ଓଡ଼ିଆ ଆଇଏଏସ୍‌ ଅଫିସର ପ୍ରମୋଦ ମିଶ୍ର ହେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ!, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ଜଣେ ଓଡ଼ିଆ ପୁଅ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଗାମୀ ପ୍ରମୁଖ ସଚିବ ହୋଇପାରନ୍ତି। ବରିଷ୍ଠ ଆଇଏଏସ ଅଫିସର ନିପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦ ଛାଡିବା ନେଇ ଆବେଦନ କରିବା ପରେ ଏହି ପଦରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ରଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ୧୯୭୨ ଗୁଜୁରାଟ କ୍ୟାଡରର ଏହି ଆଇଏଏସ ଅଫିସର ପ୍ରମୋଦଙ୍କୁ ନୂଆ ଦାୟିତ୍ୱ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅବସରପ୍ରାପ୍ତ ଓଡ଼ିଆ ଆଇଏଏସ ଅଫିସର ପ୍ରମୋଦ ଏବେ ପିଏମଓର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ନରେନ୍ଦ୍ର ମୋଦୀଙ୍କ ସବୁଠୁ ବିଶ୍ୱସ୍ତ ଅଫିସର ଭାବେ ପ୍ରମୋଦ ଭଲ ଭାବେ ଜଣାଶୁଣା । ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ଏହି ଆଇଏଏସ ଅଫିସର ଗୁଜୁରାଟର ପ୍ରମୁଖ ଶାସନ ସଚିବ ଥିଲେ। ଆଉ ଏହି ସମୟରୁ ହିଁ ମୋଦୀଙ୍କ ବିଶ୍ୱସ୍ତ ଅଫିସରଙ୍କ ତାଲିକାରେ ଯୋଡି ହୋଇଥିଲା ପ୍ରମୋଦଙ୍କ ନାଁ, ଯେଉଁଥିପାଇଁ ଅବସର ପରେ ମଧ୍ୟ ପ୍ରମୋଦଙ୍କୁ ପିଏମଓର ଅତିରିକ୍ତ ସଚିବ ଭାବେ ଗୁରୁଦାୟିତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଥମ ପାଳି ଭଳି ଦ୍ୱିତୀୟ ପାଳିରେ ମଧ୍ୟ ପ୍ରମୋଦଙ୍କୁ ଭରସା କରିଛନ୍ତି ମୋଦୀ।

ଏହାପୂର୍ବରୁ ଦେଶରେ ପ୍ରଭାବଶାଳୀ ପ୍ରଶାସକଙ୍କ ତାଲିକାରେ ମଧ୍ୟ ପ୍ରମୋଦ ସବୁଠୁ ଆଗରେ ରହିଥିଲେ। ବ୍ୟୁରୋକ୍ରେସି ଟୁଡେ ପକ୍ଷରୁ କରାଯାଇଥିବା ସର୍ଭେରେ ଦେଶର ଅନ୍ୟ ପ୍ରଶାସକଙ୍କୁ ପଛରେ ପକାଇ ଶୀର୍ଷରେ ରହିଥିଲେ ଓଡ଼ିଆ ପୁଅ ପ୍ରମୋଦ।

ନିଜ କାର୍ଯ୍ୟଦକ୍ଷତା ବଳରେ ମୋଦୀ ସରକାରଙ୍କ ମନ ଜିଣିଥିବା ପ୍ରମୋଦ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଜିଏମ କଲେଜରେ ଅର୍ଥଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। ଆଉ ଏହାପରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପରେ ଓଡ଼ିଶାରେ ମଧ୍ୟ କିଛି ଦିନ ପାଇଁ କାମ କରିଥିଲେ। ମୋଦୀ ସରକାରଙ୍କ ଏହି ଟାଣୁଆ ଅଫିସର ବିପର୍ଯ୍ୟୟ ପରିଚାଳନା ପାଇଁ ଏହା ପୂର୍ବରୁ ଜାତିସଂଘ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି।

ସମ୍ବନ୍ଧିତ ଖବର