ନୂଆଦିଲ୍ଲୀ: ଟ୍ୟାକ୍ସି ସେବା ପ୍ରଦାନ କରୁଥିବା କମ୍ପାନୀ ଓଲା ନିଜର ୧,୪୦୦ କର୍ମଚାରୀଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେଇଛି। କମ୍ପାନୀ ତରଫରୁ କୁହାଯାଇଛି ଯେ, କରୋନା ଭାଇରସ ଏବଂ ଲକଡାଉନ ଯୋଗୁଁ କମ୍ପାନୀ କ୍ଷତିଗ୍ରସ୍ତ ହୋଇଛି, ଗତ ଦୁଇ ମାସ ମଧ୍ୟରେ କୌଣସି ରୋଜଗାର ନାହିଁ। ରୋଜଗାର ନ ଥିବାରୁ କମ୍ପାନୀ ବାଧ୍ୟ ହୋଇ ଏହି ନିଷ୍ପତ୍ତି ନେଇଛି ବୋଲି ଓଲା ସିଇଓ ଭବିଶ ଅଗ୍ରୱାଲ କହିଛନ୍ତି ।
ଓଲାର ସିଇଓ ଭବିଶ ଅଗ୍ରୱାଲ ନିଜ କର୍ମଚାରୀଙ୍କୁ ପଠାଇଥିବା ଇ-ମେଲରେ ଲେଖିଛନ୍ତି ଯେ, କରୋନା ସଙ୍କଟ ଯୋଗୁଁ କମ୍ପାନୀର ରୋଜଗାର ହ୍ରାସ ହୋଇଛି । ଗତ ଦୁଇ ମାସ ମଧ୍ୟରେ କମ୍ପାନୀର ଆୟ ୯୫ ପ୍ରତିଶତ ହ୍ରାସ ପାଇଛି, ଯେଉଁ କାରଣରୁ କମ୍ପାନୀ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। କମ୍ପାନୀ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଛି ଏବଂ ଫଳସ୍ୱରୂପ ଏହା ୧,୪୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ବାଧ୍ୟ ହେଉଛି।
/sambad/media/post_attachments/4caba0c25d88e37ff70be1fc6b3c5b96988ac71692b8ee926f11ce636901557e.jpg)
ଯେଉଁ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି, କମ୍ପାନୀ ସେମାନଙ୍କୁ ତିନିମାସର ବେତନ ସହିତ ସର୍ବନିମ୍ନ ଆର୍ଥିକ ଦେୟ ପ୍ରଦାନ କରିବ |ବ୍ୟବସାୟର ଭବିଷ୍ୟତ କ’ଣ ହେବ, ତାହା ଏବେ କହିହେବ ନାହିଁ | କିନ୍ତୁ ଏହା ସ୍ପଷ୍ଟ ଯେ, କରୋନା ସଙ୍କଟର ପ୍ରଭାବ ଆମ ଉପରେ ଦୀର୍ଘ ସମୟ ଧରି ରହିବ ବୋଲି କହିଛନ୍ତି ଅଗ୍ରୱାଲ ।
ଓଲା ପୂର୍ବରୁ, କରୋନା ସଙ୍କଟକୁ ଦର୍ଶାଇ ଉବର ନିଜ କର୍ମଚାରୀଙ୍କ ଛଟେଇ ଘୋଷଣା କରିସାରିଛି। କମ୍ପାନୀ ଏପର୍ଯ୍ୟନ୍ତ ୨୫ ପ୍ରତିଶତ କର୍ମଚାରୀଙ୍କୁ ହ୍ରାସ କରିଛି। ଏଥିସହ କମ୍ପାନୀ ବିଶ୍ୱରେ ୪୫ଟି କାର୍ଯ୍ୟାଳୟ ବନ୍ଦ କରିଛି। ମେ ମାସ ଆରମ୍ଭରେ, ଉବର ୩,୭୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ସୋମବାର କମ୍ପାନୀ ୩୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି।