ଓଡ଼ିଶା ସାଂସଦ ୯୧ କୋଟି ଖର୍ଚ୍ଚ କରିପାରି ନାହାନ୍ତି

ଷୋଡ଼ଶ ଲୋକସଭା ସାଂସଦ ପାଣ୍ଠି

ନୂଆଦିଲ୍ଲୀ: ସାଂସଦ ସ୍ଥାନୀୟ ଅଂଚଳ ବିକାଶ ପାଣ୍ଠି (ଏମ୍‌୍‌ପିଏଲ୍‌ଏଡି) ଅନ୍ତର୍ଗତ ଶତ ପ୍ରତିଶତ ଅର୍ଥ ବିନିଯୋଗ ହୋଇପାରୁ ନାହିଁ। ଲୋକସଭା ସାଂସଦଙ୍କ ପାଣ୍ଠି ଖର୍ଚ୍ଚ ସଂକ୍ରାନ୍ତ ବିବରଣୀ କେନ୍ଦ୍ର ପରିସଂଖ୍ୟାନ ଓ କ୍ରିୟାନ୍ଵୟନ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ତଥ୍ୟ ଅନୁସାରେ ଓଡ଼ିଶାର ୨୧ ଜଣ ସାଂସଦଙ୍କ ପାଣ୍ଠିରୁ ମୋଟ ୯୧ କୋଟି ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରି ନାହିଁ। ଓଡ଼ିଶାର କେନ୍ଦୁଝର ସାଂସଦ ଶକୁନ୍ତଳା ଲାଗୁରି ସର୍ବାଧିକ ୯୩.୫୮ ପ୍ରତିଶତ ଅର୍ଥ ଖର୍ଚ୍ଚ କରିପାରିଛନ୍ତି। ୧୯ କୋଟି ୯୫ ଲକ୍ଷ ଟଙ୍କାରୁ ସେ ୧୮ କୋଟି ୬୭ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି। କୋରାପୁଟ ସାଂସଦ ଝିନ ହିକାକା ସାଂସଦ ପାଣ୍ଠି ଖର୍ଚ୍ଚରେ ସବୁଠାରୁ ପଛରେ ଅଛନ୍ତି। ସେ କେବଳ ୫୬.୬୪ ପ୍ରତିଶତ ଅର୍ଥ ବିନିଯୋଗ କରିପାରିଛନ୍ତି। ବରଗଡ଼ ସାଂସଦ ପ୍ରଭାସ କୁମାର ସିଂହ ୮୯.୩୦ ପ୍ରତିଶତ ଅର୍ଥ ବିନିଯୋଗ କରିଥିବା ବେଳେ ମୟୂରଭଂଜ ସାଂସଦ ରାମଚନ୍ଦ୍ର ହାଂସଦା ୮୪. ୬୧ ପ୍ରତିଶତ ଅର୍ଥ ବିନିଯୋଗ କରିଛନ୍ତି। ଜଗତସିଂହପୁର ସାଂସଦ ଡ. କୁଳମଣି ସାମଲ ୮୨.୬୪ ପ୍ରତିଶତ, ପୁରୀ ସାଂସଦ ପିନାକୀ ମିଶ୍ର ୮୧.୮୫ ପ୍ରତିଶତ, ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ୭୯.୦୧ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ୨୦ କୋଟି ୭୬ ଲକ୍ଷ ଟଙ୍କାରୁ ଖର୍ଚ୍ଚ କରିଛନ୍ତି ୧୬ କୋଟି ୮ ଲକ୍ଷ ଟଙ୍କା। ତାଙ୍କର ଖର୍ଚ୍ଚ ପ୍ରତିଶତ ହେଉଛି ୭୭.୪୬ ପ୍ରତିଶତ।

କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ ସାଂସଦ ପାଣ୍ଠିରୁ ୭୭.୩୭ ପ୍ରତିଶତ, ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ୭୬.୫୭ ପ୍ରତିଶତ, ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ ୭୫.୫୩ ପ୍ରତିଶତ ଏବଂ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ୭୫.୪୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି। ଆସିକା ସାଂସଦ ଲଡ଼ୁ କିଶୋର ସ୍ୱାଇଁ ସାଂସଦ ପାଣ୍ଠିରୁ ୭୫.୧୯ ପ୍ରତିଶତ, କଟକ ସାଂସଦ ଭର୍ତ୍ତୃହରି ମହତାବ ୭୪.୨୭ ପ୍ରତିଶତ ଅର୍ଥ ବିନିଯୋଗ କରିଛନ୍ତି। ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସାଂସଦ ପାଣ୍ଠିରୁ ୭୩.୪୩ ପ୍ରତିଶତ ଅର୍ଥ ବିନିଯୋଗ କରିଥିବା ବେଳେ ଢେଙ୍କାନାଳ ସାଂସଦ ତଥାଗତ ଶତପଥୀ ୭୦.୪୮ ପ୍ରତିଶତ, ଯାଜପୁର ସାଂସଦ ରୀତା ତରାଇ ୬୯.୯୭ ପ୍ରତିଶତ ଅର୍ଥ ବିନିଯୋଗ କରିଛନ୍ତି। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାଂସଦ ପାଣ୍ଠିରୁ ୬୯.୩୫ ପ୍ରତିଶତ ବିନିଯୋଗ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ନବରଂଗପୁର ସାଂସଦ ବଳଭଦ୍ର ମାଝି ସାଂସଦ ପାଣ୍ଠିରୁ ୬୮.୯୯ ପ୍ରତିଶତ ବିନିଯୋଗ କରିଥିବା ବେଳେ ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ୬୮.୮୬ ପ୍ରତିଶତ ଏବଂ ସମ୍ବଲପୁର ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ୬୭.୯୬ ପ୍ରତିଶତ ଅର୍ଥ ବିନିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର