ଅପରେସନ୍‌ ସନ୍‌ସାଇନ୍‌-୨: ଉଗ୍ରପନ୍ଥୀ ନିପାତ ପାଇଁ

ଭାରତ-ମ୍ୟାଁମାର ମିଳିତ ଅଭିଯାନ, ୪ଟି ସଂଗଠନର ପ୍ରମୁଖ ଆଡ଼ା ଧ୍ବସ୍ତ

ନୂଆଦିଲ୍ଲୀ: ଭାରତ ଏବଂ ମ୍ୟାଁମାର ଉଗ୍ରପନ୍ଥୀ ନିପାତ ପାଇଁ ସୀମାରେ ବଡ଼ ଧରଣର ମିଳିତ ଅଭିଯାନ କରିଛନ୍ତି। ମଣିପୁର, ନାଗାଲ୍ୟାଣ୍ଡ ଏବଂ ଆସାମରେ ସକ୍ରିୟ ବିଭିନ୍ନ ଉଗ୍ରପନ୍ଥୀ ସଂଗଠନକୁ ଟାର୍ଗେଟ୍‌ କରି ଏହି ଅଭିଯାନ ହୋଇଥିବା ବେଳେ ୪ଟି ଉଗ୍ରବାଦୀ ସଂଗଠନର ୨୦ରୁ ଅଧିକ ଆଡ଼ା ନଷ୍ଟ କରାଯାଇଛି। ଉଭୟ ରାଷ୍ଟ୍ର ସୀମାରେ ୧୬ ମେ’ ରୁ ୩ ସପ୍ତାହ ପାଇଁ ମିଳିତ ଅଭିଯାନ ଚଳାଇଥିଲେ ଏବଂ ଏହାକୁ ‘ଅପରେସନ ସନ୍‌ସାଇନ୍‌-୨’ ନାମ ଦିଆଯାଇଥିଲା। ଆଜି ସେନା ସୂତ୍ରରୁ ଜଣାପଡ଼ିଛି ଯେ ଦ୍ବିତୀୟ ପର୍ଯ୍ୟାପ୍ତ ଅପରେସନ ସଂପୂର୍ଣ୍ଣ ସଫଳ ହୋଇଛି ଏବଂ ଏଥିରେ ଉତ୍ତର ପୂର୍ବାଞ୍ଚଳର ଅନେକ ଉଗ୍ରବାଦୀ ସଂଗଠନର ଆଡ଼ା ମୂଳପୋଛ ହୋଇଯାଇଛି।

ପ୍ରତିରକ୍ଷା ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ପଡ଼ୋଶୀ ମ୍ୟାମାର ଏଥିରେ ସଂପୂର୍ଣ୍ଣ ସହଯୋଗ କରିବାରୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇପାରିଛି। ମ୍ୟାଁମାର ସହିତ ଭାରତର ଉଗ୍ରବାଦ ପ୍ରଭାବିତ ମଣିପୁର, ନାଗାଲ୍ୟାଣ୍ଡ ଏବଂ ଅନ୍ୟ ପୂର୍ବୋତ୍ତର ରାଜ୍ୟର ୧୬୪୦ କିମି ଲମ୍ବ ସୀମା ରହିଛି। ସୀମା ସୁରକ୍ଷା ପାଇଁ ମ୍ୟାମାର ଏବେ ଉତ୍ତମ ରଣନୀତିକ ସହଯୋଗୀ ଭାବେ କାମ କରୁଛି। ଅପରେସନ୍‌ ସନ୍‌ସାଇନ୍‌-୨ରେ ଉଗ୍ରବାଦୀ ସଂଗଠନର ପ୍ରମୁଖ ସଂଚାଳକମାନଙ୍କୁ ମଧ୍ୟ ନିପାତ କରାଯାଇଥିବା ଜଣାପଡ଼ିଛି। ମିଳିତ ସେନା ଉଲ୍‌ଫା (୧), ଏନ୍‌ଡିଏଫ୍‌ବି, ଏନ୍‌ଏସ୍‌ସିଏନ୍‌ (ଖାପ୍‌ଲାଙ୍ଗ୍‌) ଏବଂ କେଏଲ୍‌ଓର ଶିବିରଗୁଡ଼ିକୁ ଟାର୍ଗେଟ୍ କରିଥିଲେ। ଏହି ଅଭିଯାନରେ ଅତି କମ୍‌ରେ ୭୨ ଜଣ ଉଗ୍ରପନ୍ଥୀ ନିପାତ ହୋଇଥିବା କୁହାଯାଇଛି। ସେନା ସହିତ ଆସାମ୍‌ ରାଇଫଲ୍‌ସର ଯବାନ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ପ୍ରଥମ ପର୍ଯ୍ୟାୟ ‘ଅପରେସନ ସନ୍‌ସାଇନ୍‌-୧’ ଫେବ୍ରୁଆରି ୨୨ରୁ ୨୬ ମଧ୍ୟରେ ହୋଇଥିଲା। ଏହା ସଫଳ ହେବାପରେ ଅପରେସନ୍‌ ସନ୍‌ସାଇନ-୨କୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ସମ୍ବନ୍ଧିତ ଖବର