନଙ୍କ ସହିତ କାର୍ତିକ ସିଂ, ଅମୁଲ୍ୟ ସାହୁ, ରବି ନାରାୟଣ ଦାସ, ସୁଶାନ୍ତ ମହାପାତ୍ର, ସତ୍ୟବ୍ରତ ପାତ୍ର, ସିଦ୍ଧାର୍ଥ ସାବତ, ପ୍ରଦୀପ ସାହୁ, ସୌଗତ ନାୟକ, ସତ୍ୟଜିତ ସିଂ, ସଂଜୀବ ପଟେଲ, ରଣଜିତ ଦାସ, ବିଜୟ ସାହୁ, ସୁଧୀର ପଣ୍ଡା, ପ୍ରମୁଖ କାର୍ଯ୍ୟକ୍ରମଟିକୁ ସଂଯୋଜିତ କରିଥିଲେ। ଆମ ମାତୃଭୂମି ଉତ୍କଳର କଳା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ ଭାଷାକୁ ବିଦେଶ ମାଟିରେ ପରିଚିତ କରିବା କ୍ଷେତ୍ରରେ ଅବୁଧାବିରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନେଇ ଗଠିତ ଓଡ଼ିଆ ସମାଜ ଆବୁଧାବି (ଓସା)ର ଏହି ନିରନ୍ତର ପ୍ରଚେଷ୍ଟା ପ୍ରଶଂସନୀୟ ବୋଲି ସମସ୍ତେ ମତ ଦେଇଥିଲେ।

ସମ୍ବନ୍ଧିତ ଖବର