ଗୁମ୍ଫା ମଧ୍ୟରେ ଅମ୍ଳଜାନ ସ୍ତର କମୁଥିବା ବେଳେ ବଢ଼ୁଛି ଜଳସ୍ତର; ଉଦ୍ଧାରକାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ଵିତ କରିବାକୁ ନିର୍ଦ୍ଦେଶ ଦେଲେ ଥାଇ ସରକାର

ଗୁମ୍ଫା ମଧ୍ୟରେ ଅଟକ ନାବାଳକ ଫୁଟବଲ ଖେଳାଳିଙ୍କ ଜୀବନ ପ୍ରତି ବଢ଼ୁଛି ବିପଦ

ବ୍ୟାଙ୍କକ୍‌: ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଗତ ପ୍ରାୟ ଦୁଇ ସପ୍ତାହ ହେବ ବନ୍ଦୀ ହୋଇ ରହି ଯାଇଥିବା ୧୨ଜଣ ନାବାଳକ ଫୁଟବଲ୍‌ ଖେଳାଳି ଏବଂ ସେମାନଙ୍କ କୋଚଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍‌କୁ ଆହୁରି ତ୍ୱରାନ୍ଵିତ ଓ ବ୍ୟାପକ କରିବା ପାଇଁ ଥାଇଲାଣ୍ଡ ସରକାର ଆଜି ନିର୍ଦ୍ଦେଶ ହେଇଛନ୍ତି। ଗୁମ୍ଫା ମଧ୍ୟରେ ଅମ୍ଳଜାନ (ଅକ୍ସିଜେନ୍‌)ର ସ୍ତର କମୁଥିବା ବେଳେ ପାଣିର ସ୍ତର ବଢ଼ୁଥିବାରୁ ସେମାନଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା ପାଇଁ ଆଉ ଅଧିକ କାଳ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ଥାଇଲାଣ୍ଡ ସରକାର ଆଜି ସ୍ପଷ୍ଟ କରି ଦେଇଛନ୍ତି।

ଏବେବି ସଂପୃକ୍ତ ଗୁମ୍ଫା ଅଞ୍ଚଳରେ ପାଗ ଖରାପ ରହିବା ସହ ପ୍ରବଳ ବର୍ଷା ଲାଗି ରହିଥିବା କାରଣରୁ ଗୁମ୍ଫା ମଧ୍ୟରେ ପାଣିର ସ୍ତର କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ଏଣେ ଉଦ୍ଧାର କାର୍ଯ୍ୟ ଯେତେ ଗଡୁଛି ଗୁମ୍ଫା ମଧ୍ୟରେ ଅମ୍ଳଜାନର ସ୍ତର ମଧ୍ୟ ସେହି ପରିମାଣରେ କମିବାରେ ଲାଗିଛି। ତେଣୁ ପରିସ୍ଥିତିର ଗୁରୁତ୍ୱକୁ ଉବଲବ୍ଧି କରି ଆଜି ଏକାଧିକ ଉଚ୍ଚ କ୍ଷମତା ସଂପନ୍ନ ପମ୍ପ ଲଗାଯାଇ ଗୁମ୍ଫା ମଧ୍ୟରୁ ଜଳ ନିଷ୍କାସନ କରାଯିବା ସହ ଗୁମ୍ଫା ମଧ୍ୟକୁ ଏକ ଅମ୍ଳଜାନ ପାଇପ୍‌ ଛାଡ଼ିବା ପାଇଁ ଉଦ୍ଧାରକାରୀ ଦଳ ଜୋରସୋରରେ ଉଦ୍ୟମ ଚଳାଇଛନ୍ତି।

