ଏକକ ବିଷୟରେ ଶୂନ, ତଥାପି ଏମ୍‌ବିବିଏସ୍‌ ସିଟ୍‌

ନୂଆଦିଲ୍ଲୀ: ଦେଶର ଶିକ୍ଷା ବ୍ୟବସ୍ଥା ଏବେ ଭୁଶୁଡ଼ିବା ଭଳି ସ୍ଥିତିକୁ ଚାଲିଆସିଛି। ଭବିଷ୍ୟତରେ ଏହା ଯେ କ୍ଷତିକାରକ ନ ହେବ, ତାହା କହିହେଉ ନାହିଁ। ୨୦୧୭ରେ ହୋଇଥିବା ଏମ୍‌ବିବିଏସ୍‌ ନାମଲେଖାକୁ ଦେଖିଲେ ଏଭଳି ଭୟ ଜାତ ହେଉଛି। ଏମ୍‌ବିବିଏସ୍‌ରେ ନାମ ଲେଖାଇବାକୁ ହେଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ‘ନିଟ୍‌’ର ସମ୍ମୁଖୀନ ହେବାକୁ ପଡ଼ିବ। ପରୀକ୍ଷାରେ ନିର୍ଦ୍ଧାରିତ ଅଙ୍କ ହାସଲ ପରେ ହିଁ ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜରେ ନାମ ଲେଖାଇବାକୁ ସୁଯୋଗ ମିଳିବ। ତେବେ ୨୦୧୭ ନାମଲେଖାରେ ତାହାର ବ୍ୟତିକ୍ରମ ଘଟିଛି। ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଓ ରସାୟନ ବିଜ୍ଞାନ (କେମିଷ୍ଟ୍ରି) ପରୀକ୍ଷାରେ ଅତିକମ୍‌ରେ ୪୦୦ ଛାତ୍ରଛାତ୍ରୀ ଏକଅଙ୍କ ବିଶିଷ୍ଟ ମାର୍କ ହାସଲ କରିଥିବା ବେଳେ ୧୧୦ ଜଣଙ୍କୁ ଶୂନ ବା ତା’ଠାରୁ କମ୍‌ ମାର୍କ ମିଳିଛି। କିନ୍ତୁ ଏମାନଙ୍କୁ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିଛି। ବିଶେଷକରି ଅଧିକାଂଶ ଘରୋଇ କଲେଜରେ ଏମାନେ ନାମ ଲେଖାଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଯଦି କୌଣସି ବିଷୟରେ ଶୂନ ରଖିଥିବା ପ୍ରାର୍ଥୀଙ୍କୁ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ସୁଯୋଗ ମିଳୁଛି, ତେବେ ଏଭଳି ପ୍ରବେଶିକା ପରୀକ୍ଷା କାହିଁକି ଆୟୋଜନ କରାଯାଉଛି?
ଉଲ୍ଲେଖଯୋଗ୍ୟ, ଡାକ୍ତରୀ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ବ୍ୟବସ୍ଥା ପ୍ରଚଳନ ଲାଗି ଯେତେବେଳେ ନିଷ୍ପତ୍ତି ନିଆଗଲା, ସେତେବେଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏକକ ବିଷୟରେ ଅତିକମ୍‌ରେ ୫୦% ମାର୍କ ରଖିଲେ ଜଣେ ଛାତ୍ର ବା ଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ମିଳିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ପରେ ଏକ ସାନି ବିଜ୍ଞପ୍ତିରେ ଏହାକୁ ସଂଶୋଧନ କରାଯାଇଥିଲା। ଏକକ ବିଷୟରେ ନିର୍ଦ୍ଧାରିତ ମାର୍କ ରଖିବା ନିୟମକୁ ପ୍ରତ୍ୟାହାର କରିଦିଆଗଲା। ଏମ୍‌ବିବିଏସ୍‌ରେ ନାମ ଲେଖାଇଥିବା ୧,୯୯୦ ଛାତ୍ରଛାତ୍ରୀଙ୍କ ମାର୍କକୁ ବିଶ୍ଳେଷଣ କରାଯାଇ ଏକ ରିପୋର୍ଟ ପ୍ରକାଶ ପାଇଛି। ୨୦୧୭ରେ ମୋଟ ୭୨୦ ନିଟ୍‌ ମାର୍କରୁ ୧,୯୯୦ ଛାତ୍ରଛାତ୍ରୀ ୧୫୦ରୁ ବି କମ୍‌ ମାର୍କ ହାସଲ କରିଛନ୍ତି। ଏମାନଙ୍କ ମଧ୍ୟରୁ ୫୩୦ ଜଣ ଫିଜିକ୍ସ ଏବଂ କେମିଷ୍ଟ୍ରିରେ ଏକଅଙ୍କ, ଶୂନ ବା ତା’ଠାରୁ କମ୍‌ ମାର୍କ ରଖିଛନ୍ତି। ଏହି ୫୩୦ ଜଣଙ୍କ ମଧ୍ୟରୁ ୫୦୭ ଜଣ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ଏମାନଙ୍କ ପକ୍ଷରୁ ଦିଆଯାଉଥିବା ହାରାହାରି ଟ୍ୟୁସନ୍‌ ଫି’ ବାର୍ଷିକ ୧୭ ଲକ୍ଷ ଟଙ୍କା ହେବ। ଅନ୍ୟପକ୍ଷରେ ୧୫୦ରୁ ଅଧିକ ମାର୍କ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବି ଏଭଳି ପ୍ରାର୍ଥୀ ରହିଥାଇ ପାରନ୍ତି, ଯେଉଁମାନେ ଫିଜିକ୍ସ ବା କେମିଷ୍ଟ୍ରିରେ ନ୍ୟୂନ ମାର୍କ ହାସଲ କରିଥିବେ। ଏମାନଙ୍କୁ ବି ବିଭିନ୍ନ ଘରୋଇ ମେଡିକାଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ମିଳିଯାଇଛି।

ସମ୍ବନ୍ଧିତ ଖବର