ପିଆଜ କିଲୋ ୫୦ ପଇସା, ମହାରାଷ୍ଟ୍ରରେ ଜୀବନ ହାରିଲେ ୨ ପିଆଜ ଚାଷୀ

ମୁମ୍ବାଇ : ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଅତି ଗମ୍ଭୀର ହେଉଥିବାବେଳେ ସେମାନଙ୍କ ପ୍ରତି କାହାରି ନିଘା ନାହିଁ। ନିକଟରେ ମହାରାଷ୍ଟ୍ରର ନାସିକ୍‌ ଜିଲ୍ଲାର ଦୁଇ ଜଣ ପିଆଜ ଚାଷୀ ନିଜ ଉତ୍ପାଦକୁ ଅତି କମ୍‌ ଦରରେ ବିକି ସେହି ଟଙ୍କା ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପଠାଇଥିଲେ। କିନ୍ତୁ ବଡ଼ ଦୁଃଖର ବିଷୟ ହେଉଛି ଯେ ଗତ ଦୁଇ ଦିନ ମଧ୍ୟରେ ନାସିକ୍‌ ଜିଲ୍ଲାରେ ଅନ୍ୟ ଦୁଇଜଣ ପିଆଜ ଚାଷୀ ପିଆଜର କମ୍‌ ମୂଲ୍ୟ ପାଇଁ ଆତ୍ମହତ୍ୟା କରିଦେଇଛନ୍ତି। ବଜାରରେ ପିଆଜର ଦର କିଲୋଗ୍ରାମ୍‌ ପିଛା ୫୦ ପଇସା ଏବଂ ଟଙ୍କାଟାରେ ବିକ୍ରି ହେଉଥିବାରୁ ସେମାନେ ସେମାନଙ୍କ ଉତ୍ପାଦର ଉଚିତ୍‌ ମୂଲ୍ୟ ପାଇ ପାରିଲେନି। ଋଣ କେମିତି ଶୁଝି‌ବେ ଏବଂ ପରିବାର କେମିତି ଚଳିବ ସେହି ଚିନ୍ତାରେ ସେମାନେ ଆତ୍ମହତ୍ୟା କରିଦେଇଛନ୍ତି। ମୃତକ ଦୁଇଜଣ ହେଉଛନ୍ତି ତାତ୍ୟାଭାଉ ଖଇରନାର ଏବଂ ମନୋଜ ଧୋନ୍ଦାଗେ। ସେମାନଙ୍କ ଘର ନାସିକ୍ ଜିଲ୍ଲାର ବାଗଲନ୍‌ ତାଲୁକରେ। ବାଗଲାନ୍‌ ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଖଇରନାର ନିଜ ପିଆଜ କ୍ଷେତରେ ଥିବା ଛପର ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖଇରନାର ୧୧ ଲକ୍ଷ ଟଙ୍କାର ଋଣ ଜାଲରେ ବୁଡ଼ି ରହିଥିଲେ। ଅନ୍ୟପକ୍ଷେ ମନୋଜ ନିଜ ‌‌କ୍ଷେତରେ ବିଷାକ୍ତ ସାମଗ୍ରୀ ପିଇ ଆତ୍ମହତ୍ୟା କରିଛନ୍ତି। ମନୋଜ ପ୍ରାୟ ୨୧ ଲକ୍ଷ ଟଙ୍କାର ଋଣ ଜାଲରେ ବୁଡ଼ି ରହିଛନ୍ତି। ଏତେ ଟଙ୍କାର ଋଣବୋଝ ସାଙ୍ଗକୁ ଉତ୍ପାଦର ଏତେ କମ୍‌ ଦର ସେମାନେ ସହି ପାରିଲେନି। ଶେଷରେ ଆଖି ବୁଜିଦେଲେ। ଉଲ୍ଲେଖଯୋଗ୍ୟ ନିକଟରେ ନିଫାଡ଼ ତାଲୁକାର ଜଣେ ପିଆଜ ଚାଷୀ ସଞ୍ଜୟ ସାଠେ ପିଆଜ କିଲୋକୁ ପ୍ରାୟ ଟଙ୍କାଏ ଦରରେ ବିକିଥିଲେ। ୭୫୦ କିଲୋ ପିଆଜ ବିକି ସେ ୧୦୬୪ ଟଙ୍କା ପାଇଥିଲେ। ସେ ସେହି ଟଙ୍କାକୁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପଠାଇଥିଲେ। ଅନ୍ୟ ଜଣେ ପିଆଜ ଚାଷୀ ମଧ୍ୟ ପିଆଜ କିଲୋକୁ ୫୦ ପଇସାରେ ବିକି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ପଠାଇଥିଲେ।

ସମ୍ବନ୍ଧିତ ଖବର