ଏଏସ୍‌ ଆଇ ସହିଦ, ୩ ଆତଙ୍କବାଦୀ ନିପାତ

ବିଏସ୍‌ ଏଫ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: କଡ଼ା ସୁରକ୍ଷା ବଳୟରେ ଥିବା ଶ୍ରୀନଗର ବିମାନ ବନ୍ଦର ନିକଟରେ ଅବସ୍ଥିତ ବିଏସ୍‌ ଏଫ୍‌ ଶିବିର ଉପରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛି। ଏଥିରେ ବିଏସ୍‌୍‌ଏଫ୍‌ର ଜଣେ ଏଏସ୍‌ଆଇ ସହିଦ ହୋଇଯାଇଥିବା ବେଳେ  ଆକ୍ରମଣ କରିଥିବା ସମସ୍ତ ୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏସ୍‌ପି ବୈଦ କହିଛନ୍ତି ଯେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସହ  ଆଜି ଭୋର୍‌ ସମୟରେ କ୍ୟାମ୍ପ୍‌ରେ ଆକ୍ରମଣ ଉଦ୍ୟମ କରିଥିବା ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।  କ୍ୟାମ୍ପ୍‌ ପରିସରରେ ଥିବା କୋଠାଗୁଡ଼ିକୁ ତନ୍ନ ତନ୍ନ କରି  ଯାଞ୍ଚ କରାଯାଉଛି। ଆତଙ୍କବାଦୀମାନେ ବିସ୍ଫୋରକ ଖଂଜିଥିବା ଆଶଙ୍କାରେ ବ୍ୟାପକ ତଲାସି ଚାଲିଥିବା ସେ କହିଛନ୍ତି। ଆଜି ହୋଇଥିବା ଆତ୍ମଘାତୀ ଆକ୍ରମଣ ପଛରେ ଜୈଶର ହାତ ଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଛି । ଜୈଶ ଆତଙ୍କବାଦୀ ନୋରା ତ୍ରାଲି ଏକ ଆତ୍ମଘାତୀ ବାହିନୀ ସହ  ଶ୍ରୀନଗରରେ ପ୍ରବେଶ କରିଥିବା ନେଇ ଗୁଇନ୍ଦା ସୂଚନା ପୂର୍ବରୁ ମିଳିଥିଲା। ଆତଙ୍କବାଦୀମାନେ ଯେଭଳି ଆକ୍ରମଣ ଯୋଜନା କରିଥିଲେ ପୂର୍ବରୁ ବାହୁବାର ଜୈଶ ଆତଙ୍କବାଦୀମାନେ ସମାନ ଢଙ୍ଗରେ ଆକ୍ରମଣ କରିଥିବା ନଜିର ରହିଛି ।  ଆତଙ୍କବାଦୀଙ୍କ ଗୁଳିରେ  ସହକାରୀ ସବ୍‌ ଇନିସ୍‌୍‌ପେକ୍ଟର ବି.କେ. ଯାଦବ ସହିଦ ହୋଇଯାଇଥିବା ବେଳେ  ଆଉ ୩ ଜଣ ଯବାନ ଆହତ ହୋଇଛନ୍ତି। ଶିବିର ଉପରେ ଆକ୍ରମଣ ପରେ ଶ୍ରୀନଗର ବିମାନ ବନ୍ଦରୁ ୩ ଘଣ୍ଟା ପାଇଁ ଉଡ଼ାଣ ବନ୍ଦ କରାଯାଇଥିଲା। ତେବେ ଏହାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା। ସୂଚନାଯୋଗ୍ୟ ଶ୍ରୀନଗର  ବିମାନ ବନ୍ଦରର ସୁରକ୍ଷା ଦାୟିତ୍ୱ ୧୮୨ ବାଟାଲିୟନ ଉପରେ ନ୍ୟସ୍ତ ଅଛି। ଶ୍ରୀନଗରରେ ଅଧିକ ଜୈଶ ଆତଙ୍କବାଦୀ ସକ୍ରିୟ ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗତକାଲି ବାରମୁଳାର ରାମପୁର ଏବଂ ତାଙ୍ଗଧାର ସେକ୍ଟରରେ  ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରେ ୬ ଜଣ ଆତଙ୍କବାଦୀ ନିପାତ  ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବି ଜୈଶ ଆତଙ୍କବାଦୀ ରହିଥିବା କୁହାଯାଉଛି।  ୬୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ତୟାର ରହିଥିବାରୁ ୩୦ରୁ ଊର୍ଦ୍ଧ୍ୱ ସ୍ଥାନରେ କମ୍ବିଂ ଜାରି ରହିଛି। ପାକିସ୍ତାନ ସେନା  ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଥିବା ବେଳେ ବ୍ୟାପକ ସତର୍କତା ପଦକ୍ଷେପ ଯୋଗୁଁ ପାକ୍‌ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି।

ସମ୍ବନ୍ଧିତ ଖବର