୩୯ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଭାଗ ନେବ ଓଡ଼ିଶା

ନୂଆଦିଲ୍ଲୀ : ଆସନ୍ତା ମାସ ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଗତି ମୈଦାନରେ ୩୯ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍-୨୦୧୯) ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶା ଭାଗ ନେବ। ବିଗତ ବର୍ଷମାନଙ୍କ ଭଳି ମେଳାରେ ଓଡ଼ିଶାର ପ୍ରଗତି, ଶିଳ୍ପ, ବାଣିଜ୍ୟ, ସଂସ୍କୃତି ଓ କଳାକୁ ଉପସ୍ଥାପନ କରାଯିବ। ଓଡ଼ିଶା ସମେତ ଦେଶର ୨୮ ରାଜ୍ୟ ଓ ୮ ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ଭାଗ ନେବେ ବୋଲି ଆଇଟିପିଓ ର ସୂତ୍ରରୁ ଜଣାପଡ଼ିଛି। ପ୍ରଗତି ମୈଦାନର ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ୨୩ ହଜାର ବର୍ଗ ମିଟର ଏରିଆରେ ମେଳାର ଆୟୋଜନ କରାଯାଉଛି। ପୁନଃନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ରାଜ୍ୟମାନଙ୍କର କୌଣସି ସ୍ବତନ୍ତ୍ର ପାଭିଲିୟନ ଦେଖିବାକୁ ମିଳିବ ନାହିଁ। ୩ ରୁ ୪ ହଲ ଭିତରେ ମେଳାର ଆୟୋଜନ ହେବ ଏବଂ ରାଜ୍ୟମାନଙ୍କ ସେମାନଙ୍କର ଆବଶ୍ୟକ ଅନୁସାରେ ସ୍ଥାନ ଆବଣ୍ଟନ କରାଯିବ। ଚଳିତ ବର୍ଷର ଆଇଆଇଟିଏଫ୍-୨୦୧୯ରେ ୨୦ ଦେଶ ମଧ୍ୟ ଭାଗ ନେଉଛନ୍ତି। ଆଫଗାନିସ୍ତାନ ପାର୍ଟନର ଦେଶ ରୂପେ ଏବଂ ଦକ୍ଷିଣ କୋରିଆ ଫୋକସ୍ ଦେଶ ରୂପେ ମେଳାରେ ଯୋଗ ଦେବେ। ଅପରପକ୍ଷେ ଝାଡ଼ଖଣ୍ଡ ଓ ବିହାର ଫୋକସ୍ ରାଜ୍ୟ ରୂପେ ମେଳାରେ ଭାଗ ନେବେ ବୋଲି ଆଇଟିପିଓ କର୍ତ୍ତୃପକ୍ଷ ଅବଗତ କରାଇଛନ୍ତି। ଆଇଆଇଟିଏଫ୍-୨୦୧୯ର ଥିମ୍ ରହିଛି ‘ଇଜ୍ ଅଫ୍ ଡୁଇଂ ବିଜିନେସ୍’। ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ମେଳା ବ୍ୟବସାୟ ପାଇଁ ଖୋଲା ରହିବ ଏବଂ ୧୯ ରୁ ୨୭ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ମେଳାକୁ ପରିଦର୍ଶନ କରିବେ। ଆଇଆଇଟିଏଫ୍-୨୦୧୯ରେ ଓଡ଼ିଶା ଦିବସ ମଧ୍ୟ ପାଳନ କରାଯିବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯିବ ବୋଲି ଜଣା ପଡ଼ିଛି।

ସମ୍ବନ୍ଧିତ ଖବର