ପାକିସ୍ତାନରେ ଦ୍ରୁତ ଗତିରେ ବଢୁଛି ତେଲଦର, ଡିଜେଲ ୧୧୭ ଟଙ୍କା ଓ ପେଟ୍ରୋଲ ୯୯ ଟଙ୍କାରେ ପହଞ୍ଚିଲା

ଇସ୍ଲାମାବାଦ: ଆମ ଦେଶରେ ପେଟ୍ରୋଲ, ଜିଡେଲ ଦର ବଢିଗଲେ ଲୋକେ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ଅନେକ ମଧ୍ୟ ପଡୋଶୀ ପାକିସ୍ତାନର ତେଲ ଦର ସହିତ ତୁଳନା କରୁଛନ୍ତି । ସେଠାକାର ସରକାର ଯଦି କମ ପଇସାରେ ତେଲ ଓ ଗ୍ୟାସ ଯୋଗାଇ ପାରୁଛନ୍ତି ଭାରତ ସରକାର କାହିଁକି ନୁହେଁ । ପ୍ରକୃତ କଥା ହେଉଛି ପାକିସ୍ତାନ ସରକାର ମଧ୍ୟ ତେଲ ଓ ଗ୍ୟାସ ଉପରେ ସବସୀଡି ଦେଇ ଦେଇ ବିପୁଳ କ୍ଷତି ସହୁଛନ୍ତି ।

ଏଥିପାଇଁ ସେଠାକାର ସରକାର ଗତକାଲି ତେଲ ଓ ଗ୍ୟାସ ଦର ବଢାଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ତେଲ ଦର ଅଧିକ ଥିବାବେଳେ ପାକିସ୍ତାନୀ ଟଙ୍କାର ମୂଲ୍ୟ କମିଚାଲିଛି ଏହି କାରଣରୁ ସରକାର ଦର ବଢାଇଛନ୍ତି । ଏପ୍ରିଲ ମାସ ପାଇଁ ତେଲ ଦର ୬.୪୫ ପ୍ରତିଶତ ବଢିଛି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୬ ଟଙ୍କା ବଢିଥିବାବେଳେ କିରାସିନି ଲିଟର ପିଛା ୩ ଟଙ୍କା ବଢିଛି । ଏହା ଫଳରେ ପାକିସ୍ତାନରେ ଡିଜେଲ ଲିଟର ପିଛା ୧୧୭ ଟଙ୍କା ୪୩ ପଇସା ଓ ପେଟ୍ରେଲ ଲିଟର ପିଛା ୯୮ ଟଙ୍କା ୮୯ ପଇସାକୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଯେ ପାକିସ୍ତାନରେ ମାସିକ ତେଲ ଦର ନିର୍ଦ୍ଧାରଣ ହୋଇଥାଏ । ସରକାରଙ୍କ ଏହି ଘୋଷଣା ଶୁଣି ସାଧାରଣ ପାକିସ୍ତାନୀ ଲୋକଙ୍କ ହୋସ ଉଡିଯାଇଛି ।

ସମ୍ବନ୍ଧିତ ଖବର