ଗୋଟିଏ ପରିବାରର ୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଅହମଦାବାଦ୍‌: ଗୁଜରାଟରେ ୫ ବର୍ଷ ପୂ‌ର୍ବେ ହୋଇଥିବା ଏକ ଅନର କିଲିଂ ମାମଲାରେ ଆଜି ଏକ ସ୍ଥାନୀୟ କୋର୍ଟ ଗୋଟିଏ ପରିବାରର ୭ ଜଣଙ୍କୁ ଆଜୀବନ ଜେଲ୍‌ଦଣ୍ଡ ଦେଇଛନ୍ତି। ଗୁଜରାଟର ଦ୍ବାରକା ଜିଲ୍ଲା ସ୍ଥିତ ଜମଘଡ଼କା ଗ୍ରାମର ପୁରିବେନ୍‌ ଚୌହାନ୍‌ ନାମକ ଜଣେ ଯୁବତୀ ତାଙ୍କ ବାପା ମା’ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ସମ୍ପର୍କୀୟଙ୍କୁ ୨୦୧୦‌ରେ ବିବାହ କରିଥିଲେ। ଉକ୍ତ ବିବାହରେ ତାଙ୍କ ପରିବାର ସଦସ୍ୟ ଆଦୌ ସନ୍ତୁଷ୍ଟ ନଥିଲେ। ୨୦୧୪ ମସିହାରେ ପୁରିବେନ୍‌ ଏବଂ ତାଙ୍କ ସ୍ବାମୀ ଗୋବିନ୍ଦଭାଇ ଚୌହାନ୍‌ ଗାଁ କ୍ଷେତରେ କାମ କରୁଥିବାବେଳେ ପରିବାରର ସଦସ୍ୟମାନେ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ପୁରିବେନ୍‌ଙ୍କ ସ୍ବାମୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ପୁରିବେନ୍‌ଙ୍କର ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଆଜି ଏହି ମାମଲାରେ ପୁରିବେନ୍‌ଙ୍କ ବାପା-ମା’ ଜେସାଭାଇ ଚୌହାନ ଏବଂ କାନ୍ତାବେନ୍‌ଙ୍କ ସମତେ ୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଅତିରିକ୍ତ ସେସନ୍ସ ବିଚାରପତି ଏଏମ୍‌ ଶେଖ୍‌ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର