ଶେର ବାହାଦୂର ଦେଓବାଙ୍କ ଇସ୍ତଫା , ଚୀନ ସପକ୍ଷବାଦୀ ଓଲି ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଐତିହାସିକ ସଂସଦୀୟ ନିର୍ବାଚନର ପ୍ରାୟ ଦୁଇ ମାସ ପରେ ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ନେପାଳରେ ମାଓବାଦୀ ସାମୁଖ୍ୟ (ସିପିଏନ-ୟୁଏମଏଲ) ସରକାର କ୍ଷମତାକୁ ଆସିବାର ପଥ ପରିଷ୍କାର ହୋଇଛି । ନୂଆ ସରକାରରେ ୟୁଏମଏଲ ନେତା ତଥା ଚୀନ ସପକ୍ଷବାଦୀ ଖଡଗ ପ୍ରସାଦ ଶର୍ମା ଓଲି ପ୍ରଧାନମନ୍ତ୍ରୀ ହେବେ । ତେବେ ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ତାଙ୍କୁ ମାଓବାଦୀଙ୍କ ସମର୍ଥନ ଅବଶ୍ୟକ ପଡିବ । ୟୁଏମଏଲ ପକ୍ଷରୁ ଲଲିତପୁରଠାରେ ଅନୁଷ୍ଠିତ ଏକ ଷ୍ଟାଣ୍ଡିଂ କମିଟି ବୈଠକରେ ଓଲିଙ୍କୁ ସଂସଦୀୟ ଦଳ ନେତା ଚୟନ କରାଯାଇଥିଲା ।

ଅନ୍ୟପକ୍ଷରେ ୟୁଏମଏଲ୍‌ ଓ ସିପିଏନ ମାଓବାଦୀ କେନ୍ଦ୍ର ମଧ୍ୟରେ ମିଶ୍ରଣ ପ୍ରସ୍ତାବ ଉପରେ ମଧ୍ୟ କମିଟି ମଂଜୁରୀ ଦେଇଛି । ଏଥିଲାଗି ସିପିଏନ ମାଓବାଦୀ ଦଳର ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସମର୍ଥନ ମଧ୍ୟ ରହିଛି । ଗତ ଡିସେମ୍ବରରେ ହୋଇଥିବା ନିର୍ବାଚନରେ ଉଭୟ ମାଓବାଦୀ ଦଳ ମିଳିତଭାବେ ନିର୍ବାଚନ ଲଢିବାକୁ ରାଜି ହୋଇଥିଲେ । ଏଥିରେ ଉଭୟ ଦଳ ମୋଟ ୨୭୫ଟି ସିଟରୁ ୧୭୪ଟି ସିଟ୍‌ ପାଇଥିଲେ । ଏହି ମେଣ୍ଟ ମଧ୍ୟ ନେପାଳି ସଂସଦର ଉଚ୍ଚସଦନରେ ୩୯ ଟି ସିଟ୍‌ ପାଇଥିଲା । ଓଲି ପୂର୍ବରୁ ମଧ୍ୟ ଅକ୍ଟୋବର ୧୧, ୨୦୧୫ ରୁ ଅଗଷ୍ଟ ୩ ୨୦୧୬ ମଧ୍ୟରେ ନେପାଳର ପ୍ରଧାନମନ୍ତ୍ରୀ ଥିଲେ ।

ସମ୍ବନ୍ଧିତ ଖବର