ଭୟଙ୍କର ରୂପ ନେଲା ଓଖି ବାତ୍ୟା, ମୃତ୍ୟୁ ସଂଖ୍ୟା ୧୬ ଛୁଇଁଲା

ନୂଆଦିଲ୍ଲୀ: କେରଳ ଏବଂ ତାମିଲନାଡ଼ୁରେ ବିପର୍ଯ୍ୟୟ ଆଣିଥିବା ‘ଓଖି’ ବାତ୍ୟା ଆସନ୍ତା ୨୪ ଘଣ୍ଟା ଭିତରେ ଅତି ଭୟଙ୍କର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୁତ୍ରରୁ ପ୍ରକାଶ । ଓଖି ହେତୁ ଉଭୟ ରାଜ୍ୟରେ ଏବେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି। ଲଗାଣ ବର୍ଷା ସାଙ୍ଗକୁ ପବନ ହେତୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସମସ୍ତ ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। କେରଳ ଏବଂ ଲାକ୍ଷାଦ୍ୱୀପ ଉପଦ୍ୱୀପର ୫୩୧ରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଜଳରୁ ଉଦ୍ଧାର କରାଯାଇଛି। କେରଳରୁ ୩୯୩ ଏବଂ ଲାକ୍ଷାଦ୍ୱୀପରୁ ୧୩୮ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ କହିଛନ୍ତି। ସମସ୍ତ ମୃତକଙ୍କ ପରିବାରକୁ ବିଜୟନ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଓଖି ବାତ୍ୟା ହେତୁ ହୋଇଥିବା କ୍ଷୟକ୍ଷତି ନେଇ ସମସ୍ତ କ୍ଷତିପୂରଣ ଏବଂ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସନା ଦେଇଛନ୍ତି। ଓଖି ହେତୁ କନ୍ୟାକୁମାରୀ ଏବଂ ତିରୁନେଲଭେଲି ରାଜ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ୧୨୦୦ରୁ ଊର୍ଦ୍ଧ୍ୱ ଲୋକ ଏହାଦ୍ୱାରା ପ୍ରଭାବିତ ହୋଇ ରିଲିଫ୍‌ ଶିବିରରେ ଅଛନ୍ତି। କେବଳ କନ୍ୟାକୁମାରୀରୁ୧,୦୪୪ ଜଣ ୧୬ ରିଲିଫ ଶିବିରରେ ରହିଛନ୍ତି।

ସମ୍ବନ୍ଧିତ ଖବର