ନିଅଣ୍ଟ ଭରଣା ପାଇଁ ତେଲ କମ୍ପାନି ଭରସା

ସରକାର ମାଗିଲେ ଦ୍ବିତୀୟ ଅନ୍ତରୀଣ ଲାଭାଂଶ, ଆଇଓସିଏଲ ଡାକିଲା ବୋର୍ଡ ବୈଠକ, ଓଏନଜିସି ଦେବାକୁ ମନାକଲା

ନୂଆଦିଲ୍ଲୀ : ସରକାରଙ୍କୁ ରାଜସ୍ବ ନିଅଣ୍ଟ ଚିନ୍ତା ଖୁବ ଜୋରରେ ଘାରିଲାଣି। ନିଅଣ୍ଟିଆ ପରିସ୍ଥିତିର ମୁକାବିଲା କରିବା ଲାଗି ସରକାର ଏବେ ତେଲ କମ୍ପାନି ଗୁଡ଼ିକ ଉପରେ ନଜର ପକାଇଛନ୍ତି। ଦୁଇଟି କମ୍ପାନିଠାରୁ ଦ୍ବିତୀୟ ଥର ପାଇଁ ସରକାର ଅନ୍ତରୀଣ ଲାଭାଂଶ ମାଗିଛନ୍ତି। ସେହି ଦୁଇଟି କମ୍ପାନି ହେଲେ ଓଏନଜିସି ଓ ଆଇଓସିଏଲ। ତେବେ ଓଏନଜିସି ଦ୍ବିତୀୟ ଅନ୍ତରୀଣ ଲାଭାଂଶ ଦେବାକୁ ସ୍ପଷ୍ଟ ଭାବେ ମନା କରିଦେଇଛି। ଉକ୍ତ କମ୍ପାନି କହିଛି ଏହା ନିକଟରେ ବଳକା ଅର୍ଥ ନାହିଁ। ଏଥିସହିତ ମାସକ ମଧ୍ୟରେ ଦ୍ବିତୀୟ ଥର କମ୍ପାନି ଲାଭାଂଶ ଦେଇ ପାରିବ ନାହିଁ ବୋଲି ମନା କରିଦେଇଛି। ତେବେ ଆଇଓସିଏଲ ଏହା ଉପରେ ଆଲୋଚନା ପାଇଁ ଆସନ୍ତା ୧୯ ତାରିଖରେ ବୋର୍ଡ ବୈଠକ ଡାକିଛି। ନିୟମ ଅନୁଯାୟୀ, ମାସକ ମଧ୍ୟରେ ଗୋଟିଏ କମ୍ପାନି ଦ୍ବିତୀୟ ଥର ଲାଭାଂଶ ଘୋଷଣା କରିପାରିବ ନାହିଁ। ଏଥିସହିତ ଓଏନଜିସି ଭଳି କମ୍ପାନିଙ୍କୁ ଏଥିପାଇଁ ସେବିର ମଞ୍ଜୁରି ଆଣିବାକୁ ହେବ।

ଉଲ୍ଲେଖଯୋଗ୍ୟ ଯେ, ସରକାର ନିକଟରେ ରିଜର୍ଭ ବ୍ୟାଙ୍କଠାରୁ ଚଳିତ ଆର୍ଥିକ ବର୍ଷ ପାଇଁ ଦ୍ବିତୀୟ ଅନ୍ତରୀଣ ଲାଭାଂଶ ବାବଦରେ ୨୮ ହଜାର କୋଟି ହାତେଇ ସାରିଛନ୍ତି। ପୂର୍ବରୁ ଗତ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ୪୦ ହଜାର କୋଟି ଟଙ୍କା ଦେଇଥିଲା। ତେଣୁ ଚଳିତ ଆର୍ଥିକବର୍ଷରେ ସରକାର ରିଜର୍ଭ ବ୍ୟାଙ୍କଠାରୁ ଲାଭାଂଶ ବାବଦରେ ରେକର୍ଡ ୬୮ ହଜାର କୋଟି ଟଙ୍କା ନେଇ ସାରିଛନ୍ତି। ଏହାପରେ ଅନ୍ୟ କମ୍ପାନିର ଲାଭ ଉପରେ ସରକାର ନଜର ପକାଇଛନ୍ତି।

ସମ୍ବନ୍ଧିତ ଖବର