ତେଲ ଦର ବଢିବା ପାଇଁ ଡୋନାଲ୍ଡ ଟ୍ରମ୍ପ ଦାୟୀ !

ନୂଆଦିଲ୍ଲୀ : ବିଶ୍ୱ ବଜାରରେ ଅସମ୍ଭାଳ ହେଲାଣି ତେଲଦର । ଆଜି ବ୍ରେଣ୍ଟ କ୍ରୁଡ୍‌ ଅଏଲ ବ୍ୟାରେଲ ପିଛା ୭୭.୫୦ ଡଲାରକୁ ଛୁଇଁଛି । ଏହା ଫଳରେ ଆମ ଦେଶରେ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ଆହୁରି ବଢିବା ସମ୍ଭାବନା ବଢିଯାଇଛି । ଗତ ୧୫ ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ବଢି ନାହିଁ, ଏଣୁ ହୋଇପାରେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବ । ଆଗାମୀ ଦିନରେ ଅଶୋଧିତ ତେଲ ଦର ୮୩ ଡଲାରକୁ ଛୁଇଁବା ର ସମ୍ଭାବନା ରହିଛି ବୋଲି ଗୋଲଡମ୍ୟାନ ସାକ୍ସ ପୂର୍ବାନୁମାନ କରିିଛି । ଏପରି ହେଲେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ୮୦ ଟଙ୍କା ଟପିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ହୋଇଥିବା ଆଣବିକ ଚୁକ୍ତିରୁ ଓହରିବାକୁ ନିଷ୍ପତି ନେବା ପରେ ବିଶ୍ୱ ବଜାରରେ ତେଲ ଦର ବୃଦ୍ଧି ପାଇଛି । କାରଣ ଆମେରିକା ପୁଣି ଥରେ ଇରାନ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛି । ଏହା ଫଳରେ ଇରାନ ବିଶ୍ୱ ବଜାରରେ ତେଲ ବିକ୍ରି କରିପାରିବ ନାହିଁ । ଇରାନ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ । ବିଶ୍ୱର ତୈଳ ଯୋଗାଣର ପ୍ରାୟ ୪ ପ୍ରତିଶତ ଇରାନରୁ ଆସିଥାଏ । ଇରାନ ମଧ୍ୟ ଭାରତକୁ ରିହାତି ଦରରେ ତେଲ ଯୋଗାଇଥାଏ । ଏଣୁ ଇରାନରୁ ଆମ ଦେଶକୁ ଆସୁଥିବା ତେଲ ଯୋଗାଣ କମିବ । ଅନ୍ୟପକ୍ଷରେ ପେଟ୍ରୋଲିୟମ ଉତ୍ପାଦନକାରୀ ସଂଘ ଓପେକର ଦେଶମାନେ ଦର ବଢାଇବାକୁ ତୈଳ ଉତ୍ପାଦନ ଜାଣିଶୁଣି କମ କରୁଛନ୍ତି । ଏଣୁ ଦର ବଢିଚାଲିଛି । ଏଣୁ କୁହାଯାଇପାରେ ଯେ ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଓ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଥିବାରୁ ତେଲ ଦର ବୃଦ୍ଧି ମୋଦି ସରକାରଙ୍କ ପାଇଁ ଏକ ଚିନ୍ତାର କାରଣ ହେବ ।

ସମ୍ବନ୍ଧିତ ଖବର