ତେଲଦର ବୃଦ୍ଧି ମୋଦିଙ୍କ ୨୦୧୯ ଆଶାକୁ ନିରାଶାରେ ପରିଣତ କରିପାରେ !

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢିଚାଲିଛି । ଏହାକୁ ତାଳଦେଇ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଅସମ୍ଭାଳ ହେଲାଣି । ଦେଶର କେତେକ ସହରରେ ପେଟ୍ରୋଲ ଦର ୮୦ ଟଙ୍କା ଛୁଇଁଥିବାବେଳେ ଡିଜେଲ ମଧ୍ୟ ୭୦ ଟଙ୍କା ଟପିଛି । ଏହି ଦରବୃଦ୍ଧି ଅନ୍ତର୍ଜାତୀୟ ବଜାରରେ ପ୍ରଭାବରୁ ହେଉଥିଲେ ମଧ୍ୟ ତାହା ଦେଶର ରାଜନୈତିକ ପାଣିପାଗକୁ ଗରମ କରିଦେଇଛି । ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ଏପରି ବଢିଚାଲିଲେ ତାହା ୨୦୧୯ ନିର୍ବାଚନରେ ମୋଦିଙ୍କ ଭବିଷ୍ୟତକୁ ମଧ୍ୟ ପ୍ରଭାବିତ କରିବ । କର୍ଣ୍ଣାଟକ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାୟ ୧୯ ଦିନ ପର୍ଯ୍ୟନ୍ତ ଦର ବୃଦ୍ଧି କରାଯାଇନଥିଲା । ଯଦି ଦର ବୃଦ୍ଧି କୁ ଅଟକାଯାଇନଥାନ୍ତା, ତେବେ ତାହା ବିଜେପିର ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିଥାନ୍ତା । ଏବେ ନିର୍ବାଚନ ଶେଷ ହୋଇଥିବାରୁ ତେଲ କମ୍ପାନିମାନେ ପୁଣି ଦର ବଢାଇଛନ୍ତି । କିନ୍ତୁ ଆଗକୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୧୯ରେ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ତାହା ସରକାରଙ୍କୁ ଚିନ୍ତାରେ ପକାଇଛି । ତେବେ ଉତ୍ପାଦ ଶୁଳକ ହ୍ରାସ ପାଇଁ ସରକାର ଯୋଜନା କରୁଛନ୍ତି ବୋଲି ସୂଚନା ମିଳିଛି ।

ବିଶ୍ୱ ବଜାରରେ ତେଲ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଯାଇଛି । ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି ।

ସମ୍ବନ୍ଧିତ ଖବର