ଛତିଶଗଡରେ ବଢିଚାଲିଛି ମାଓ ହିଂସା, ପୁଲିସ ସହ ଏନକାଉଣ୍ଟର ବେଳେ ଜଣେ ମାଓବାଦୀ ନିହତ

ରାୟପୁର : ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଛତିଶଗଡ଼ରେ ମାଓ ହିଂସା ହଠାତ ବଢିଯାଇଛି । ଆଜି ପୁଣି ଥରେ ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ର ଆଇଜି ( ବସ୍ତର ରେଞ୍ଜ) ବିବେକାନନ୍ଦ କହିଛନ୍ତି ଯେ ପୁଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି ।

ଏହା ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଚାଲି ଚାଲି ଯାଉଥିବା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ । ତେବେ ସୁରକ୍ଷାବଳ ଏହି ବିସ୍ଫୋରଣରୁ ନିଜକୁ ରକ୍ଷା କରିବା ସହ ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହା ଫଳରେ ନକ୍ସଲମାନେ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ । ଗତ କାଲି ମଧ୍ୟ ଗଡଚିରୋଲୀ ଜିଲ୍ଲାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ ।
ଗତ ମଙ୍ଗଳବାରଦିନ ରାଜ୍ୟର ଦାନ୍ତେଓ୍ଵାଡ଼ା ଜିଲ୍ଲାର କୁଆଗୁଡ଼ା ନାମକ ସ୍ଥାନରେ ମାଓବାଦୀମାନେ ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ବିସ୍ଫୋରଣ କରିବା ଫଳରେ ବିଜେପି ବିଧାୟକ ଭୀମା ମଣ୍ଡାଭୀ ନିହତ ହୋଇଥିଲେ । ଏହା ସହିତ ତାଙ୍କ ସହିତ ଥିବା ୪ ଜଣ ଯବାନ ସହିଦ ହୋଇଥିଲେ । ବିଧାୟକ ଭୀମା ମଣ୍ଡାଭୀଙ୍କ ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା ।

ସମ୍ବନ୍ଧିତ ଖବର