ଲୁଙ୍ଗି ପିନ୍ଧିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ

ଭୁବନେଶ୍ୱର: ଲୁଙ୍ଗି ସାରା ଭାରତର ଏକ ଲୋକପ୍ରିୟ ପାରମ୍ପରିକ ପୋଷାକ ଓ ଲୁଙ୍ଗି ପିନ୍ଧିବାରେ ଓଡ଼ିଆମାନେ ସାରା ଦେଶରେ ନଂ୧ ସ୍ଥାନରେ ରହିଛନ୍ତି । ଲୁଙ୍ଗି ପିନ୍ଧିବାରେ ଓଡ଼ିଶା ପଛକୁ ରହିଛନ୍ତି ବିହାର, ପଶ୍ଚିମବଙ୍ଗ, ତ୍ରିପୁରା, ତାମିଲନାଡୁ ଆଦି ରାଜ୍ୟର ଲୋକେ । ଏକଥା ଜାତୀୟ ନମୁନା ସର୍ବେକ୍ଷଣ ଅଫିସ (ଏନଏସଏସଓ) ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ।

ଗତ ୨୦୧୧-୧୨ ମସିହାରେ ସାରା ଦେଶରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରୁ ଜଣାପଡିଛି ଯେ ଦକ୍ଷିଣ ଓ ପୂର୍ବ ଭାରତରେ ଲୁଙ୍ଗି ବହୁଳଭାବେ ପିନ୍ଧାଯାଏ । ଧୋତି ମଧ୍ୟ ଏ ଅଞ୍ଚଳରେ ସବୁଠାରୁ ଅଧିକ ପିନ୍ଧାଯାଏ । କିନ୍ତୁ ଦେଶର ଉତ୍ତର ଭାଗରେ ଲୋକମାନେ କୁର୍ତ୍ତା ପାଇଜାମା ବହୁଳଭାବେ ପିନ୍ଧନ୍ତି । ସର୍ଭେର ଭାଗନେଇ ଥିବା ପ୍ରାୟ ୫୨% ବ୍ୟକ୍ତି ମତ ଦେଇଥିଲେ ଯେ ସେମାନେ ବିଗତ ୧ ବର୍ଷ ମଧ୍ୟରେ ପିନ୍ଧିବା ପାଇଁ ଲୁଙ୍ଗି କିଣିଛନ୍ତି । ୨୧ ପ୍ରତିଶତ ମତ ଦେଇଥିଲେ ଯେ ସେମାନେ ବିଗତ ୧ ବର୍ଷ ମଧ୍ୟରେ ଧୋତି କିଣିଥିଲେ ଓ ୧୩ ପ୍ରତିଶତ ମତ ଦେଇଥିଲେ ଯେ ସେମାନେ କୁର୍ତ୍ତା ପାଇଜାମା କିଣିଥିଲେ । କୁର୍ତ୍ତା ପାଇଜାମା ପିନ୍ଧିବାରେ ହରିୟାଣା ଓ ଦିଲ୍ଲୀ ଲୋକେ ଆଗୁଆ ରହିଛନ୍ତି । ସେହିପରି ଧୋତି ପିନ୍ଧିବାରେ କେରଳ ସବୁଠାରୁ ଆଗୁଆ ଥିବାବେଳେ ତା’ପଛକୁ ରହିଛନ୍ତି ତାମିଲନାଡ଼ୁ, ଓଡ଼ିଶା, ବିହାର ଓ ରାଜସ୍ଥାନ ।

mint

ଅନ୍ୟପକ୍ଷରେ ଶାଢି ଆମ ଦେଶର ସବୁଠାରୁ ଲୋକପ୍ରିୟ ପାରମ୍ପରିକ ପୋଷାକ ବୋଲି ଜଣାପଡିଛି । ସର୍ଭେ କରାଯାଇଥିବା ୧୦ ଜଣ ମହିଳାଙ୍କ ମଧ୍ୟରୁ ୮ ଜଣ ଶାଢି ପିନ୍ଧିବାକୁ ଅଧିକ ପସନ୍ଦ କରୁଥିବା ଜଣାଯାଇଛି ।

ତେବେ ଦେଶରେ ଏବେ ପାଶ୍ଚାତ୍ୟ ପୋଷାକର ପ୍ରଚଳନ ଧୀରେ ଧୀରେ ବଢିଚାଲିଛି । ଏହି ରିପୋର୍ଟ ଅନୁସାରେ ଗରିବ ଓ ନିମ୍ନ ମଧ୍ୟବିତ୍ତଙ୍କ ତୁଳନାରେ ଧନୀ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ବ୍ୟକ୍ତିମାନେ ପାରମ୍ପରିକ ପୋଷାକ ଅପେକ୍ଷା ପାଶ୍ଚାତ୍ୟ ପୋଷାକ ଅଧିକ ପିନ୍ଧୁଛନ୍ତି ।

ସମ୍ବନ୍ଧିତ ଖବର