ଚୀନ୍ର ୨୬ ଶ୍ରମିକ ଆହତ
କ୍ୱେଟା: ଚୀନ୍ର ଓ୍ଵାନ୍ ବେଲ୍ଟ ଓ୍ଵାନ୍ ରୋଡ୍ (ଓବିଓଆର) ପକଳ୍ପକୁ ବିରୋଧ କରି ଆଜି ପାକିସ୍ତାନର ଗଦର ପୋର୍ଟ ଉପରେ ବେଲୁଚିସ୍ତାନ ବିଚ୍ଛିନ୍ନତାବାଦୀମାନେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଜଣେ ଅଜଣା ଆକ୍ରମଣକାରୀ ଗଦର ପୋର୍ଟରେ କାର୍ଯ୍ୟରତ ଶ୍ରମିକଙ୍କ ଉପରକୁ ଗ୍ରେନେଡ ମାଡ଼ କରିବାରୁ ୨୬ ଜଣ ଚୀନ୍ ଶ୍ରମିକ ଆହତ ହୋଇଛନ୍ତି। ଏହି ଘଟଣା ପରେ ପାକିସ୍ତାନରେ ଚାଲିଥିବା ଚୀନ୍ ପାକ୍ ଆର୍ଥିକ କରିଡର ଏବଂ ଓବିଓଆର ପ୍ରକଳ୍ପରେ କାର୍ଯ୍ୟରତ ଚୀନ୍ ଶ୍ରମିକଙ୍କ ସୁରକ୍ଷା ନେଇ ଉଦ୍ବେଗ ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ସହ ଚୀନ୍ ଚଳାଇଥିବା ପ୍ରକଳ୍ପଗୁଡ଼ିକୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାକୁ ପାକିସ୍ତାନ ଚୀନ୍କୁ ଆଶ୍ୱାସନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗଦର ପୋର୍ଟରେ କାର୍ଯ୍ୟରତ ଶ୍ରମିକମାନେ ସନ୍ଧ୍ୟାରେ ଭୋଜନ ପାଇଁ ଏକତ୍ରିତ ହୋଇଥିବା ବେଳେ ସେମାନଙ୍କ ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ୨୦୧୪ରୁ ଚୀନ୍ ପ୍ରକଳ୍ପକୁ ପାକିସ୍ତାନରେ ଜୋର୍ଦାର ବିରୋଧ ହେଉଥିବା ବେଳେ ଏଥିରେ ୫୦ରୁ ଅଧିକ ପାକିସ୍ତାନୀ ଶ୍ରମିକ ନିହତ ହୋଇଛନ୍ତି। ଚୀନ୍ ଏବେ ପାକିସ୍ତାନରେ ୫୭ ବିଲିୟନ ଡଲାର ବିନିଯୋଗ କରି ସିପିଇସି ଏବଂ ଓବିଆର୍ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ତେବେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ ସରକାର ଓ ସେନାର ଦମନମୂଳକ ନୀତିକୁ ସ୍ଥାନୀୟ ବାସିନ୍ଦାମାନେ ଜୋର୍ଦାର ବିରୋଧ କରୁଛନ୍ତି। ଚୀନ୍-ପାକ୍ ଆର୍ଥିକ କରିଡର ଓବିଓଆର ପ୍ରକଳ୍ପର ଅଂଶ ହୋଇଥିବା ବେଳେ ଏଥିରେ ପାକ୍ ଅଧିକୃତ କଶ୍ମୀରକୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଭାରତ ମଧ୍ୟ ଏହାର ଜୋରଦାର ବିରୋଧ କରି ଆସିଛି।