ସତରେ କଣ ପାକିସ୍ତାନ ଓ ବାଂଲାଦେଶରେ ପେଟ୍ରୋଲ, ଡିଜେଲ ଦର ଶସ୍ତା ?

ଭୁବନେଶ୍ୱର : ତେଲଦରକୁ ନେଇ ଆମ ଦେଶରେ ଏବେ ପାଣିପାଗ ଗରମ ଅଛି । ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ସମସ୍ତେ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଅବଶ୍ୟ ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର କମୁଛି । କିନ୍ତୁ ଏତେ କମ ପଇସା କମୁଛି ଯେ ତାହାକୁ ନେଇ ସମାଲୋଚନା କରାଯାଉଛି । ସେହିପରି ସୋସିଆଲ ମିଡିଆରେ ବୁଲୁଥିବା ଖବର ଅନୁସାରେ ଭାରତ ତୁଳନାରେ ପଡୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶରେ ତେଲ ଦର ବହୁତ କମ ରହିଛି । ସେମାନେ ଯଦି ଶସ୍ତାରେ ତେଲ ଯୋଗାଇପାରୁଛନ୍ତି ଆମ ଦେଶରେ ଦର ଏତେ ଚଢା କାହିଁକି ? ଏବେ ଚାଲନ୍ତୁ ଆମେ ତାହାର ସତ୍ୟାସତ୍ୟ ଜାଣିବା ।

ପାକିସ୍ତାନ : ଆମ ଦେଶ ପରି ପାକିସ୍ତାନରେ ଏବେ ପେଟ୍ରୋଲ, ଡିଜେଲ ଦର ବଢିଚାଲିଥିବାରୁ ସେଠାକାର ଲୋକମାନେ ଅସନ୍ତୁଷ୍ଟ ଅଛନ୍ତି । ପାକିସ୍ତାନରେ ଏବେ ପେଟ୍ରୋଲ ଲିଟର ପିଛା ଟ.୮୭.୭୦ ପଇସା, ଡିଜେଲ ଟ.୯୮.୭୬ ପଇସା ଓ କିରାସିନି ଟ.୭୯.୮୭ ପଇସା ରହିଛି । ଅବଶ୍ୟ ଭାରତୀୟ ଟଙ୍କା ହିସାବରେ ପେଟ୍ରୋଲ ପ୍ରାୟ ୫୧ ଟଙ୍କା ଓ ଡିଜେଲ ପ୍ରାୟ ୫୭ ଟଙ୍କା ହେବ । ପାକିସ୍ତାନରେ ପ୍ରତି ମାସରେ ତେଲଦର ବଦଳେ । ଜୁନ ମାସରେ ପେଟ୍ରୋଲ ଲିଟର ପିଛା ଟ.୮.୩୭ ପଇସା ଓ ଡିଜେଲ ଲିଟର ପିଛା ୧୨.୫ ପଇସା ବଢାଇବାକୁ ପାକିସ୍ତାନର ତୈଳ ଓ ଗ୍ୟାସ ନିୟାମକ କର୍ତ୍ତୃପକ୍ଷ ( ଓରଗା) ସରକାରଙ୍କୁ ସୁପାରିଶ କରିଛି । କିନ୍ତୁ ଆଗକୁ ନିର୍ବାଚନ ଥିବାରୁ ସରକାର ଏହି ପ୍ରସ୍ତାବକୁ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି ।

ବାଂଲାଦେଶ : ବାଂଲାଦେଶରେ ଏବେ ପେଟ୍ରୋଲ ଲିଟର ପିଛା ୮୬ ଟାକା ( ଭାରତୀୟ ମୁଦ୍ରାରେ ୬୮ ଟଙ୍କା) ଓ ଡିଜେଲ ଲିଟର ପିଛା ୬୫ ଟାକା (ଭାରତୀୟ ମୁଦ୍ରାରେ ଟ.୫୧.୪୭) ରହିଛି । ବାଂଲାଦେଶରେ ପ୍ରତି ମାସରେ ତେଲଦର ସମୀକ୍ଷା କରାଯାଏ । ଜୁନ ମାସରେ ତେଲ ଦର ବଢାଇବାକୁ ସେଠାକାର ତୈଳମାର୍କେଟିଂ କମ୍ପାନି ପ୍ରସ୍ତାବ ଦେଇଛି ।

ସମ୍ବନ୍ଧିତ ଖବର