ଭାରତର ତେଲ ଚିନ୍ତା ବଢ଼ିଲା

ଇରାନ ପରେ ଏବେ ସାଉଦିକୁ ଆମେରିକାର ଧମକ, ପ୍ରଧାନମନ୍ତ୍ରୀ ମୋଦୀ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ/ ୱାସିଂଟନ : ଇରାନ ପରେ ସାଉଦି ଆରବ ସହିତ ଯୁକ୍ତରା‌ଷ୍ଟ୍ର ଆମେରିକାର ସମ୍ପର୍କ ଖରାପ ହେବାରେ ଲାଗିଛି। ୱାସିଂଟନ ପୋ‌‌ଷ୍ଟ ପାଇଁ ଲେଖାଲେଖି କରୁଥିବା ଜମାଲ ‌ଖାସୋଗି ନାମକ ସାମ୍ବାଦିକ ନିଖୋଜ ହେବା ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ସାଉଦି ଆରବର ଶାସକ ମହମ୍ମଦ ବିନ ସଲମାନ ମୁହାଁମୁହିଁ ପରିସ୍ଥିତିକୁ ଆସି ଯାଇଛନ୍ତି। ସାମ୍ବାଦିକ ଖାସୋଗିଙ୍କୁ ଯଦି ସାଉଦି ସରକାରଙ୍କ ପକ୍ଷରୁ ହତ୍ୟା କରାଯାଇଥାଏ, ତାହେଲେ ଏହି ଦେଶ ବିରୋଧରେ ଦୃଢ଼ କାର୍ଯ୍ୟାନୁ‌ଷ୍ଠାନ ନିଆଯିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ତେବେ ଏହି ଧମକରେ ଡରି ନଯାଇ ସାଉଦି ଶାସକ ମଧ୍ୟ ଏହାର କଡ଼ା ଜବାବ ଦେଇଛନ୍ତି। ତାଙ୍କ ଦେଶ ବିରୋଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଏ ତାହେଲେ ତାଙ୍କ ପକ୍ଷରୁ ମଧ୍ୟ ତା’ଠାରୁ ବଡ଼ ଧରଣର ଜବାବୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଲମାନ କହିଛନ୍ତି।

ଆମେରିକା ଓ ସାଉଦି ଆରବ ମଧ୍ୟରେ ସମ୍ପର୍କ ଖରାପ ହେବା ଏବେ ଭାରତ ପାଇଁ ବଡ଼ ଚିନ୍ତାର କାରଣ ପାଲଟି ଯାଇଛି। ସାଉଦି ଆରବ ବିଶ୍ବର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ। ଇରାନରୁ ବିଶ୍ବ ସମୁଦାୟ ତେଲ କ୍ରୟ ବନ୍ଦ କରିଲେ ମଧ୍ୟ ସାଉଦି ଆରବ ଓ ରୁଷିଆ ସେମାନଙ୍କ ତୈଳ ଉତ୍ପାଦନ ବୃଦ୍ଧି କରି ଏହାକୁ ଭରଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଉଦି ଆରବର ତୈଳ ଉତ୍ପାଦନ କ୍ଷମତାକୁ ପୂର୍ଣ୍ଣମାତ୍ରାରେ ଉପଯୋଗ କରାଯାଇ ନାହିଁ। ତେଣୁ ବଳକା ତୈଳ ଉତ୍ପାଦନ କ୍ଷମତାକୁ ସାଉଦି ଆରବ ଉପଯୋଗ କରି ଅଧିକ ତେଲ ଉତ୍ପାଦନ କରିବ ବୋଲି ଯେଉଁ ଆଶା ପୂର୍ବରୁ ରହିଥିଲା ତାହା ଏବେ ମଉଳିବାରେ ଲାଗିଛି।

ତେଲ ସଙ୍କଟ ସୃଷ୍ଟି ହେଲେ ଏହାର କିପରି ମୁକାବିଲା କରାଯିବ ସେ ସଂପର୍କରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶବିଦେଶର ତେଲ କମ୍ପାନି ସିଇଓଙ୍କ ସହିତ ମାନସମନ୍ଥନ କରିବେ। ଇରାନରୁ ତେଲ ଆମଦାନି ଉପରେ ଆମେରିକାର କଟକଣା ଲାଗୁ ହେବା ପରେ ଏହାର ପ୍ରଭାବ କ’ଣ ରହିବ ତାହା ଉପରେ ମୁଖ୍ୟତଃ ଆଲୋଚନା ହେବ।

ଏତଦ୍‌ବ୍ୟତୀତ ଦେଶରେ ତେଲ ଓ ଗ୍ୟାସ୍‌ ଉତ୍ପାଦନ ବୃଦ୍ଧି ଲାଗି ନିବେଶରେ କିଭଳି ସୁଧାର ଅଣାଯାଇ ପାରିବ ତାହା ଉପରେ ମଧ୍ୟ ଆଲୋଚନା ହେବ ବୋଲି ସରକାରୀ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି। ତୃତୀୟ ବର୍ଷ ପାଇଁ ମୋଦୀ ‌ଦେଶ ବିଦେଶର ପ୍ରମୁଖ ତେଲ କମ୍ପାନି ମୁଖ୍ୟଙ୍କ ସହ ଆଲୋଚନା କରିବେ। ପୂର୍ବରୁ ୨୦୧୬ ଜାନୁଆରି ୫ରେ ଏବଂ ୨୦୧୭ ଅକ୍ଟୋବରରେ ମୋଦୀ ତେଲ କମ୍ପାନି ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ। ସୋମବାରର ବୈଠକରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଉଦି ଆରବର ତେଲ ମନ୍ତ୍ରୀ ଖଲିଦ ଏ ଅଲ ଫଲିହ, ବ୍ରିଟିସ ପେଟ୍ରୋଲୟିମ ସିଇଓ ବବ୍ ଡଡଲି, ଟୋଟାଲର ମୁଖ୍ୟ ପାଟ୍ରିକ ଫୌୟାନି, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନି ଓ ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ, ଓଏନଜିସି ସିଏମ୍‌ଡି ଶଶି ଶଙ୍କର, ଇଣ୍ଡିଆନ ଅଏଲ ଅଧ୍ୟକ୍ଷ ସଞ୍ଜୀବ ସିଂହ, ଗେଲ୍‌ ଇଣ୍ଡିଆ ମୁଖ୍ୟ ବି ସି ତ୍ରିପାଠୀଙ୍କ ସମେତ ଏଚ୍‌ପିସିଏଲ, ଅଏଲ ଇଣ୍ଡିଆ, ବିପିସିଏଲ କମ୍ପାନି ମୁଖ୍ୟମାନେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ନିତି ଆୟୋଗର ସଂଯୋଜନାରେ ହେଉଥିବା ଏହି ବୈଠକରେ ବର୍ତ୍ତମାନର ତେଲ ଦର ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର