ଧାରା ୩୭୭ ବେଆଇନ, ଭାରତରେ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଆଉ ଅପରାଧ ନୁହେଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପ୍ରାପ୍ତ ବୟସ୍କମାନଙ୍କ ପାଇଁ ସହମତିଗତ ସମଲିଙ୍ଗୀୟ ଦୈହିକ ସମ୍ପର୍କ ଅପରାଧ ନୁହେଁ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଘୋଷଣା କରିଛନ୍ତି।  ସମଲିଙ୍ଗୀୟ ଯୌନଚାର  ନିମନ୍ତେ ବ୍ୟକ୍ତିଙ୍କୁ ଦଣ୍ଡିତ କରୁଥିବା ବ୍ରିଟିସ ଅମଳର ଧାରା ୩୭୭କୁ ରଦ୍ଦ କରି ସର୍ବୋଚ୍ଚ ଅଦାଲତ ଏ ଭଳି ରାୟ ଶୁଣାଇଛନ୍ତି।

ଧରା ୩୭୭ ବ୍ୟବସ୍ଥା ଅନୁସାରେ, ସହମତିରେ ପ୍ରପ୍ତବୟସ୍କମାନଙ୍କ ସମଲିଙ୍ଗୀୟ ଯୌନାଚାର ଏକ ଅପରାଧ ଏବଂ ଏଥିରେ ଦୋଷୀ ସାବ୍ୟସ୍ତମାନଙ୍କୁ ଆଜୀବନ କରାଦଣ୍ଡ ବିଧାନ ରହିଛି। ବ୍ରିଟେନ୍‌ର ବଗେରି ଆକ୍ଟ୍‌ ୧୫୩୩ ଆଧାରରେ ଧାରା ୩୭୭ର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ, ବ୍ରିଟେନ୍‌ରେ ଏହା ଉଠି ଯାଇଥିଲେ ମଧ୍ୟ ଭାରତରେ ପ୍ରଚଳିତ ହୋଇ ଆସୁଥିଲା।

୨୦୦୯ରେ ଦିଲ୍ଲୀ ହାଇକୋର୍ଟ ଏକା ଲିଙ୍ଗର ଦୁଇ ପ୍ରାପ୍ତ ବୟସ୍କଙ୍କ ସହମତି କ୍ରମେ ଚାଲିଥିବା ଯୌନାଚାରକୁ ଅପରାଧରହିତ ବୋଲି ଘୋଷଣା କରିଥିଲେ। ଏହାକୁ ସମୀକ୍ଷା କରିବା ନିମନ୍ତେ ୨୦୧୩ରେ ହୋଇଥିବା ଏକ ଆବେଦନକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଖାରଜ କରିଥିଲେ।

ସୁପ୍ରିମ୍‌ କୋର୍ଟର ଏକ ସାମ୍ବିଧାନିକ ବେଞ୍ଚ୍‌  ବ୍ରିଟିସ୍‌ ଅମଳ ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ (ଆଇପିସି) ଧରା ୩୭୭କୁ ଦନ୍ତହୀନ କରିଛି। ଧାରା ୩୭୭ ଅନ୍ତର୍ଗତ କାର୍ଯ୍ୟକଳାପ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚିତ ହେଉଥିଲା। ଏବେ ଗୋପନରେ ସମଲିଙ୍ଗୀୟ ଯୌନାଚାରରେ ଲିପ୍ତ ରହିବା ଧାରା ୩୭୭ ଅନୁସାରେ ଆଉ ଦଣ୍ଡନୀୟ ନୁହେଁ।

ଗୁରୁବାରର ରାୟ ବ୍ୟକ୍ତିଗତ ସ୍ୱାଧୀନତା ପାଇଁ ନୂତନ ସକାଳ ଆଣିବା ସହ ଲେସ୍‌ବିୟାନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍‌ସ୍‌ଜେଣ୍ଡର୍‌ଙ୍କ ପାଇଁ ବଡ଼ ବିଜୟ ଆଣିଛି। ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ଆଇନ୍‌ର ବ୍ୟାଖ୍ୟାନ ହେବା ଉଚିତ ବୋଲି ସୁପ୍ରିମ୍‌ କୋର୍ଟ ରାୟ ଦେଇଛନ୍ତି।

ସମ୍ବନ୍ଧିତ ଖବର