ପ୍ରତି ୮ ଘଣ୍ଟାରେ ଜଣେ ପ୍ରବାସୀ ଭାରତୀୟ ମହିଳା ସ୍ୱାମୀ ନିର୍ଯାତନାର ଶିକାର ହୋଇ ସାହାଯ୍ୟ ଲାଗି ଫୋନ୍‌ କରନ୍ତି

ବାଙ୍ଗାଲୁରୁ: ଅନେକ ପିତା-ମାତା ନିଜ ଝିଅ ଲାଗି ବିଦେଶରେ ରହୁଥିବା ବରପାତ୍ର ପ୍ରତି ଅଧିକ ଆଗ୍ରହ ପ୍ରକାଶ କରନ୍ତି । ବିଦେଶରେ ରହିଲେ ଝିଅ ଆରାମରେ ରହିବା ସହ ବିତ୍ତଶାଳୀ ହେବ ବୋଲି ସେମାନଙ୍କର ଧାରଣା ରହିଥିଲା । କିନ୍ତୁ ବାସ୍ତବତା ଭିନ୍ନ ବୋଲି ଏକ ଅନୁଧ୍ୟାନରୁ ଜଣାପଡ଼ିଛି । ପ୍ରବାସୀ ଭାରତୀୟ ପୁରୁଷଙ୍କୁ ବିବାହ କରିଥିବା ମହିଳାଙ୍କ ମଧ୍ୟରୁ ପ୍ରତି ୮ ଘଣ୍ଟାରେ ଜଣେ ସ୍ୱଦେଶକୁ ଫେରିବା ଲାଗି ସାହାଯ୍ୟ ମାଗିଥାଆନ୍ତି । ସେମାନେ ସ୍ୱାମୀଙ୍କ ଦ୍ୱାରା ଶାରୀରିକ ନିର୍ଯାତନା କିମ୍ବା ଦୁର୍ବ୍ୟବହାରରର ଶିକାର ହୋଇ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥାଆନ୍ତି ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦୧୫ ମସିହା ଜାନୁଆରି ପହିଲାରୁ ୨୦୧୭ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ନିର୍ଯ୍ୟାତିତ ମହିଳାଙ୍କଠାରୁ ମନ୍ତ୍ରାଳୟ ଏଭଳି ୩,୩୨୮ ଟି ଅଭିଯୋଗ ପାଇଛନ୍ତି । ହାରାହାରି ମନ୍ତ୍ରାଳୟ ପାଖକୁ ଦୈନିକ ଏଭଳି ୩ ଟି ଫୋନ୍‌ କଲ୍‌ ଆସୁଥିବା ଜଣାପଡ଼ିଛି । ଯାହା ସ୍ପଷ୍ଟ କରୁଛି କି ପ୍ରତି ୮ ଘଣ୍ଟାରେ ଜଣେ ପ୍ରବାସୀ ମହିଳା ନିର୍ଯାତନାର ଶିକାର ହୋଇ ସାହାଯ୍ୟ ପ୍ରାର୍ଥୀ ହୁଅନ୍ତି।

The Indian MARCH

ଅନ୍ୟପକ୍ଷରେ ଏଭଳି ଅଭିଯୋଗ ଆଣିଥିବା ମହିଳା ମାନଙ୍କ ମଧ୍ୟରୁ ସଂଖ୍ୟାଧିକ ପଞ୍ଜାବ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅଧିବାସୀ ବୋଲି ଜଣାପଡ଼ିଛି। ଏହା ପଛକୁ ରହିଛି ଗୁଜୁରାଟି ମହିଳାଙ୍କ ସଂଖ୍ୟା । ଓ୍ଵାସିଂଟନ୍‌ ଡିସିରେ ଥିବା ଭାରତୀୟ ଦୂତାବାସରେ ଦୀର୍ଘ ୧୬ ବର୍ଷ ଧରି କମ୍ୟୁନିଟି ଡେଭେଲପମେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଆରତୀ ରାଓ କହନ୍ତି, ଯେହେତୁ ଆନ୍ଧ୍ର ଓ ତେଲେଙ୍ଗନାରେ ଏବେ ବି ଯୌତୁକ ପ୍ରଥାର ପ୍ରଭାବ ଜୋରଦାର୍‌ ତେଣୁ ଯୌତୁକ ଆଶାରେ ପ୍ରବାସରେ ରହୁଥିବା ଯୁବକ ବାପା-ମାଆଙ୍କ କଥାରେ ବିବାହ କରନ୍ତି । ତା’ପରେ ସେମାନେ ବିଦେଶ ଯିବା ପରେ ବିଭିନ୍ନ ଆଳ ଦେଖାଇ ପତ୍ନୀକୁ ନିର୍ଯାତନା ଦେବା ଆରମ୍ଭ କରନ୍ତି । କେତେକ ସ୍ଥଳରେ ସେମାନେ ପତ୍ନୀଙ୍କୁ ବିଦା ମଧ୍ୟ କରିଦିଅନ୍ତି।

Dataquest

ଏଭଳି ବିଭିନ୍ନ କାରଣ ହେତୁ ପ୍ରବାସୀ ଭାରତୀୟଙ୍କ ଭିତରେ ପତ୍ନୀ ନିର୍ଯାତନା ସଂଖ୍ୟା ବଢ଼ିବାରେ ଲାଗିଛି ।

ସମ୍ବନ୍ଧିତ ଖବର