ଅନ୍ୟପକ୍ଷରେ ଗତ ଗୁରୁବାର ଦିନ ଗୁମ୍ଫା ମଧ୍ୟରେ ଅଟକ ଥିବା ନାବାଳକ ଫୁଟବଲ ଖେଳାଳିମାନଙ୍କ ନିକଟକୁ ଏକ ଅମ୍ଳଜାନ ସିଲିଣ୍ଡର ନେଇ ଯାଉଥିବା ବେଳେ ଥାଇଲାଣ୍ଡ ନୌସେନାର ଜଣେ ଜବାନଙ୍କର ଅମ୍ଳଜାନ ଅଭାବ କାରଣରୁ ମୁତ୍ୟୁ ଘଟିବା ପରେ, ଆଜି ଥାଇଲାଣ୍ଡ ସରକାର ଘୋଷଣା କରି କହିଛନ୍ତି ଯେ ଗୁମ୍ଫା ମଧ୍ୟରେ ଅଟକ ରହି ଯାଇଥିବା ନାବାଳକ ଫୁଟବଲ ଖେଳାଳିମାନଙ୍କର ଉଦ୍ଧାର କାର୍ଯ୍ୟକୁ ଆଉ କୌଣସି ସ୍ଥିତିରେ ବି ବିଳମ୍ବିତ କରା ଯାଇ ପାରିବ ନାହିଁ।


ଉଦ୍ଧାରକାର୍ଯ୍ୟର ତଦାରଖରେ ଥିବା ଜଣେ ବରିଷ୍ଠ ଅଧିକାରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଆମେ ଆଗ ଯୁଦ୍ଧକାଳୀନ ଭିତ୍ତିରେ ଗୋଟିଏ ଅମ୍ଳଜାନ ପାଇପ୍‌ ଓ ଫୋନ୍‌ ଅଟକ ନାବାଳକ ଫୁଟବଲ ଖେଳାଳମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଛୁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉତ୍ତର ଥାଇଲାଣ୍ଡର ଚିଆଙ୍ଗ୍‌ ରାଇ ପ୍ରଦେଶରେ ଗତ ଜୁନ୍‌ ୨୩ ତାରିଖରେ ଏକ ୧୨ ଜଣିଆ ନାବାଳକ ଫୁଟବଲ ଟିମ୍‌ ସେମାନଙ୍କ କୋଚ୍‌ଙ୍କ ସହ ଲୁଆଙ୍ଗ ନାଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ତେବେ, ସେମାନେ ସମସ୍ତେ ଗୁମ୍ଫା ମଧ୍ୟରେ ଥିବାବେଳେ ଅଚାନକ ବନ୍ୟା ଆସି ଗୁମ୍ଫା ମଧ୍ୟରେ ପାଣି ଭର୍ତ୍ତି ହୋଇଯିବାରୁ ସେମାନେ ଫେରି ନପାରି ଗୁମ୍ଫା ମଧ୍ୟରେ ଫସି ଯାଇଥିଲେ। ସେମାନଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା ପାଇଁ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ କରାଯାଇଛି। ଏହି ଅପରେସନ୍‌ରେ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ୍‌, ଚୀନ୍‌ ଓ ଅଷ୍ଟ୍ରେଲିଆର ଉଦ୍ଧାରକାରୀ ଦଳ ସାମିଲ ହୋଇଥିଲେ। ତେବେ, ଦୀର୍ଘ ୯ ଦିନ ପରେ ସେମାନଙ୍କୁ ସୁରକ୍ଷିତ ଅବସ୍ଥାରେ ଗୁମ୍ଫା ମଧ୍ୟରେ ଠାବ କରାଯାଇଥିଲା। ଏହି ନାବାଳକ ଫୁଟବଲ ଖେଳାଳିମାନଙ୍କର ବୟସ ୧୧ରୁ ୧୬ ବର୍ଷ ମଧ୍ୟରେ ଏବଂ ଏମାନେ ସମସ୍ତେ ଥାଇଲାଣ୍ଡର ଓ୍ଵାଇଲ୍‌ଡ ବୋର୍‌ ଫୁଟବଲ୍‌ ଟିମ୍‌ର ସଦସ୍ୟ।

ସମ୍ବନ୍ଧିତ ଖବର